-
ଓଡ଼ିଶାର ଷ୍ଟାର୍ଟଅପ୍ ସଂସ୍ଥା ସଷ୍ଟେନେବିଲିଟି ଲିଡର୍ସ ଓଡ଼ିଶା ପ୍ରାଇଭେଟ୍ ଲିମିଟେଡ୍ ଏବଂ ଜାପାନର ଟୋଟୋରିସ୍ଥିତ ବ୍ୟବସାୟିକ ସଂସ୍ଥା ୱାନଷ୍ଟ୍ରକ୍ସନ୍ ଇଙ୍କ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
-
ଷ୍ଟାର୍ଟଅପର ସମୃଦ୍ଧି କ୍ଷେତ୍ରରେ ମାଇଲଖୁଣ୍ଟ : ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର, ଓଡ଼ିଶା ଓ ଜାପାନ ମଧ୍ୟରେ ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ ଓ ବ୍ୟବସାୟିକ ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଜାପାନର ଟୋଟୋରି ପ୍ରିଫେକ୍ଚରର ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ୱର “ଓ-ହବ୍-ଷ୍ଟାର୍ଟଅପ୍ ଓଡ଼ିଶା” ପରିଦର୍ଶନ କରିଛନ୍ତି । ଏହି ଗସ୍ତ ଅବସରରେ ଆନ୍ତର୍ଜାତିକ ବ୍ୟବସାୟିକ ସହଭାଗିତା, ଆନୁଷ୍ଠାନିକ ସହଯୋଗ ଏବଂ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା ହୋଇଥିଲା ।
ଏହି ଅବସରରେ ଓଡ଼ିଶାର ଷ୍ଟାର୍ଟଅପ୍ ସଂସ୍ଥା ସଷ୍ଟେନେବିଲିଟି ଲିଡର୍ସ ଓଡ଼ିଶା ପ୍ରାଇଭେଟ୍ ଲିମିଟେଡ୍ ଏବଂ ଜାପାନର ଟୋଟୋରିସ୍ଥିତ ବ୍ୟବସାୟିକ ସଂସ୍ଥା ୱାନଷ୍ଟ୍ରକ୍ସନ୍ ଇଙ୍କ୍ (ONESTRUCTION Inc.) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା । ଗତ ଜୁଲାଇ ୩୦ ତାରିଖରେ ଟୋଟୋରି ପ୍ରତିନିଧି ଦଳର ଓଡ଼ିଶା ଗସ୍ତ ସମୟରେ ହୋଇଥିବା ପ୍ରାରମ୍ଭିକ ଆଲୋଚନା ଏବଂ ପରବର୍ତ୍ତୀ ଯୋଗାଯୋଗର ସଫଳ ପରିଣତି ସ୍ୱରୂପ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଷ୍ଟାର୍ଟଅପ୍ ସହଯୋଗ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହୋଇଛି ।
ଏହି କାର୍ଯ୍ୟକ୍ରମରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ; ଉଦ୍ୟମିତାକୁ ପ୍ରୋତ୍ସାହନ ଏବଂ ଆନ୍ତର୍ଜାତିକ ସହଯୋଗ ମାଧ୍ୟମରେ ବ୍ୟବସାୟିକ ସୁଯୋଗର ସମ୍ପ୍ରସାରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଥିଲେ, ଷ୍ଟାର୍ଟଅପର ବିକାଶ ଦିଗରେ ଏହା ଏକ ମାଇଲଖୁଣ୍ଟ । ଓଡ଼ିଶାର ଷ୍ଟାର୍ଟଅପ୍ ଓ ଉଦ୍ୟୋଗ କ୍ଷେତ୍ରକୁ ବିଶ୍ୱସ୍ତରୀୟ ସୁଯୋଗ ସହ ଯୋଡ଼ିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ଏମ୍ଏସ୍ଏମ୍ଇ ବିଭାଗର କମିଶନର-ତଥା-ଶାସନ ସଚିବ ରଶ୍ମିତା ପଣ୍ଡା ରାଜ୍ୟର ଷ୍ଟାର୍ଟଅପ୍ ପରିବେଶକୁ ସୁଦୃଢ଼ କରିବା, ନବସୃଜନକୁ ପ୍ରୋତ୍ସାହନ ଦେବା ଓ ଆନ୍ତର୍ଜାତିକ ସହଭାଗିତା ବୃଦ୍ଧି ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ ।
