ବ୍ରହ୍ମପୁର : ବ୍ରହ୍ମପୁର ବଡମେଡିକାଲର କରୋନା ଆଇସୋଲେସନ୍ ୱାର୍ଡରେ ଭର୍ତି ହୋଇଥିବା ସାନଖେମୁଣ୍ଡି ଅଞ୍ଚଳର ଜଣେ କରୋନା ସନ୍ଦିଗ୍ଧ ଯୁବକଙ୍କ ଶନିବାର ଦିନ ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ସ୍ୱାବ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଥିଲା । ଦୀର୍ଘ ୭୨ ଘଣ୍ଟା ପରେ ତାଙ୍କର ପରିକ୍ଷା ଫଳ ନେଗେଟିଭ ଆସିଥିବା ନେଇ ମଙ୍ଗଳବାର ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ମେଡିକାଲ ଅଧିକ୍ଷକ ପ୍ରଫେସର ଡାକ୍ତର ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି । ସୂୁଚନାଯୋଗ୍ୟ ଯେ, ସାନଖେମୁଣ୍ଡି ଅଂଚଳର ସନ୍ଦିଗ୍ଧ ଯୁବକଜଣକ ଭୁବନେଶ୍ୱରରୁ ଆସି ନିଜ ଘରକୁ ଯାଇଥିଲେ । ସେଠାରେ କାଶ, ଥଣ୍ଡା ହେବା ପରେ ଘର ଲୋକ ବଡ ମେଡିକାଲକୁ ତାଙ୍କୁ ପଠାଇ ଦେଇଥିଲେ । ଏଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମସ୍ତିଷ୍କ ମ୍ୟାଲେରିଆ ବୋଲି ଜଣାପଡିଥିଲା । ଏହାକୁ ନେଇ ସ୍ଥାନୀୟ ବଡମେଡିକାଲରେ ଚିକିତ୍ସା ଚାଲିଥିବା ବେଳେ ଉକ୍ତ ବ୍ୟକ୍ତିଙ୍କ କାଶ, ଛିଙ୍କ ଏବଂ ଜ୍ୱର ଛାଡି ନଥିଲା । ପରେ ସନ୍ଦେହ ଅବସ୍ଥାରେ ତାଙ୍କୁ ଏମକେସିଜିର କରୋନା ଆଇସୋଲେସନ୍ ୱାର୍ଡରେ ଭର୍ତି କରାଯାଇଥିଲା । ତାଙ୍କ ସ୍ୱାବ ପରୀକ୍ଷା କରାଯିବା ପରେ ଭୁବନେଶ୍ୱର ପଠାଯାଇଥିଲା । ଶନିବାର ଦିନ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ତାଙ୍କ ଶବକୁ ଏମକେସିଜିର ଶବ ଗୃହରେ ରଖାଯାଇଥିଲା । ରିପୋର୍ଟ ନେଗେଟିଭ ଆସିବା ପରେ ସେ କରୋନା ଯୋଗୁଁ ମୃତ୍ୟୁବରଣ କରିନଥିବା ନେଇ ନିର୍ଦ୍ଧାରିତ ହୋଇଥିଲା । ତେଣୁ ଉକ୍ତ ବ୍ୟକ୍ତିିଙ୍କ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ବର୍ତମାନ ସୁଦ୍ଧା ବ୍ରହ୍ମପୁର ବଡମେଡିକାଲର ମୋଟ ୪୮ଟି ସ୍ୱାବ ପରିକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଥିବା ବେଳେ ୪୪ଟିର ରିପୋର୍ଟ ନେଗେଟିଭ ଆସିଛି ଏବଂ ଅନ୍ୟ ୪ଟିର ରିପୋର୍ଟକୁ ଅପେକ୍ଷା କରାଯାଇଛି।
ଏମ୍କେସିଜିରେ ୧୨ ସନ୍ଦିଗ୍ଧଙ୍କ ସ୍ୱାବ୍ ପରୀକ୍ଷା
ବ୍ରହ୍ମପୁର: ମଙ୍ଗଳବାର ଏମ୍କେସିଜି ମେଡିକାଲ କଲେଜ ମାଇକ୍ରୋବାୟୋଲୋଜି ବିଭାଗରେ ୧୨ଜଣ ସନ୍ଦିଗ୍ଧଙ୍କ ସ୍ୱାବ୍ ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରେ ଏମ୍କେସିଜିରେ ଭର୍ତ୍ତି ହୋଇଥିବା ୪ଜଣ ରହିଥିବା ବେଳେ ଆଉ ୮ଜଣ ସିଟି ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ସନ୍ଦିଗ୍ଧ ବୋଲି ଅଧୀକ୍ଷକ ପ୍ରଫେସର ଡା. ମିଶ୍ର କହିଛନ୍ତି । ସମସ୍ତଙ୍କ ରିପୋର୍ଟ ଭୁବନେଶ୍ୱର ଆର୍ଏମ୍ଆର୍ସିକୁ ପଠାଯାଇଥିବା ସେ ସୂଚନା ଦେଇଛନ୍ତି ।