
ରାଉରକେଲା – ସ୍କୁଲ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇବା ବେଳେ ବଣେଇ ବ୍ଲକ ଶିକ୍ଷା ଅଧିକାରୀ ଭିନ୍ନ ତରକାରୀ ସାଗ ଖାଇବା ଘଟଣାରେ ସୁନ୍ଦରଗଡ ଜିଲ୍ଲାପାଳ ବିଇଓଙ୍କୁ ନିଲମ୍ବନ କରିବା ମାମଲାରେ ବିଇଓ ଶ୍ରୀ ବିନୟ ପ୍ରକାଶ ସଏ କହିଛନ୍ତି ଯେ,ଏହି ମାମଲା ପରଠାରୁ ମୁଁ ଜିଲ୍ଲାପାଳଙ୍କୁ ମେସେଜ କରିଛି, ଫୋନ୍ କରିଛି ଓ ଦେଖା କରିବାକୁ ଯାଇ ଫେରିଛି ହେଲେ କୌଣସି ସୁଫଳ ପାଇନି । ତଥାପି ଆଉ ଥରେ ଜିଲ୍ଲାପାଳଙ୍କୁ ଦେଖା କରି ନ୍ୟାୟ ଭିକ୍ଷା କରିବି, ପ୍ରଶାସନ ଠାରୁ ନ୍ୟାୟ ନମିଳିଲେ ନ୍ୟାୟାଳୟର ଦ୍ୱାରସ୍ଥ ହେବି ବୋଲି ଆଜି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । କାରଣ ଅତିତରବରିଆ ଭାବେ ତାଙ୍କର ପକ୍ଷକୁ ଶୁଣା ନଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।
ବିଇଓ ଶ୍ରୀ ସଏ କହିଛନ୍ତି ଯେ, ଚଳିତ ମାସ ୩ ତାରିଖରେ ସେ ତଲେଇମାଳ ବିଦ୍ୟାଳୟକୁ ସରକାରୀ କାମରେ ଯାଇଥିବା ବେଳେ ମଧ୍ୟାନ୍ନ ଭୋଜନରେ ନିଜକୁ ସାମିଲ କରିଥିଲେ । ଖାଇ ବସିବା ବେଳେ ତାଙ୍କ ସହ ପ୍ରଧାନ ଶିକ୍ଷକ ମଧ୍ୟ ବସିଥିଲେ । ଖାଦ୍ୟ ପରସା ହେବା ପରେ ଜଣେ ଶିକ୍ଷୟିତ୍ରୀ ନିଜ ଘରୁ ଆଣିଥିବା କଲରା ଭଜା, ବାଇଗଣ ଭର୍ତା ଓ ସ୍କୁଲ ବାଡିରେ ହୋଇଥିବା କାକୁଡି ମୋତେ ଦେଇଥିଲେ । ସେ ସବୁର ଦୃଶ୍ୟକୁ ମଧ୍ୟ ମୁଁ କହିବା ଅନୁସାରେ ଫଟୋ ଉଠାଯାଇ ଶିକ୍ଷକ ମାନଙ୍କ ଗୃପରେ ଛଡା ଯାଇଥିଲା । ତେବେ ମୁଁ ଚିକେନ ଭାତ ଖାଇଲି ବୋଲି ଅବାସ୍ତବ ଖବରକୁ କିଛି ମିଡ଼ିଆ କଦର୍ଥ କରି ଦେବା ପରେ ତାଙ୍କୁ ଜିଲ୍ଲା ଶିକ୍ଷଧିକାରୀ ଫୋନ୍ କରି ସେ ବିଷୟରେ ପଚାରିଥିଲେ । ପରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏନେଇ ବିଇଓଙ୍କୁ ଚିଠିକରି ଏସବୁ ପଚାରିବା ପରେ ସେ ସେଦିନ ଖାଇବସିବା ପରେ ତାଙ୍କ ଥାଳିରେ ଚିକେନ ନୁହେଁ କଲରା, କାକୁଡି ଓ ବାଗଣ ଭର୍ତା ଦିଆଯାଇଥିଲା ବୋଲି ଲିଖିତ ଭାବେ ଜଣାଇଥିଲେ । ବିନା କାରଣ ଦର୍ଶାଅ ନୋଟିସ, ସରଜମିନ ତଦନ୍ତ କିଛି କରା ନଯାଇ ତାଙ୍କୁ ନିଲମ୍ବନ କରାଯିବା ତାଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ମନୋବଳ ଉପରେ ଆଘାତ ଆଣିଛି ବୋଲି ସେ ଅଭିଯୋଗ କରିଛନ୍ତି । ତା ଛଡା ତାଙ୍କର ନିଯୁକ୍ତିଦାତା ରାଜ୍ୟସରକାର । ସେ ଯାଗାରେ ଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିବା କେତେ ଦୂର ଯଥାର୍ଥ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏହା ଛଡା ସେ ଏକ ବର୍ଷ ୨ମାସ ତଳେ ବଣେଇରେ ବିଇଓ ଭାବେ ଯୋଗ ଦାନ କରିବା ପରେ ୪ ଶିକ୍ଷକଙ୍କ ବିଭିନ୍ନ ଭୁଲ୍ ଲାଗି ତାଙ୍କର ଦରମା ବନ୍ଦ କରିବା ସହ ଦୁଇ କିରାଣୀଙ୍କୁ ସରକାରୀ କାମରେ ଢିଲା ମାରିବା ଅଭିଯୋଗରେ ସେମାନଙ୍କ ଦରମା ବନ୍ଦ କରିବା ଭଳି କାମ କରି କିଛି ଲୋକଙ୍କର ବିରୋଧର ସମ୍ମୁଖିନ ହୋଇଚାଲିଥିଲି ବୋଲି ସେ କହିଛନ୍ତି । ହୁଏତ ସେମାନେ ଘଟଣାକୁ ଭିନ୍ନ ରଙ୍ଗ ଦେଇ ପ୍ରଶାସନ ଓ ମିଡ଼ିଆ ପାଖରେ ପହଁଚାଇ ମୋ ଠାରୁ ପ୍ରତିଶୋଧ ନେବା ଲାଗି ଉଦ୍ୟମ କରିଥାଇ ପାରିଥାନ୍ତି ବୋଲି ସେ ଆଶଙ୍କା କରିଛନ୍ତି ।
ଅନ୍ୟପକ୍ଷରେ ଏହି ଫଟୋ ବାହାରେ ଘୁରି ବୁଲିବା ପରେ ପୁରାତନ ଅଧିକାରୀ ମାନେ କହିଛନ୍ତିି ଏହା ତରବରିଆ ପଦକ୍ଷେପ । ଫଟୋରୁ ଜଣା ପଡୁନି ସେ କଣ ନେଇଛନ୍ତି ଖାଇବା ଲାଗି । ତାଙ୍କ ପାଖରେ ପ୍ରଧାନ ଶିକ୍ଷକ ମଧ୍ୟ ସେହି ଖାଦ୍ୟ ନେଇଛନ୍ତି । ତାଙ୍କ ନାମ ଆଗକୁ ଆସିଲାନି ତାଙ୍କ ଲାଗି ଏହା ଅପରାଧ ହେଲାନି, କିନ୍ତୁ ବିଇଓଙ୍କ ନାମ ଆସିଗଲା ଆଗକୁ ଓ ପ୍ରଶାସନ ବି ଅତି ତରବରିଆ ଭାବେ ପଦକ୍ଷେପ ନେଲେ । ଏହା ଆଦୌ ଶାସନ ବ୍ୟବସ୍ଥାର ଭବିଷ୍ୟତ ଲାଗି ଶୁଭଙ୍କର ନୁହେଁ । ବର୍ଷ ବର୍ଷ ଧରି ଗାଦି ମାଡି ବସି ଅତିରିକ୍ତ ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷକ ମାନେ ବଦଳି ନହୋଇ ମଉଜ କରୁଥିବା ଅଭିଯୋଗ ବାରମ୍ବାର ହେଉଥିବା ବେଳେ ପିଲାଙ୍କ ପୋଷାକ, ଯୋତା, ବହି ବିତରଣରେ ବ୍ୟାପକ ଘୋଟାଲା ନେଇ ବାରମ୍ବାର ଅଭିଯୋଗ ହେଉଛି । ସେ ନେଇ ପ୍ରଶାସନ ଆଜିଯାଏ ଚୁପ୍ । ଅଥଚ କିଏ ଗୋଟେ କଣ ଖବର ଦେଇଦେଲା ତାକୁ ସଠିକ ଯାଂଚ ନକରି ଏଭଳି ପଦକ୍ଷେପ ନେବା ଆଦୌ ଠିକ୍ ହୋଇନି ବୋଲି ସାଧାରଣରେ ମତପ୍ରକାଶ ପାଇଛି ।