
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମୁକ୍ତି ସଂଗ୍ରାମର ଭିତ୍ତିଭୂମି ଯେପରି ଭକ୍ତି ଆନ୍ଦୋଳନ ଦ୍ୱାରା ଗଢି ଉଠିଥିଲା, ସେହିଭଳି ଏବେ ଆତ୍ମନିର୍ଭର ଭାରତର ଭିତ୍ତିଭୂମି ଗଢିବାକୁ ସାଧୁସନ୍ଥ, ମହାତ୍ମା, ମହନ୍ତ, ଗୁରୁ ଏବଂ ଆଚାର୍ଯ୍ୟମାନେ ପ୍ରେରଣା ଯୋଗାଇଦେବାର ଆବଶ୍ୟକତା ରହିଛି । ଆଜି ଜୈନାଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରୀଶ୍ଵର ଜୀ ମହାରାଜଙ୍କ 151ତମ ଜୟନ୍ତୀ ପାଳନ ଅବସରରେ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଷ୍ଟାଚ୍ୟୁ ଅଫ୍ ପିସ୍ (ଶାନ୍ତି ପ୍ରତିମୂର୍ତ୍ତି)ର ଅନାବରଣ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ଦେଶର ସାଂପ୍ରତିକ ଆତ୍ମନିର୍ଭରତା ପରୀକ୍ଷାନିରୀକ୍ଷାକୁ ସଫଳ କରିବା ପାଇଁ ସାଧୁସନ୍ଥ ଏବଂ ଆଧ୍ୟାତ୍ମିକ ଗୁରୁମାନଙ୍କ ସହଯୋଗ ଲୋଡିଛନ୍ତି । ସେ କହିଛନ୍ତି ଯେ ଦେଶର ମୁକ୍ତି ସଂଗ୍ରାମଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ, ରାଜନୈତିକ ଏବଂ ଆର୍ଥିକ ଘଟଣାବଳୀରେ ଧାର୍ମିକ ଓ ଆଧ୍ୟାତ୍ମିକ ଭିତ୍ତିଭୂମିର ଆବଶ୍ୟକତା ପରିଲକ୍ଷିତ ହୋଇଛି । ସେହିଭଳି ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସାଧୁସନ୍ଥ ଓ ଆଧ୍ୟାତ୍ମିକ ଗୁରୁମାନେ ମୌଳିକ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ପ୍ରେରଣା ଦେବାର ଆବଶ୍ୟକତା ଅନୁଭୂତ ହେଉଛି । ଏ ଦିଗରେ ଏହି ଆଧ୍ୟାତ୍ମିକ ଗୁରୁମାନେ କାର୍ଯ୍ୟ କରିବାକୁ ସେ ନିବେଦନ କରିଛନ୍ତି ।
ଭୋକାଲ ଫର୍ ଲୋକାଲ ନୀତି ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭକ୍ତି ଆନ୍ଦୋଳନ ଦେଶରେ ମୁକ୍ତି ସଂଗ୍ରାମକୁ ଯଥେଷ୍ଟ ପ୍ରେରଣା ଯୋଗାଇଥିଲା । ଏହି ସମୟରେ ଦେଶର କୋଣଅନୁକୋଣର ଲୋକମାନେ କିପରି ସାଧୁସନ୍ଥ, ମହନ୍ତ, ଆଚାର୍ଯ୍ୟମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ତାହା ଆମକୁ ମନେ ରଖିବାକୁ ପଡିବ । ସେମାନଙ୍କର ପ୍ରେରଣା ଓ ଉଦ୍ୟମ ଯୋଗୁଁ ଲୋକଙ୍କର ଚେତନା ଉଦ୍ରେକ ହୋଇଥିଲା । ପରେ ଏହି ଚେତନା ମୁକ୍ତି ସଂଗ୍ରାମକୁ ବଳଶାଳୀ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଆଧ୍ୟାତ୍ମିକ ଗୁରୁମାନେ ଆତ୍ମନିର୍ଭରତାକୁ ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ବିନମ୍ର ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ମୁକ୍ତି ଆନ୍ଦୋଳନର ଆଧାର ଯେପରି ଭକ୍ତି ଆନ୍ଦୋଳନ ଦ୍ୱାରା ସୃଷ୍ଟି ହୋଇ ଦୃଢୀଭୂତ ହେଲା ଏବେ ଏକବିଂଶ ଶତାବ୍ଦୀରେ ଆତ୍ମନିର୍ଭର ଭାରତର ମୂଳଦୁଆ ମଧ୍ୟ ଆମର ସାଧୁସନ୍ଥ, ମହନ୍ତ ଓ ଆଚାର୍ଯ୍ୟଙ୍କ ଦ୍ୱାରା ଗଢାଯିବ । ସେମାନେ ଯେତେବେଳେ ଯୁଆଡେ ଯାଉଛନ୍ତି ନିଜର ଶିଷ୍ୟମଣ୍ଡଳୀ ଓ ଆଧ୍ୟାତ୍ମିକ ସଭାରେ ଭାଷଣ ଦେଉଛନ୍ତି ସେତେବେଳେ ନିରନ୍ତର ସେମାନେ ଭୋକାଲ ଫର୍ ଲୋକାଲର ବାର୍ତ୍ତା ପ୍ରଚାର କରନ୍ତୁ । ଏହା ଫଳରେ ଭୋକାଲ ଫର୍ ଲୋକାଲ ବାର୍ତ୍ତା ଆଧ୍ୟାତ୍ମିକ ନେତୃମଣ୍ଡଳୀଙ୍କ ଅନୁମୋଦନ ଲାଭ କରି ଅଧିକ ଦୃଢୀଭୂତ ହେବ । ଏହାଦ୍ୱାରା ଆତ୍ମନିର୍ଭରତା ହାସଲ ପାଇଁ ରାଷ୍ଟ୍ର ଅନୁପ୍ରେରଣା ଲାଭ କରିବ । ମୁକ୍ତି ସଂଗ୍ରାମବେଳେ ଯେପରି ସାଧୁସନ୍ଥ ଓ ଆଧ୍ୟାତ୍ମିକ ଗୁରୁମାନଙ୍କ ବାଣୀ ସାରା ଦେଶରେ ବିଦ୍ୟୁତ୍ବେଗରେ ପହଞ୍ଚି ଲୋକଙ୍କ ମଧ୍ୟରେ ଚେତନା ସୃଷ୍ଟି କରିଥିଲା, ଏବେ ଆତ୍ମନିର୍ଭରତା କ୍ଷେତ୍ରରେ ମଧ୍ୟ ତାହାର ପୁନରାବୃତ୍ତି ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO