ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କୃତଜ୍ଞ ଦେଶ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କୁ ନମନ କରି ତାଙ୍କର ସ୍ୱଦେଶୀ ଆନ୍ଦୋଳନକୁ ଆତ୍ମନିର୍ଭର ଭାରତର ଆଧାର ସ୍ତମ୍ଭ ବୋଲି କହିଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟ ଗାନ୍ଧୀଜୀଙ୍କୁ ସତ୍ୟ ଓ ଅହିଂସାର ପୂଜାରୀ ବୋଲି ବର୍ଣ୍ଣନା କରି ତାଙ୍କୁ ପୁଣ୍ୟସ୍ମରଣ କରିଛି।
ପ୍ରଧାନମନ୍ତ୍ରୀ ମୋଦି ‘ଏକ୍ସ’ ରେ ଲେଖିଛନ୍ତି,“ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କର ପୁଣ୍ୟତିଥିରେ ମୋର ଶତ-ଶତ ନମନ। ପୂଜ୍ୟ ବାପୁ ସର୍ବଦା ସ୍ୱଦେଶୀ ଉପରେ ଜୋର ଦେଇଥିଲେ, ଯାହା ଆମର ବିକଶିତ ଏବଂ ଆତ୍ମନିର୍ଭର ଭାରତର ସଙ୍କଳ୍ପର ମଧ୍ୟ ଆଧାର ସ୍ତମ୍ଭ ଅଟେ। ତାଙ୍କର ବ୍ୟକ୍ତିତ୍ୱ ଓ କୃତିତ୍ୱ ଦେଶବାସୀଙ୍କୁ କର୍ତ୍ତବ୍ୟ ପଥରେ ଚାଲିବାକୁ ସଦା ପ୍ରେରିତ କରୁଥିବ।”
ସେ ଆଉ ଏକ ପୋଷ୍ଟରେ ଲେଖିଛନ୍ତି,“ପୂଜ୍ୟ ବାପୁ ମାନବତାର ସୁରକ୍ଷା ପାଇଁ ସର୍ବଦା ଅହିଂସା ଉପରେ ଜୋର ଦେଇଥିଲେ। ଅହିଂସାରେ ଏମିତି ଶକ୍ତି ରହିଛି, ଯାହା ଅସ୍ତ୍ର ବିନା ମଧ୍ୟ ସାରା ପୃଥିବୀକୁ ପରିବର୍ତ୍ତନ କରିପାରେ।”
ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୋଟିଏ ଶ୍ଲୋକ ମଧ୍ୟ ସେୟାର କରିଛନ୍ତି—
“ଅହିଂସା ପରମୋ ଧର୍ମସ୍ତଥାଽହିଂସା ପରନ୍ତପଃ।
ଅହିଂସା ପରମଂ ସତ୍ୟଂ ଯତୋ ଧର୍ମଃ ପ୍ରବର୍ତ୍ତତେ॥”
ଭାରତୀୟ ଜନତା ପାର୍ଟି ‘ଏକ୍ସ’ ରେ ଲେଖିଛି,“ସାରା ବିଶ୍ୱକୁ ସତ୍ୟ ଓ ଅହିଂସାର ଶାଶ୍ୱତ ବାର୍ତ୍ତା ଦେଇଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ କୋଟି-କୋଟି ନମନ।”
