ନୂଆପଡା- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଚନାବେଡା ପଞ୍ଚାୟତର ରୋହେନପଦର ଗ୍ରାମରେ ଆଦିବାସୀ ବିଧବା ମହିଳା ଧନମତୀ ମାଝୀଙ୍କ ଜମିକୁ ଚଞ୍ଚଳତା କରି ହଡପ ଘଟଣାରେ ୧୯ ତାରିଖ ଠାରୁ ଆମରଣ ଅନଶନରେ ବସିବାକୁ ଚେତାବନୀ ଦିଆଯାଇଛି । ଏନେଇ ରୋହେନପଦର ଗ୍ରାମବାସୀ ଏବଂ ନୂଆପଡା ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ ନୂଆପଡା ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଖଡିଆଳ ତହସିଲଦାର ଏବଂ ଖଡିଆଳ ଥାନାକୁ ଲିଖିତ ଅବଗତ କରାଯାଇଥିବା ସୂଚନା ମିଳିଛି । ସୂଚନମତେ ଖଡିଆଳ ବ୍ଲକର ଚନାବେଡା ପଂଚାୟତର ରୋହେନପଦର ଗ୍ରାମର ସ୍ୱର୍ଗତ ଦୈତାରୀ ମାଝୀଙ୍କ ୨ ଏକର ୧୬ ଡିସମିଲ ଜମିକୁ ଗତ ୨୦୧୭ ମସିହାରେ କୋମନା ଥାନା ସୁନାବେଡା ଗ୍ରାମର ଝାରବନ୍ଧ ମାଝୀଙ୍କ ନାମରେ ଖଡିଆଳ ତହସିଲରେ ରେଜିଷ୍ଟ୍ରି ହୋଇଅଛି । ଚଳିତ ବର୍ଷ ଏପ୍ରିଲ ମାସ ୧୬ ତାରିଖ ଦିନ ଏକ ମ୍ୟୁଟେସନ ନୋଟିସ ଦୈତାରୀ ମାଝୀଙ୍କ ପରିବାରକୁ ଯାଇଥିଲା । ମ୍ୟୁଟେସନ ନୋଟିସ ପାଇଲା ପରେ ପରିବାର ଲୋକେ ଜମିର ଜାଲ ବିକ୍ରୟ ହୋଇଥିବା ଜାଣିବାକୁ ପାଇଥିଲେ । ପରେ ଏନେଇ ଦୈତାରୀଙ୍କ ବିଧବା ସ୍ତ୍ରୀ ଧନମତୀଙ୍କ ସହ ପରିବାର ଲୋକେ ବିରୋଧ କରି ରାଜସ୍ୱ ନୀରିକ୍ଷକ, ତହସିଲାଦାରଙ୍କ ସହ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ତଥାପି କୌଣସି ସୁଫଳ ମିଳିପାରିନଥିଲା । ଏନେଇ ଗତ ୧୪ ତାରିଖ ଠାରୁ ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଙ୍ଗାଧର ମାଝୀଙ୍କ ନେତୃତ୍ୱରେ ଗ୍ରାମବାସୀ ଖଡିଆଳ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏହି ଧାରଣାକୁ ୪ ଦିନ ହୋଇଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏହି ଜାଲ ଜମି ରେଜିଷ୍ଟ୍ରିରେ ଖଡିଆଳ ତହସିଲଦାର, ଅତିରୀକ୍ତ ତହସିଲଦାର, ତହସିଲ କର୍ମଚାରୀ, ଦୁଇଜଣ ସାକ୍ଷି, ଜମିକ୍ରେତା, ଓକିଲଙ୍କ ସଂପୃକ୍ତି ରହିଥିବା ନେଇ ଆମ ଆଦମୀ ପାର୍ଟି ଏବଂ ଧନମତିଙ୍କ ପରିବାର ଲୋକେ ଅଭିଯୋଗ କରି ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ଅନ୍ୟପକ୍ଷରେ ଉକ୍ତ ସମ୍ବଦନଶୀଳ ଘଟଣା ପ୍ରତି କୌଣସି ପ୍ରଶାସନିକ ଅଧିକାରୀଙ୍କ ଆନ୍ତରୀକତା ନଥିବା ଅଭିଯୋଗ କରି ଘଟଣାସ୍ଥଳରେ ଉଚ୍ଚ ଅଧିକାରୀ ତଦନ୍ତ ପାଇଁ ଆସିନଥିବାରୁ କ୍ଷୋଭ ପ୍ରକାଶ କରି ଆସନ୍ତା ୧୯ ତାରିଖରୁ ଆମରଣ ଅନଶନରେ ବସିବାକୁ ଚେତାବନୀ ଦେଇଛନ୍ତି । ଏନେଇ ଉଚ୍ଚ ଅଧିକାରୀ ମାନଙ୍କୁ ମଧ୍ୟ ଜଣାଇ ଦେଇଛନ୍ତି । ଏହି ଆମରଣ ଅନଶନରେ ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଙ୍ଗାଧର ମାଝୀଙ୍କ ସମେତ ଆପ ଓଡିଶା ସମ୍ପାଦକ ଅଂଶୁମାନ ସତପଥି, ଜିଲ୍ଲା ଯୁବ ସଭାପତି ହିତେଶ ପାଣ୍ଡେ, ପ୍ରେମାନନ୍ଦ ମାଝୀ, ଜ୍ୟୋତ୍ସା ମାଝୀ, ନେପୁର ମାଝୀ, ଜନନୀ ମାଝୀ, ହେମନ୍ତୀ ମାଝୀ, ଲିଙ୍ଗରାଜ ମାଝୀ, ଅଭିମନ୍ୟୁ ମାଝୀ, ନିରନ ମାଝୀଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ସାମିଳ ରହି ନିଜର ହକ ଜାହିର କରିବେ ବୋଲି ପ୍ରକାଶ କରିଛନ୍ତି । ଜିଲା ପ୍ରଶାସନ ସହ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ଜମି ଜାଳିଆତି ଘଟଣାର ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଖଡିଆଳ ଅଂଚଳ ବୁଦ୍ଧିଜିବୀ ଦାବୀ କରିଛନ୍ତି ।
Related Stories
November 24, 2024
November 24, 2024