ତେହେରାନ୍/ୱାଶିଂଟନ୍: ହରମୁଜ୍ ଷ୍ଟ୍ରେଟ୍ ଉପରେ ଆମେରିକା ଏବଂ ଇରାନ ମଧ୍ୟରେ ଆଧିପତ୍ୟ ଯୁଦ୍ଧ ପୁଣିଥରେ ପଶ୍ଚିମ ଏସିଆର ପରିସ୍ଥିତିକୁ ଆହୁରି ଖରାପ କରିଦେଇଛି। ଆମେରିକା ସେନା ଦକ୍ଷିଣ ଇରାନ ଉପରେ ନୂଆ ଆକ୍ରମଣ କରିଛି। ବନ୍ଦର ସହର ଯଥା ବନ୍ଦର ଆବ୍ବାସ, ସିରିକ ଏବଂ ଜାସ୍କ ତଥା କେଶମ ଦ୍ୱୀପରେ ପ୍ରବଳ ବିସ୍ଫୋରଣ ଘଟିଛି। ଗୋଟିଏ ଦିନ ପୂର୍ବରୁ ଆମେରିକା ସେନା ଇରାନରେ ଅତି କମରେ 140ଟି ଲକ୍ଷ୍ୟ ଉପରେ ଆକ୍ରମଣ କରିଛି। ଏହାର ଜବାବରେ ତେହେରାନ୍ ବାହାରିନ, କୁଏତ, ଓମାନ, କତାର ଏବଂ ଜୋର୍ଡାନ ଉପରେ ପ୍ରତିଶୋଧମୂଳକ ଆକ୍ରମଣ କରିଥିଲା।
ସି. ଏନ୍. ଏନ୍., ଅଲ୍ ଜଜିରା ଏବଂ ଆଇ. ଆର୍. ଏନ୍. ଏ. ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ହରମୁଜ୍ ଷ୍ଟ୍ରେଟ୍ ଖୋଲା ଅଛି। ଇରାନର ପାରସ୍ୟ ଉପସାଗରୀୟ ଷ୍ଟ୍ରେଟ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ସ୍ଥିରତା ଏବଂ ଶାନ୍ତି ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ସେଠାରୁ ଗତି କରିବାକୁ ଅନୁମତି ନାହିଁ।
ଏହି ସପ୍ତାହ ଶେଷରେ ଆରମ୍ଭ ହୋଇଥିବା ନୂତନ ସଂଘର୍ଷ ଦୁଇ ଦେଶ ମଧ୍ୟରେ କୂଟନୈତିକ ଉତ୍ତେଜନାକୁ ବୃଦ୍ଧି କରିଛି।
ଆମେରିକାର ଜଣେ ସାମରିକ ମୁଖପାତ୍ର କହିଛନ୍ତି ଯେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ (ଆଇଆରଜିସି) ଜଳପଥରେ ଅନ୍ୟ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲା। ତେଣୁ ଏକ ନୂତନ ଆକ୍ରମଣ ଆରମ୍ଭ କରାଯାଇଥିଲା | ଆମେରିକାର ସହଯୋଗୀମାନେ କହିଛନ୍ତି ଯେ ସେମାନେ ସପ୍ତାହ ଶେଷରେ ଇରାନୀୟ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ଏହି ଦେଶଗୁଡ଼ିକ ମଧ୍ୟରେ କୁଏତ, ଓମାନ, ଜୋର୍ଡାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ପ୍ରମୁଖ। ଆମେରିକା ଦାବି କରୁଛି ଯେ ଆଇ. ଆର୍. ଜି. ସି. ହରମୁଜରେ ଜାହାଜଗୁଡ଼ିକ ଉପରେ କ୍ରମାଗତ ଭାବେ ଗୁଳିଚାଳନା କରୁଛି।
ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡର ମୁଖପାତ୍ର କ୍ୟାପ୍ଟେନ୍ ଟିମ୍ ହକିନ୍ସ କହିଛନ୍ତି ଯେ ଏକ ଇରାନୀୟ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଏକ ତରଫା ଆକ୍ରମଣକାରୀ ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଛି। ସେ କହିଥିଲେ ଯେ ଇରାନର ସାମରିକ ସାମର୍ଥ୍ୟକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଆମେରିକା ଏହି ଆକ୍ରମଣ କରିଛି। ଇରାନର ଖୁଜେସ୍ତାନ ପ୍ରଦେଶର ଡେପୁଟି ଗଭର୍ଣ୍ଣର ଭାଲିଓଲ୍ଲା ହାୟାତି କହିଛନ୍ତି ଯେ ଆଜି ସକାଳେ ମହଶହରର ଏକ କୃଷି ଜଳସେଚନ ପମ୍ପ ଷ୍ଟେସନରେ କ୍ଷେପଣାସ୍ତ୍ର ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି।
