
ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତ କନେଷ୍ଟବଳ ଜିତେନ୍ଦ୍ର ପ୍ର୍ରଧାନଙ୍କ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ସୂଚନାଥାଉକି, ବ୍ରହ୍ମପୁର ପୋଲିସ ଜିଲ୍ଲାର ଦ୍ୱିତୀୟ କରୋନା ଯୋଦ୍ଧା ଭାବେ ଜିତେନ୍ଦ୍ର ମୃତ୍ୟୁବରଣ କରିଥିବା ବେଳେ ପ୍ରଥମ କରୋନା ଯୋଦ୍ଧା ଭାବେ ଟ୍ରାଫିକ୍ ଥାନାରେ କାର୍ଯ୍ୟରତ ଏଏସ୍ଆଇ କୃଷ୍ଣଚନ୍ଦ୍ର ମଣ୍ଡଳ(୫୬) ଗତ ଜୁଲାଇ ୩୧ତାରିଖରେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଗତ ସୋମବାର ଦିନ ରାତିରେ ମୃତ୍ୟୁବରଣ କରିଥିବା କନେଷ୍ଟବଳ ଶ୍ରୀ ପ୍ରଧାନ ବଡ ବଜାର ଥାନାରେ କାର୍ଯ୍ୟକରି ଆସୁଥିଲେ । ସେ କିଛିଦିନତଳେ ଅସୁସ୍ଥ ହୋଇ ଛୁଟିରେ ଥିବାବେଳେ ସୁସ୍ଥ ହେବାପରେ କାର୍ଯ୍ୟରେ ଯୋଗ ଦେଇଥିଲେ । ଗତ ସୋମବାର ସନ୍ଧ୍ୟାରେ ଅସୁସ୍ଥତା ଅନୁଭବ କରିବାରୁ ସେ ଘରକୁ ଯାଇଥିଲେ । ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ପରିବାର ଲୋକେ ମେଡିକାଲ୍କୁ ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାବ୍ ଟେଷ୍ଟରେ କରୋନା ପଜିଟିଭ ହୋଇଥିବା ଜଣାପଡିଛି । ମୃତ ଜିତେନ୍ଦ୍ର ବ୍ରହ୍ମପୁର ପୋଲିସ ଜିଲ୍ଲାର ୨୦୦୬ ବ୍ୟାଚ୍ର କନେଷ୍ଟବଳ । ମୃତ ଜିତେନ୍ଦ୍ରଙ୍କ ଭାଇ ଦେବେନ୍ଦ୍ର ମଧ୍ୟ ଜିଲ୍ଲା ପୋଲିସରେ ଟ୍ରାଫିକ୍ ହାବିଲଦାର ଭାବେ କାର୍ଯ୍ୟ କରନ୍ତି । ସେ କିଛିଦିନ ପୂର୍ବେ କରୋନା ପଜିଟିଭ ହୋଇ ସୁସ୍ଥ ହେବାପରେ ଏବେ ଗୃହ ସଙ୍ଗରୋଧରେ ଅଛନ୍ତି । କରୋନା ମହାମାରୀ ସମୟରେ ଦୀର୍ଘଦିନଧରି ଲୋକଙ୍କୁ ସେବା ଓ ସଚେତନତା କରି ଆସୁଥିବା ୨ କରୋନା ଯୋଦ୍ଧାଙ୍କୁ ହରାଇ ବ୍ରହ୍ମପୁର ପୋଲିସ ଜିଲ୍ଲା ମର୍ମାହତ ହୋଇଥିବା ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର କହିଛନ୍ତି । ସେପଟେ ମୃତ ଜିତେନ୍ଦ୍ରଙ୍କ ଅନ୍ତିମ ସତ୍କାର ନିଳକଣ୍ଠେଶ୍ୱର ଶ୍ମଶାନରେ ହୋଇଥିବା ବେଳେ ସେଠାରେ ଶେଷ ଦର୍ଶନ ସହ ଜିଲ୍ଲା ପୋଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଏସ୍ପିି ପିନାକ ମିଶ୍ର, ଅତିରିକ୍ତ ଏସ୍ପି ପ୍ରଭାତ ଚନ୍ଦ୍ର ରାଉତରାଏ, ଅତିରିକ୍ତ ଏସ୍ପି ପ୍ରଶାନ୍ତ କୁମାର ମିଶ୍ର, ବଡବଜାର ଥାନାଧିକାରୀ ପ୍ରଶାନ୍ତ ଭୁପତି, ଡିଏସ୍ପି ସାର୍ଥକ ରଏ, ବିଷ୍ଣୁପ୍ରସାଦ ପତି, ଜିଲ୍ଲା କନେଷ୍ଟବଳ ଓ ହାବିଲଦାର ସଂଘର ସଭାପତି କାଳୀଚରଣ ଷଢ଼ଙ୍ଗୀ, ସମ୍ପାଦକ କେ.ଶ୍ରୀନିବାସ ପାତ୍ର, ଜୁବୁଲା ସାମନ୍ତରାଏ, ଅନିଲ ପାତ୍ରଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀଗଣ ଉପସ୍ଥିତରହି ତାଙ୍କ ଶେଷ ଦର୍ଶନ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO