ମୁଖ୍ୟଅତିଥି ଭାବରେ କଂଟାମାଳ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହିଧର ରଣା ଯୋଗଦେଇ ଦ୍ୱିତିୟ ଲୋକ ମହୋତ୍ସବକୁ ଉଦଘାଟନ କରିବା ସହିତ ଏହି ଉତ୍ସବ ଅଂଚଳରେ ଭାଇଚାରା ସୃଷ୍ଟି କରିବା ସହିତ ଲୋକ କଳା ସଂସ୍କୃତିର ବାର୍ତାବହ ହେଉ ବୋଲି ମତପ୍ରକାଶ କରିଥିଲେ । ବାଉଁଶୁଣୀ ସାଂସ୍କୃତିକ ପରିଷଦର ଆବହାକ ଡ. ପ୍ରିୟବ୍ରତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଜିଲ୍ଳାପାଳ ଲଲାଟେନ୍ଦୁ ମିଶ୍ର ଓ ଜିଲା ଆରକ୍ଷୀ ଅଧିକ୍ଷକ ଭି. ରଘୁନାଥ ରାଓ ଓ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାଶ ପ୍ରମୁଖ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ବାଉଁଶୁଣୀ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି ଲୋକ ମହୋତ୍ସବ ୫ ଦିନ ଧରି ହେବାକୁଥିବାବେଳେ ପ୍ରଥମ ଦିବସରେ ମା ମହେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ସାଂସ୍କୃତିକ ମଶାଲ ବାହାରି ମହୋତ୍ସବ ପଡିଆକୁ ଆସିଥିଲା । ମଂଚ ପୂଜନ ପରେ ସାଂସ୍କୃତିକ ମଶାଲକୁ ସ୍ଥାପନ କରାଯାଇଥିଲା ।
ଏହି ଅବସରରେ ଜିଲାପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ଭୋଇ,କମିଟି ସଭାପତି କୃଷ୍ଣ ଚନ୍ଦ୍ର ମିଶ୍ର,ବାଉଁଶୁଣୀ ହାଇସ୍କୁଲ ପ୍ରଧାନଶିକ୍ଷକ ଧନେଶ୍ୱର ମଣ୍ଡଳ,ସୁରଭିର ପ୍ରତିଷ୍ଠାତା ଦାମୋଦର ସାହୁ,ନାଗରିକ କମିଟି ସଭାପତି ଘମୁଡୁ ଦନ୍ତା ଓ ଥାନା ଅଧିକାରୀ ରାମ ସୁବ୍ରମଣ୍ୟମ ପ୍ରଧାନ ପ୍ରମୁଖ ମଂଚ ପୂଜନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ଜିଲ୍ଳା ଓ ଜିଲ୍ଳା ବାହାରର କଳାକାରମାନଙ୍କ ଦ୍ୱାରା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ । ସାଂସ୍କୃତିକ ପରିଷଦର ସଂପାଦକ ସୀତାକାନ୍ତ ସିଂ ବିବରଣୀ ପାଠ କରିଥିବାବେଳେ ଚକ୍ରଧର ମେହେର ମଂଚ ପରିଚାଳନା କରିଥିଲେ । ସ୍ଥାନୀୟ ବୀଣାଭାରତୀ ଆବାସିକ ବିଦ୍ୟାଳୟର ଛାତ୍ରୀମାନେ ଉଦଘାଟନୀ ସଙ୍ଗୀତ ଗାନ କରିଥିଲେ ।