ଜାପାନର ପ୍ରତିନିଧି ଦଳରେ ଟୋଟୋରି ପ୍ରିଫେକ୍ଚରାଲ୍ ସରକାରଙ୍କ ବାଣିଜ୍ୟ, ଶିଳ୍ପ ଓ ଶ୍ରମ ବିଭାଗର ମହାନିର୍ଦ୍ଦେଶକ ତୋରୁ ସାସାକି, ସାନ୍-ଇନ୍ ଗୋଡୋ ବ୍ୟାଙ୍କର ନିର୍ଦ୍ଦେଶିକା ଶ୍ରୀମତୀ ୟୋସିଓକା ଏବଂ ଟୋଟୋରି ପ୍ରିଫେକ୍ଚରାଲ୍ ଇଣ୍ଡଷ୍ଟ୍ରିଆଲ୍ ପ୍ରମୋସନ୍ ଅର୍ଗାନାଇଜେସନ୍ର ସଭାପତି କାଜୁହିକୋ ଇକେଦାଙ୍କ ସମେତ ଜାପାନର ବିଭିନ୍ନ କମ୍ପାନୀର ପ୍ରତିନିଧିମାନେ ସାମିଲ ହୋଇଥିଲେ । ଜାପାନର ପ୍ରତିନିଧିମାନେ ସେମାନଙ୍କ ଅଭିଭାଷଣରେ, କୃଷି, ନିର୍ମାଣ, କୃତ୍ରିମ ବୁଦ୍ଧିମତ୍ତା, ଉତ୍ପାଦନ, ସ୍ଥାୟୀ ବିକାଶ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସମ୍ଭାବ୍ୟ ସହଯୋଗ, ବଜାର ସୁଯୋଗ ଓ ବ୍ୟବସାୟିକ ସହଭାଗିତା ଉପରେ ଆଶା ପ୍ରକଟ କରିଥିଲେ । ପ୍ରତିନିଧିମାନେ ଷ୍ଟାର୍ଟଅପ୍ ଶୋକେସ୍ ଷ୍ଟଲ୍ ପରିଦର୍ଶନ କରି ଓଡ଼ିଶାର ନବସୃଜନାତ୍ମକ ଉତ୍ପାଦ, ନୂତନ ଜ୍ଞାନକୌଶଳ ଓ ଉଦ୍ୟୋଗୀମାନଙ୍କ ଅଭିନବ ପ୍ରୟାସ ସମ୍ପର୍କରେ ଅବଗତ ହୋଇଥିଲେ ।
ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ ନିର୍ବାହୀ ଅଧିକାରୀ ସ୍ମୃତି ରଞ୍ଜନ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜାପାନ ପ୍ରତିନିଧି ଦଳର ସଦସ୍ୟମାନେ ନିଜ ନିଜର ମତ ରଖିଥିଲେ । ଓଡ଼ିଶାର ବିଭିନ୍ନ ଷ୍ଟାର୍ଟଅପ୍ ସଂସ୍ଥା ସେମାନଙ୍କର ଅଭିନବ ଉଦ୍ୟୋଗ, ଉତ୍ପାଦ ଓ ସମାଧାନମୂଳକ ପ୍ରଯୁକ୍ତି ଜାପାନୀ ପ୍ରତିନିଧିମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଓଡ଼ିଶାର ଷ୍ଟାର୍ଟଅପ୍ ଓ ଟୋଟୋରିର କମ୍ପାନୀଗୁଡ଼ିକ ମଧ୍ୟରେ ‘ବି-ଟୁ-ବି’ ଆଲୋଚନା ହୋଇଥିଲା ।
ଏହି କାର୍ଯ୍ୟକ୍ରମ ଓଡ଼ିଶାର ଆନ୍ତର୍ଜାତିକ ଷ୍ଟାର୍ଟଅପ୍ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଦ୍ୱିପାକ୍ଷିକ ବ୍ୟବସାୟିକ ସହଯୋଗର ସୁଯୋଗକୁ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ସହଭାଗିତା ମାଧ୍ୟମରେ, ଷ୍ଟାର୍ଟଅପ୍ ଓଡ଼ିଶା ରାଜ୍ୟର ଉଦୀୟମାନ ଉଦ୍ୟୋଗଗୁଡ଼ିକୁ ବିଶ୍ୱସ୍ତରୀୟ ସ୍ୱୀକୃତି ଓ ସୁଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଏହାଦ୍ୱାରା ଓଡ଼ିଶା ଏବଂ ଜାପାନର ନବସୃଜନ ତଥା ଉଦ୍ୟୋଗୀ ପରିବେଶ ମଧ୍ୟରେ ସହଯୋଗ ଆହୁରି ସୁଦୃଢ଼ ହୋଇପାରିବ ।
