ନୂଆଦିଲ୍ଲୀ– କର୍ଣ୍ଣାଟକର ରାଜ୍ୟପାଳ ଥାଭରଚନ୍ଦ ଗେହଲଟ ଏମୟୁଡିଏ ଜମି ଘୋଟାଲାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମକଦ୍ଦମା ଚଳାଇବା ପାଇଁ ମଂଜୁରୀ ପ୍ରଦାନ କରିଛନ୍ତି । ବିଜେପି ଓ ଜେଡିଏସର ଅଭିଯୋଗ ଯେ, 1998 ମସିହାରୁ ନେଇ 2023 ଯାଏ ସିଦ୍ଧରମୈୟା ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପଦରେ ଥିଲେ ଏବଂ ସେ ନିଜ ପ୍ରଭାବର ବ୍ୟବହାର କରିଛନ୍ତି । ତେବେ ସିଦ୍ଧରମୈୟା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ସୂଚନାଯୋଗ୍ୟ, ସିଦ୍ଧରମୈୟାଙ୍କ ପତ୍ନୀ ପାର୍ବତୀଙ୍କ ପାଖରେ ମହୀଶୂରର କେସାରୀ ଗାଁରେ ତିନି ଏକର ଜମି ଥିଲା । ଏହି ଜମି ମହୀଶୁରର ସହରୀ ବିକାଶ ପ୍ରାଧିକରଣ ବିକାଶ ପାଇଁ ନେଇଥିଲା । କ୍ଷତିପୂରଣ ବାବଦକୁ ତାଙ୍କ ପତ୍ନୀଙ୍କୁ ମହୀଶୂରର ଏକ ମହଙ୍ଗା ଅଂଚଳରେ ଜମି ଦିଆଯାଇଥିଲା । ଏଭଳି ଅଭିଯୋଗ ହୋଇଛି ଯେ, ପାର୍ବତୀଙ୍କ ଦିଆଯାଇଥିବା ଜମିର ମୂଲ୍ୟ ଏମୟୁଡିଏ ଦ୍ୱାରା ନିଆଯାଇଥିବା ଜମି ମୂଲ୍ୟଠାରୁ ଅନେକ ଅଧିକା ।