ୱାଶିଂଟନ– ଆମେରିକାରେ ସରକାରୀ ସଟଡାଉନ୍ ଟାଳିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ସେନେଟ୍ର ଡେମୋକ୍ରାଟ୍ମାନେ ଗୁରୁବାର ବୁଝାମଣାରେ ପହଞ୍ଚିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଓ ସେନେଟ୍ର ଅଳ୍ପସଂଖ୍ୟକ ନେତା ଚକ୍ ଶୁମରଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଛି।
ଏହି ବୁଝାମଣା ଅନୁସାରେ, ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗକୁ ଛାଡ଼ି ସେପ୍ଟେମ୍ବର ପର୍ଯ୍ୟନ୍ତ ଅନ୍ୟ ସମସ୍ତ ସରକାରୀ ବିଭାଗକୁ ଅର୍ଥ ସହାୟତା ମିଳିବ। ବୁଝାମଣା ସହ ଜଡିତ ପାଞ୍ଚଟି ସୂତ୍ର ଅନୁଯାୟୀ, ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ଦୁଇ ସପ୍ତାହର ଏକ ଷ୍ଟପ୍ଗ୍ୟାପ୍ ବିଲ୍ ଉପରେ କାମ କରିବ।
ଏହାର ଉଦ୍ଦେଶ୍ୟ ହେଉଛି ମିନିଆପୋଲିସ୍ରେ ଦୁଇଜଣ ଆମେରିକୀୟ ନାଗରିକଙ୍କ ହତ୍ୟା ପରେ ସାଧାରଣ ଲୋକଙ୍କ ରୋଷ ଦେଖାଦେବା ପରିପ୍ରେକ୍ଷିରେ ଡେମୋକ୍ରାଟ୍ମାନଙ୍କ ଦାବି ଉପରେ ଆଲୋଚନା ପାଇଁ ସମୟ ମିଳିବା।
ଏନ୍ବିସି ନ୍ୟୁଜ୍ର ଏକ ରିପୋର୍ଟ ଅନୁସାରେ, ଏହି ଫଣ୍ଡିଂ ବୁଝାମଣା ଉପରେ ସେନେଟ୍ରେ ଗୁରୁବାର ରାତିରେ ଭୋଟିଂ ହୋଇପାରେ। ଯଦି ଏହି ବୁଝାମଣା ସଫଳ ନ ହୁଏ, ତେବେ ଶନିବାର ଅଧିରାତ୍ରି ପରେ ଅନେକ ସରକାରୀ ଏଜେନ୍ସୀ ପାଇଁ ଅର୍ଥ ସହାୟତା ଅସ୍ଥାୟୀ ଭାବେ ବନ୍ଦ ହୋଇଯିବ।
ଯଦି ଏହି ବୁଝାମଣା ଉପରେ ଉଭୟ ସଦନର ମୋହର ଲାଗିଯାଏ, ତେବେ ଏହାର ପ୍ରଭାବ କମ୍ ହେବାର ଆଶା କରାଯାଉଛି, କାରଣ ଅଧିକାଂଶ ଫେଡେରାଲ୍ କର୍ମଚାରୀ ସପ୍ତାହାନ୍ତରେ କାମ କରନ୍ତି ନାହିଁ। ରାଷ୍ଟ୍ରପତି ଉଭୟ ପକ୍ଷର ସାଂସଦମାନଙ୍କୁ ଏହି ଦ୍ୱିଦଳୀୟ ବୁଝାମଣାର ପକ୍ଷରେ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି।
