
କନ୍ଧମାଳ – କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ମୁଣ୍ଡିଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀରେ ବସି ପାଠ ପଢୁଥିବା ସମୟରେ ଜଣେ ଛାତ୍ର ଆଖିରେ ରାଉଣ୍ଡର ବାଜି ଗୁରୁତର ହୋଇପଡିଥିଲେ । ଯାହାକୁ ନେଇ ସେଠାରେ ଉତେଜନା ଦେଖାଦେଇଥିଲା । ଘଟଣାରେ ଶିକ୍ଷୟତ୍ରୀଙ୍କ ଅବହେଳାକୁ ଦାୟୀ କରି ଆଜି ଗ୍ରାମବାସୀ ସ୍କୁଲ ଗେଟରେ ତାଲା ପକାଇ ଦେଇଥିଲେ ।
ପ୍ରାପ୍ତ ସୂଚନା ଅନୁସାରେ, ୪ର୍ଥ ଶ୍ରେଣୀ ପଢୁଥିବା ଛାତ୍ର ନାମ ଓମ୍ ପ୍ରକାଶ ପରିଛା ଗତ ବୁଧବାର ଦିନ ସ୍କୁଲ ଶ୍ରେଣୀ ଗୃହରେ ରାଉଣ୍ଡରରେ ଖେଳୁଥିବା ସମୟରେ ହଠାତ୍ ତାହା ତାଙ୍କ ଡାହାଣ ଆଖିରେ ବାଜିଯିବା ଫଳରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କ ଆଖିରେ ଗଭୀର ଆଘାତ ଲାଗିଥିଲା । କାର୍ଯ୍ୟରତ ଶିକ୍ଷୟତ୍ରୀ ଘଟଣା ଟିକୁ ଅତ୍ୟନ୍ତ ହାଲୁକା ଭାବରେ ନେଇ କାହାକୁ ଜଣାଇନଥିଲେ । ପରେ ଘରକୁ ଯାଇ ଘଟଣା ବିଷୟରେ ମାଙ୍କୁ କହିଥିଲା ଓମ୍ । ମା ଜାଣିପାରି ପ୍ରଧାନ ଶିକ୍ଷକଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ । ପ୍ରଧାନ ଶିକ୍ଷକ ମାନବିକତା ଦେଖାଇ ଗୁରୁତର ଛାତ୍ରକୁ ପ୍ରଥମେ ତୁମୁଡିବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଇବା ପରେ ବାଲିଗୁଡା ଏବଂ ପରେ ବହ୍ମପୁର ମେଡିକାଲକୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ଅନ୍ୟପକ୍ଷରେ ଏଥିରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଅବହେଳା କରିଥିବା ଅଭିଯୋଗ ଆଣି ଅଭିଭାବକ ମାନେ ଗତକାଲି ବିଦ୍ୟାଳୟରେ ତାଲା ପକାଇବା ସହ ସେଠାରେ ହୋ ହାଲ୍ଲା କରିଥିଲେ । ଖବର ପାଇ ତୁମୁଡିବନ୍ଧ ଗୋଷ୍ଠି ଉନ୍ନୟନ ଅଧିକାରୀ (ବିଡ଼ିଓ) ଜୟଦେବ ଦାଶ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦ୍ଧବ ଚରଣ ନାୟକ ପହଂଚି ଅଭିଭାବକ ମାନଙ୍କୁ ବୁଝାସୁଝା କରି ଘଟଣା ବାବଦରେ ପୁଙ୍ଖାନୁପୁଙ୍ଖ ଭାବରେ ପଚାରି ବୁଝିଥିଲେ । ଅଭିଭାବକ ମାନେ ଅଭିଯୋଗ କରି କରିଥିଲେ ଯେ, ସ୍ଥାନୀୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଭଲ ପାଠ ପଢାଉ ନାହାନ୍ତି ତାହା ସହିତ ଛାତ୍ରଛାତ୍ରୀଙ୍କର ଦାୟୀତ୍ୱ ନେବାରେ ମଧ୍ୟ ବହୁତ ଅବେହେଳା କରୁଥିବା ଅଭିଯୋଗ କରିଥିଲେ । ଆହତ ଛାତ୍ରଙ୍କ ମାଆଙ୍କ ଅଭିଯୋଗ ଶୁଣିବା ପରେ ଛାତ୍ରର ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ପ୍ରଶାସନ ବହନ କରିବ ଏବଂ ଘଟଣାର ତଦନ୍ତ କରି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବିଡ଼ିଓ । ବିଡ଼ିଓଙ୍କ ଏହି ପ୍ରତିଶୃତି ପରେ ସେଠାରେ ଉତେଜନା ଥମିଛି ।