ଅଣଦେଖା : କର୍ତୃପକ୍ଷଙ୍କ ବ୍ୟବସାୟୀକ ମନୋବୃତିରେ ଅଣ ନିଶ୍ୱାସୀ ଗୋ ସମ୍ପଦ, କାର୍ଯ୍ୟକାରୀ ହୋଇପାରୁନି କୋର୍ଟଙ୍କ ନିର୍ଦ୍ଦେଶ
ଭଦ୍ରକ – ଗୋ ସମ୍ପଦର ସୁରକ୍ଷା ପାଇଁ ସ୍ଥାପିତ ଶ୍ରୀ ଗୋପାଳଜୀଉ ଗୋଶାଳା ଏବେ ବ୍ୟପକ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଗୋସମ୍ପଦର ସ୍ୱାର୍ଥ ରକ୍ଷାକୁ ସମ୍ପୂର୍ଣ୍ଣ ଅଣଦେଖା କରି ଚାଲିଛନ୍ତି ଗୋଶାଳା କର୍ତୃପକ୍ଷ । ଗୋସମ୍ପଦଙ୍କ ସୁରକ୍ଷା ତଥା ସ୍ୱାର୍ଥ ରକ୍ଷା ପାଇଁ ଭିତିଭୂମୀର ବିକାଶ ପରିବର୍ତେ ଅନୁଷ୍ଠାନର ବ୍ୟବସାୟିକ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଥିବାର ଅଭିଯୋଗ ହୋଇଛି । ଭଦ୍ରକ ସଦର ମହକୁମା ରାଜଘାଟ ଛକରେ ରହିଛି ଏହି ଗୋଶାଳା । ମଠସାହି ମୌଜାରେ ଥିବା ମଠ ସମ୍ପତି ପ୍ଲଟ ନମ୍ବର ୨୩୩୬ ଓ ୨୩୩୭/୪୭୧୮ ଉପରେ ଗୋସମ୍ପଦର ସୁରକ୍ଷା ପାଇଁ ୧୯୨୩ ମସିହାରେ ଏହା ନିର୍ମିତ ହୋଇଥିଲା । ଶ୍ରୀ ଗୋପାଳ ଜୀଉ ମଠର ମହନ୍ତ ସଦାନନ୍ଦ ରାମାନୁଜ ଦାସ ଏହାକୁ ମଠ ସମ୍ପତି ଉପରେ ୧୯୨୩ରେ ନିର୍ମାଣ କରିଥିଲେ । କିନ୍ତୁ ୯୬ବର୍ଷର ଏହି ଗୋଶାଳା ଏବେ ବ୍ୟାପକ ପରିଚାଳନାଗତ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଯଥେଷ୍ଟ ସଂଖ୍ୟକ ଗୋରୁ ରହିବା ପାଇଁ ଏଠାରେ ସ୍ଥାନାଭାବ ଦେଖାଦେଇଛି । ବେଆଇନ ଗୋଚାଲାଣ ସମୟରେ ଉଦ୍ଧାର କରାଯାଉଥିବା ଗୋରୁଙ୍କୁ ରଖିବାକୁ ସ୍ଥାନାଭାବ ଦର୍ଶାଇ କର୍ତୃପକ୍ଷ ରାଜି ହେଉ ନାହାନ୍ତି । ପ୍ରାୟ ୧୦ବର୍ଷ ପୂର୍ବେ ଗୋଶାଳାର ଆୟବୃଦ୍ଧି ନିମିତ ଏହି ଜମି ଉପରେ ଏକ ବିରାଟ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯାଇଥିଲା । ପ୍ରାୟ ୪୦ଟି ଦୋକାନ ଘରକୁ ବ୍ୟବସାୟୀମାନେ ଲକ୍ଷାଧିକ ଟଙ୍କା ଅମାନତ ଜମା ଦେଇ କର୍ତୃପକ୍ଷଙ୍କ ସହ ଚୁକ୍ତି କରି ବ୍ୟବସାୟ ଆରମ୍ଭ କରିଥିଲେ । ତେବେ ୩ବର୍ଷ ହେଲା ଉକ୍ତ ମାର୍କେଟ କମ୍ପେ୍ଲକ୍ସର ଉପରମହଲା କାର୍ଯ୍ୟ ପାଇଁ ଗୋଶାଳା କର୍ତୃପକ୍ଷ ଉଦ୍ୟମ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ନିର୍ମାଣ କାର୍ଯ୍ୟ ପାଇଁ କର୍ତୃପକ୍ଷ ପୌର ପାଳିକା କିମ୍ବା ସ୍ପେଶାଲ ପ୍ଲାନିଂ ଅଥରିଟି(ଏସପିଏ)ଙ୍କ ଅନୁମତି ନେଇନଥିଲେ । ତେଣୁ ଗୋଶାଳା କର୍ତୃପକ୍ଷଙ୍କ ଏହି ବେଆଇନ ନିର୍ମାଣ ବିରୋଧରେ ସାମାଜିକ କର୍ମୀ ପ୍ରବୀର ଜେନା ପୌର ନିର୍ବାହୀ ଅଧିକାରୀ ଓ ଏସପିଏଙ୍କ ନିକଟରେ ଅଭିଯୋଗପତ୍ର ଦାଖଲ କରିଥିଲେ । ପୌର ନିର୍ବାହୀ ଅଧିକାରୀ ୨୦୧୭ ଜୁନ ୨୯ତାରିଖ ଗୋଶାଳା ସମ୍ପାଦକଙ୍କୁ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ସହ ସୋସାଇଟି ରେଜିଷ୍ଟ୍ରେସନ ସମ୍ପର୍କୀତ କାଗଜାତ, ପରିଚାଳନା କମିଟି ଗଠନର ରିଜୋଲ୍ୟୁସନ, ଗୋଶାଳା ସପକ୍ଷରେ କଟାଉଥିବା ପାଉତି ଓ ପୂର୍ବ ୩ବର୍ଷର ଅଡ଼ିଟ ରିପୋର୍ଟ ୭ଦିନ ମଧ୍ୟରେ ଦାଖଲ କରିବାକୁ କହିଥିଲେ । ଯାହାକି ଅଢ଼େଇ ବର୍ଷ ବିତିଯାଇଥିଲେ ମଧ୍ୟ ଦାଖଲ ହୋଇନଥିବା ଜଣାପଡ଼ିଛି । ପୁନର୍ବାର ପୌର ନିର୍ବାହୀ ଅଧିକାରୀ ଗତବର୍ଷ ଜାନୁଆରୀ ୩୦ତାରିଖ ଗୋଶାଳା ସମ୍ପାଦକଙ୍କୁ ଅନୁରୂପ ପତ୍ର(୧୪୨୨) ଲେଖି ଓଡ଼ିଶା ପୌର ନିୟମକୁ ଉଲଂଘନ କରି ଜାରୀ ରଖିଥିବା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ବିନା ଅନୁମତିରେ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଭଦ୍ରକ ମାଷ୍ଟର ପ୍ଲାନ ଅଂଚଳରେ ବିନାନୁମତିରେ ନିର୍ମାଣ କାର୍ଯ୍ୟ ବେଆଇନ ଦର୍ଶାଇ ଏସପିଏ ଗୋଶାଳା ସମ୍ପାଦକଙ୍କୁ ୨୦୧୮ ମସିହା ଜାନୁଆରୀ ୨୫ ତାରିଖ ପତ୍ର ଲେଖି ବେଆଇନ ବେଆଇନ ନିର୍ମାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହ ୧୫ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଜାରୀ କରିଥିଲେ । କିନ୍ତୁ ପୌର ଓ ସ୍ୱତନ୍ତ୍ର ଟାଉନ ପ୍ଲାନିଂ ଅଥରିଟିଙ୍କୁ କୌଣସି ଉତର ଦେବା ପରିବର୍ତେ ସେମାନଙ୍କ ନିର୍ଦ୍ଦେଶକୁ ଅବମାନନା କରି ଗୋଶାଳା କର୍ତୃପକ୍ଷ ନିର୍ମାଣ କାର୍ଯ୍ୟ ଜାରୀ ରଖିବାରୁ ଶ୍ରୀ ଜେନା ଏଥିନେଇ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇ ଏକ ରିଟ ପିଟିସନ(ଡ଼ବ୍ଲୁ.