ସମ୍ବଲପୁର– ସମ୍ବଲପୁର କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି lଳରେ ସୋମବାର ଜିଲ୍ଲା କୋର୍ଟ ଖୋଲିବା ପରେ ଓକିଲ ମହକିଲଙ୍କ ମଧ୍ୟରେ ଏକ ଅଜଣା ଆତଙ୍କ ସୃଷ୍ଟି ହୋଇଛି । ଖବର ପାଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସମଗ୍ର କୋର୍ଟ ପରିସରକୁ କଡା ସୁରକ୍ଷା ବଳୟରେ ଆବଦ୍ଧ କରିଥିଲେ । ପ୍ରଥମେ କୋର୍ଟ ପରିସରରୁ ସମସ୍ତ ଓକିଲ ମହକିଲଙ୍କୁ ବାହାର କରିଦେବା ପରେ ସଶସ୍ତ୍ର ପୋଲିସ ବାହିନୀ,
ବୋମା ଡିସ୍ପୋଜାଲ ସ୍ବାର୍ଡ ଓ ସନ୍ଧାନୀ କୁକୁର ସହାୟତାରେ ତନ୍ନତନ୍ନ କରି କୋର୍ଟ ପରିସରର ସମସ୍ତ କୋଣ ଅନୁକୋଣ ଯାଞ୍ଚ୍ କରାଯାଇଥିଲା । ଏପରିକି କୋର୍ଟ ପରିସର ଓ ଆଖପାଖରେ ବୁଲାବୁଲି କରୁଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ପ୍ରତି ପୋଲିସ ତୀକ୍ଷ୍ଣ ଦୃଷ୍ଟି ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଦୀର୍ଘ ସମୟ ଧରି ଯାଞ୍ଚ୍ କରାଯାଇଥିଲେ ମଧ୍ୟ କୌଣସି ସନ୍ଦିଗ୍ଧ ବସ୍ତୁ ବା ଜିନିଷର ସୁରାକ୍ ମିଳିନଥିଲା ।
ସୂଚନାଯୋଗ୍ୟ, ଆଜି ସକାଳେ କୋର୍ଟ ଖୋଲିବା ପରେ କୋର୍ଟ ରେଜିଷ୍ଟାର କମ୍ପ୍ୟୁଟରରେ ମେଲ୍ ଯାଞ୍ଚ୍ କରିବା ସମୟରେ ଏହି ଧମକପୂର୍ଣ୍ଣ ଚେତାବନୀ ପାଇଥିଲେ । ତୁରନ୍ତ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେବାପରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବରିଷ୍ଠ ପଦାଧିକାରୀଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।
