ଡରବନ– ଦକ୍ଷିଣ ଆଫ୍ରିକାର ଡର୍ବାନ ନିକଟରେ ଗୁରୁବାର ସକାଳେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ଶିଶୁ ସହିତ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା କ୍ୱାଜୁଲୁ-ନାଟାଲ ପ୍ରଦେଶରେ ଘଟିଛି। ସୂଚନା ମିଳିବା ସହିତେ ରେସକ୍ୟୁ ଓ ଉଦ୍ଧାର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।
‘ଦ ସାଉଥ୍ ଆଫ୍ରିକନ୍’ର ରିପୋର୍ଟ ଅନୁଯାୟୀ, ଏକ ଟ୍ରକ୍ ଏବଂ ଏକ ମିନି ବସ୍ର ସାମ୍ନାସାମ୍ନି ଧକ୍କା ହେବାରୁ ୧୧ ଜଣଙ୍କର ପ୍ରାଣ ଚାଲିଯାଇଛି। ଅନେକ ଅନ୍ୟ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେଇଯାଇଛି। ଅନେକ ଲୋକ ଏଯାଏଁ ମଧ୍ୟ ମିନି ବସ୍ ଭିତରେ ଫସିଥିବା ଖବର ମିଳିଛି।
‘ସ୍କାୟ ନ୍ୟୁଜ୍’ର ରିପୋର୍ଟ ଅନୁସାରେ, ସ୍ଥାନୀୟ ପରିବହନ ବିଭାଗର ଅଧିକାରୀ ସିବୋନିସୋ ଡୁମା ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା କଥା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ମୃତକମାନଙ୍କ ମଧ୍ୟରେ ଗୋଟିଏ ଶିଶୁ ମଧ୍ୟ ଅଛି। ଆହତମାନଙ୍କ ମଧ୍ୟରେ ମିନି ବସ୍ର ଚାଳକ ମଧ୍ୟ ଅଛନ୍ତି। ଏହି ଘଟଣାର ଏକ ସପ୍ତାହ ପୂର୍ବରୁ ଜୋହାନେସବର୍ଗରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ୧୪ ଜଣ ସ୍କୁଲ୍ ଶିଶୁଙ୍କର ମୃତ୍ୟୁ ହୋଇଥିଲା।