ପି(ସି) ନଂ୧୨୬୩୫) ଦାଖଲ କରିଥିଲେ । ଉକ୍ତ ମାମଲାରେ ଶ୍ରୀ ଜେନା ଭଦ୍ରକ ପୌର ନିର୍ବାହୀ ଅଧିକାରୀ, ସ୍ୱତନ୍ତ୍ର ପ୍ଲାନିଂ ଅଥରିଟି ଓ ଗୋଶାଳା ସମ୍ପାଦକଙ୍କୁ ପକ୍ଷଭୂକ୍ତ କରିଥିଲେ । ମଠ ସମ୍ପତି ଉପରେ ଗୋ ସମ୍ପଦର ସୁରକ୍ଷା ପାଇଁ ସ୍ଥାପିତ ଏହି ଗୋଶାଳାକୁ ବର୍ତମାନର ଟ୍ରଷ୍ଟ ବୋର୍ଡ଼ ଏହି ସମ୍ପତିକୁ ନିଜର ବ୍ୟବସାୟିକ ସ୍ୱାର୍ଥ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି ବୋଲି ରିଟ୍ରେ ଦର୍ଶାଇଥିଲେ । ଏହା ବ୍ୟତୀତ ଗୋଶାଳା କର୍ତୃପକ୍ଷ ପୌର ଓ ଏସପିଏିଙ୍କ ନିର୍ଦ୍ଦେଶକୁ ମାନୁନଥିବା ମଧ୍ୟ ଦର୍ଶାଇଥିଲେ । ଯାହାକି ସମ୍ପୂର୍ଣ୍ଣ ବେଆଇନ ବୋଲି ନିଜ ରିଟ୍ରେ ଦର୍ଶାଇଥିଲେ । ତେବେ ମାନ୍ୟବର କୋର୍ଟ ଉକ୍ତ ମାମଲାର ବିଚାର କରି ଚଳିତ ବର୍ଷ ଜୁଲାଇ ୨୯ ତାରିଖ ରାୟ ଶୁଣାଇଥିଲେ । ନିଜୟ ରାୟରେ କୋର୍ଟ ୨ସପ୍ତାହ ମଧ୍ୟରେ ପୂର୍ବରୁ ଦିଆଯାଇଥିବା ବିଭାଗୀୟ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଏସପିଏଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଭଦ୍ରକ ଏସପିଏ ପୌର ନିର୍ବାହୀ ଅଧିକାରୀଙ୍କୁ ନିଜ ପତ୍ରାଙ୍କ ୧୪୬୭/୧୭.୮.୧୯ ମୂଳେ ଓଡ଼ିଶା ଟାଉନ ପ୍ଲାନିଂ ନିୟମ ଅନୁଯାୟୀ କେବଳ ଜରିମାନା କରିବାର କ୍ଷମତା ତାଙ୍କର ରହିଛି ଓ ବେଆଇନ ନିର୍ମାଣ ବନ୍ଦ ପ୍ରସଙ୍ଗରେ ପୌର କର୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେବାକୁ ପତ୍ର ଲେଖି ଚୁପ ବସିଯାଇଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ଇତିମଧ୍ୟରେ ୨ମାସ ବିତିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରିନି । ତେବେ ପୌର ପ୍ରଶାସକ ତଥା ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।
Related Stories
October 25, 2024