ବରଗଡ଼– ଗୁରୁ ପିତା, ଗୁରୁ ମାତା, ଗୁରୁ ହିଁ ସକଳ ଦେବତା । ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ମହେଶ୍ୱର । ଗୁରୁଙ୍କ ଆଶୀର୍ବାଦ ବିନା ଜୀବନ ନିରର୍ଥକ । ତେଣୁ ଗୁରୁ ହିଁ ଅଗ୍ରପୂଜ୍ୟ ଓ ଚିରନମସ୍ୟ ବୋଲି ରାଣା ପ୍ରତାପ ସ୍କୁଲ ଠାରେ ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଗୁରୁ ଦିବସ ଉପଲକ୍ଷେ ଅନୁଷ୍ଠିତ “ତସ୍ମେଇ ଶ୍ରୀ ଗୁରବେ ନମଃ”ଏକ ସ୍ଵତନ୍ତ୍ର ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି ।
ଶିଶୁ ସାହିତ୍ୟ ସଂସଦର ସଭାନେତ୍ରୀ ଛାତ୍ରୀ ରେଣୁକା ଭୋଇଙ୍କ ଅଧ୍ୟକ୍ଷତାରେ ଗୁରୁ ଦିବସ ପାଳନ ଗୋଟିଏ ଦିନ ପୂର୍ବରୁ ଆୟୋଜିତ ଏହି ଆଲୋଚନାଚକ୍ରରେ ବିଶିଷ୍ଟ ସଂକୀର୍ତନ ଗୁରୁ ପ୍ରମୋଦ ଦାଶ, ଗୁରୁ ମନୋରଞ୍ଜନ ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦିବ୍ୟକାନ୍ତି ଭୋଇ, ମୀନା ପଣ୍ଡା, ଶିକ୍ଷୟିତ୍ରୀ ସୁନୀତା ମିଶ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଜୀବନକୁ ଆଲୋକିତ କରିବା ପାଇଁ ଗୁରୁ ହିଁ ଆଲୋକ ବର୍ତିକା ବୋଲି ଉଲ୍ଲେଖ କରି ସାହିତ୍ୟ ସଂସଦର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ।
ଏହି ଅବସରରେ ଗୁରୁ ପ୍ରମୋଦ ଦାଶଙ୍କ ଗୁରୁ ବନ୍ଦନା ଗାନରେ ଛାତ୍ରଛାତ୍ରୀ ମନ୍ତ୍ରମୁଗ୍ଧ ହୋଇ ଯାଇଥିଲେ । ଆଲୋଚନାରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଗୁରୁ କିପରି ଜୀବନର ପଥପ୍ରଦର୍ଶକ ସେ ବିଷୟରେ ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିବାବେଳେ ପରିଶେଷରେ ସମ୍ପାଦିକା ଅଶ୍ଳେଷା ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।