ଭୁବନେଶ୍ୱର, ଓଡ଼ିଶା କୋଭିଡ୍ ଟିକାକରଣରେ ମାଇଲଖୁଂଟ ଅତିକ୍ରମ କରିଛି ।ଏବେ ସୁଦ୍ଧା ଓଡ଼ିଶାରେ ୪ କୋଟି ୩ ଲକ୍ଷ ଟିକାକରଣ ହୋଇଛି । ଟିକାକରଣରେ ଓଡିଶା ଜାତୀୟ ହାର ଠାରୁ ମଧ୍ୟ ଆଗରେ ଅଛି । ପ୍ରଥମ ଡୋଜ୍ ଦେବାରେ ଜାତୀୟ ହାର ୭୯.୮% ରହିଥିବା ବେଳେ ରାଜ୍ୟରେ ଏହା ୮୨.୪% । ସେହିପରି ଦ୍ୱିତୀୟ ଡୋଜ୍ ଦେବାରେ ଜାତୀୟ ହାର ୩୮.୪% ରହିଥିବା ବେଳେ ରାଜ୍ୟ ହାର ୪୧.୫% ରହିଛି ।ଏହା ବ୍ୟତୀତ ଟିକା ନଷ୍ଟ ହାର ମାଇନସ୍ ୫.୩ ପ୍ରତିଶତ ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
କୋଭିଡ୍ ଟିକାକରଣକୁ ନେଇ ମଙ୍ଗଳବାର ଦିନ ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଦିଆଯାଇଥିବା ସୂଚନା ଅନୁଯାୟୀ ରାଜ୍ୟରେ ଏପର୍ଯ୍ୟନ୍ତ ୨କୋଟି ୬୮ ଲକ୍ଷ ୪ହଜାର୭୫୫ ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇଛି । ୧ କୋଟି ୩୪ ଲକ୍ଷ ୯୬ହଜାର ୫୯ ଜଣ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ଟିକାକରଣର ଜାତୀୟ ହାର ଅପେକ୍ଷା ରାଜ୍ୟ ହାର ଅଧିକ ରହିଛି । ଏହି ସୂଚନା ମିଳିଛି । ପ୍ରଥମ ଡୋଜ୍ ଟିକାକରଣରେ ଜାତୀୟ ହାର ୭୯.୮ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ପ୍ରଥମ ଡୋଜ୍ ଟିକାକରଣ ହାର ରହିଛି ୮୨.୪ ପ୍ରତିଶତ । ସେହିପରି ଦ୍ୱିତୀୟ ଡୋଜ୍ ଟିକାକରଣରେ ଜାତୀୟ ହାର ୩୮.୪ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୪୧.୫ ପ୍ରତିଶତରହିଛି । ନଭେମ୍ବର ୩୦ ସୁଦ୍ଧା ୯୦ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍ ଟିକାକରଣ ଲକ୍ଷ୍ୟ ରଖାଯାଇଛି ।
ଅନ୍ୟ ପକ୍ଷରେ ଟିକାର ଅପଚୟ ରାଜ୍ୟରେ ବହୁତ କମ୍ ହୋଇଥିବାରୁ ଏହାକୁ ପ୍ରଶଂସା କରିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ । ରାଜ୍ୟରେ ଟିକାର ପରିବହନକୁ ଅତ୍ୟନ୍ତ ବ୍ୟବସ୍ଥିତ ଢଙ୍ଗରେ କରାଯାଇଥିବାରୁ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ କୁଶଳ ଟିକାକରଣ ଯୋଗୁଁ ରାଜ୍ୟରେ ଟିକାର ଅପଚୟ କମ୍ ହୋଇଥିବା ସେ କହିଛନ୍ତି । ରାଜ୍ୟରେ ମାଇନସ୍ ୫.୩ ପ୍ରତିଶତ ଟିକା ନଷ୍ଟ ହୋଇଛି । ରାଜ୍ୟ ପ୍ରାୟ ୨୦ ଲକ୍ଷ କରୋନା ଡୋଜ୍ ର ଅପଚୟକୁ ରୋକିପାରିଛି ।