ଅଲିପୁରଦ୍ଵାର– ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ-୨୦୨୬ରେ ଅନୁପ୍ରବେଶ ପ୍ରସଙ୍ଗ ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ଥିଲା । ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏହି ପ୍ରସଙ୍ଗ ଉଠାଇଥିଲେ ଏବଂ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସେମାନଙ୍କ ଦେଶକୁ ପଠାଯିବା କଥା କୁହାଯାଇଥିଲା । ରାଜ୍ୟରେ ସରକାର ଗଠନ ହେବା ପରେ ଏବେ ଏହି ଦିଗରେ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ ହେଉଥିବା ଜଣାପଡ଼ିଛି ।
ଏହି କ୍ରମରେ ଅଲିପୁରଦ୍ୱାର ଜିଲ୍ଲାରେ ପୋଲିସ ଅନୁପ୍ରବେଶକାରୀଙ୍କୁ ଖୋଜିବା ଆରମ୍ଭ କରିଛି । ଏହା ଅଧୀନରେ ଏସ୍. ଆଇ. ଆର. ପ୍ରକ୍ରିୟାରେ ଯେଉଁ ଭୋଟରଙ୍କ ନାମ ଭୋଟର ତାଲିକାରୁ ହଟାଇ ଦିଆଯାଇଛି, ପୋଲିସ ସେମାନଙ୍କ ଘରକୁ ଯାଇ ସୂଚନା ସଂଗ୍ରହ କରୁଛି । ଗତ ଏକ ସପ୍ତାହ ଧରି ଏହି ଅଭିଯାନ ଜାରି ରହିଛି । ତେବେ ଏପର୍ଯ୍ୟନ୍ତ କୌଣସି ଅନୁପ୍ରବେଶକାରୀଙ୍କୁ ଠାବ କରାଯାଇନାହିଁ । ପୋଲିସ ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ, ଏହି ପ୍ରକ୍ରିୟା ମାଧ୍ୟମରେ ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରିବା ସମ୍ଭବ । ଏଥିସହ, ଏହି ଅଂଚଳରେ ଉପସ୍ଥିତ ଥିବା ସୂଚନାଦାତାମାନଙ୍କୁ ସକ୍ରିୟ କରାଯାଇଛି, ଯେଉଁମାନେ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ଥାନାକୁ ସୂଚନା ଦେଉଛନ୍ତି ।
ଅଲିପୁରଦ୍ୱାରର ପୋଲିସ ଅଧୀକ୍ଷକ ଅମିତ କୁମାର ସାହୁ କହିଛନ୍ତି, “ଡିଲିଟ୍ ହୋଇଥିବା ସମସ୍ତ ଭୋଟରଙ୍କ ଘରକୁ ପୋଲିସ ଯାଉନାହିଁ । କେବଳ ଯେଉଁମାନେ ଟ୍ରିବ୍ୟୁନାଲରେ ଆବେଦନ କରିନାହାଁନ୍ତି ସେମାନଙ୍କୁ ଯୋଗାଯୋଗ କରାଯାଉଛି ।
ଉଲ୍ଲେଖନୀୟ କଥା ହେଉଛି, ନିର୍ବାଚନ ପୂର୍ବରୁ ଏସ୍. ଆଇ. ଆର. ପ୍ରକ୍ରିୟା ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା । ଭୋଟର ତାଲିକାରୁ ନାମ ହଟାଯିବା ବିରୋଧରେ ରାଜନୈତିକ ଦଳଗୁଡ଼ିକ ମଧ୍ୟ ଆନ୍ଦୋଳନ କରିଥିଲେ । ଅଲିପୁରଦ୍ୱାର ଜିଲ୍ଲାରେ ପ୍ରାୟ ୮୦ ହଜାର ଭୋଟରଙ୍କ ନାମ ଯାଂଚ୍ କରାଯାଇଥିଲା, ଯେଉଁଥିରୁ ପ୍ରାୟ ୩୬ ହଜାର ନାମ ବାତିଲ୍ କରାଯାଇଥିଲା । ଏହି ଲୋକମାନଙ୍କ ମଧ୍ୟରୁ ଅନେକ ପୁନର୍ବିଚାର ପାଇଁ ଟ୍ରିବ୍ୟୁନାଲକୁ ଆବେଦନ କରିଥିଲେ ।
ଜିଲ୍ଲା ପୋଲିସ ଡିଲିଟ ହୋଇଥିବା ଭୋଟରଙ୍କ ତାଲିକା ଥାନା ସ୍ତରକୁ ପଠାଇଛି ଏବଂ ସେହି ଆଧାରରେ ତଦନ୍ତ ଚାଲିଛି । ବିଶେଷ କରି, ଯେଉଁମାନେ ଟ୍ରିବ୍ୟୁନାଲରେ ଆବେଦନ କରିନାହାଁନ୍ତି ସେମାନଙ୍କ ବିଷୟରେ ସୂଚନା ଖୋଜାଯାଉଛି । ସେମାନଙ୍କର ଡକ୍ୟୁମେଂଟ ଏବଂ ନାମ କାଟିବାର କାରଣ ମଧ୍ୟ ଅନୁସନ୍ଧାନ କରାଯାଉଛି ।
