
କୋଲକାତା /ଭୁବନେଶ୍ୱର, ଓଡିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଟକ ଓ ଭୁବନେଶ୍ୱର ଗସ୍ତ କରି ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତଙ୍କୁ ଭେଟିବା ସହ ପ୍ରଭାବିତଙ୍କୁ ସହାୟତା ରାଶି ପ୍ରଦାନ କରିବେ ବୋଲି ସୂଚନା ମିଳିଛି ।
ସୋମବାର ଦିନ ମମତା ବାନାର୍ଜୀ କହିଛନ୍ତି, କଟକରେ ପଶ୍ଚିମବଙ୍ଗର ୫୩ ଜଣ ଆହତ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିବାକୁ କାଲି କଟକ ଯିବି । ସେଠାରୁ ଭୁବନେଶ୍ୱର ମଧ୍ୟ ଯିବି ଓ ଚିକିତ୍ସା ବ୍ୟବସ୍ଥା ନେଇ କଥା ହେବି ।
ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗର ଯେଉଁମାନେ ପ୍ରାଣ ହରାଇଛନ୍ତି, ସେମାନଙ୍କ ପରିବାରର ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ସ୍ପେଶାଲ ହୋମଗାର୍ଡ ଚାକିରି ଦିଆଯିବ । ଏହା ସହିତ ସେମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ଯେଉଁମାନେ ଏହି ଦୁର୍ଘଟଣାରେ ସଂପୂର୍ଣ୍ଣ ଅକ୍ଷମ ହୋଇଯାଇଥିବେ ସେମାନଙ୍କ ପରିବାରର ଜଣେ ବ୍ୟକ୍ତିଙ୍କୁ ହୋମଗାର୍ଡ ଚାକିରି ଦିଆଯିବ । ଆହତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ସାମାନ୍ୟ ଆହତଙ୍କୁ ୫୦ ଓ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଆହତ ନହୋଇଥିଲେ ମଧ୍ୟ ମାନସିକ ଆଘାତ ପାଇଥିବା ଯାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦିଆଯିବ । ସେହିପରି ସମସ୍ତ ମୃତାହତଙ୍କ ପରିବାରକୁ ମାଗଣା ରାସନ ଦିଆଯିବ ।