
ଭଦ୍ରକ – ଏହି ଜିଲାର ଧାମନଗର ବ୍ଲକ୍ର କୋରୁଆସ୍ଥିତ ବରଗଡା ସେବା ସମବାୟ ସମିତିରେ ଚାଷୀମାନେ ତାଲା ପକାଇଛନ୍ତି। ଧାନବିକ୍ରି ଅର୍ଥ ନପାଇବା ପ୍ରତିବାଦରେ ଚାଷୀମାନେ ଏଭଳି ପଦକ୍ଷେପ ନେଇଥିବାର ଜଣାଯାଇଛି। ଏହି ଘଟଣାକୁ ନେଇ ଚାପା ଉେଜନା ପ୍ରକାଶ ପାଇବା ପରେ ଶେଷରେ ସନ୍ଧ୍ୟାରେ ସମିତି କାର୍ଯ୍ୟାଳୟରୁ ତାଲା ଖୋଲାଯାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ସମବାୟ ସମିତି ଅଧୀନରେ ଥିବା ଗୋବିନ୍ଦପୁର ପଂଚାୟତର ଇଚ୍ଛାପୁର, କୋରୁଆ, ଗୋବିନ୍ଦପୁର, ଖାରିଜିକୋରୁଆ, କଷଟି, ବରଗଡା, ଅଜମତପୁର ଭଳି ଗ୍ରାମର ଶତାଧିକ ଚାଷୀ ସରକାରଙ୍କ ନିଦ୍ର୍ଧାରିତ ସମୟସୀମା ମଧ୍ଯରେ ଅନ୍ଲାଇନ୍ ମାଧ୍ଯମରେ ଧାନ ଦେଇଥିଲେ। ଧାନ ବିକ୍ରି ବାବଦ ଭେଣ୍ଡର ରସିଦ୍ ମଧ୍ଯ ସମିତି ପକ୍ଷରୁ ଏମାନଙ୍କୁ ମିଳିଥିଲା। ଧାନ ବିକ୍ରି କରିଥିବା ଅଧିକାଂଶ ଚାଷୀ ସେମାନଙ୍କର ଅର୍ଥ ପାଇସାରିଥିବାବେଳେ ୮୦ ଜଣ ଚାଷୀ ତାହା ଏପର୍ଯ୍ୟନ୍ତ ପାଇପାରିନାହାଁନ୍ତି। ଚଳିିତବର୍ଷ ଜାନୁୟାରୀ ଠାରୁ ଏହି ଚାଷୀମାନେ ଧାନ ବିକ୍ରି କରିଥିଲେ ସୁଦ୍ଧା ଅଦ୍ୟାବଧି ସେମାନଙ୍କ ଅର୍ଥ ପାଇନାହାଁନ୍ତି। ଏଥିନେଇ ଚାଷୀମାନେ ସ୍ଥାନୀୟ ସମିତିର ପଦାଧିକାରୀଙ୍କ ସମେତ ବିଭାଗୀୟ ଉଚ୍ଚ କର୍ୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ଯ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାର ଅଭିେଯାଗ ହୋଇଛି। ଧାର ଉଦ୍ଧାର ଓ ଋଣ କରି ଚାଷ କରିଥିବା ଚାଷୀମାନେ ଏବେ ଋଣଭାରରେ ଛନ୍ଦି ହୋଇପଡିଛନ୍ତି। ଏହି ଚାଷୀମାନେ ଅନ୍ୟ ଉପାୟ ନପାଇ ଭଦ୍ରକ ଜିଲାପାଳଙ୍କୁ ଅବଗତ କରିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଦୀର୍ଘଦିନର ଅସନ୍ତୋଷ ଆଜି ପଦାକୁ ଆସିଛି। ନିଜ ପ୍ରାପ୍ୟ ଟଙ୍କା ପାଇନଥିବା ଚାଷୀମାନେ କୋରୁଆସ୍ଥିତ ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ। ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଚାଷୀଙ୍କ ବକେୟା ଅର୍ଥ ପାଇବା ନେଇ ବରଗଡା ସମବାୟ ସମିତିର ସଂପାଦକ ଅଶୋକ ବସନ୍ତିଆ ଓ ସଭାପତି ଶଙ୍କର୍ଷଣ ବେହେରାଙ୍କ ପ୍ରତିକ୍ରିୟା ନିଆଯାଇଥିବାବେଳେ ସେମାନେ ଚାଷୀଙ୍କ ଅଭିେଯାଗକୁ ସ୍ବୀକାର କରି ଏ ବାବଦରେ ସ୍ଥାନୀୟ ସମିତିର କୌଣସି ତ୍ରୁଟି ନଥିବାର କହିଛନ୍ତି। ତେବେ ଚାଷୀଙ୍କ ସମସ୍ୟା ସଂପର୍କରେ ଉଚ୍ଚ କର୍ୃପକ୍ଷଙ୍କୁ ଅବଗତ କରାଯାଇଥିବାବେଳେ ଏ ନେଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଉଭୟ ପଦାଧିକାରୀ କହିଛନ୍ତି।