ବ୍ରହ୍ମପୁର: ଗଜପତି ଜିଲ୍ଲା ମୋହନା ଥାନା ଇଲାକାରେ ଦିନକୁ ଦିନ ଚୋରା ଗଞ୍ଜେଇ ବେପାରୀଙ୍କ ଆଡ୍ଡାସ୍ଥଳି ଚାଲିଥିବା ବେଳେ ମୋହନା ପୋଲିସ ଏଥିରେ ରୋକ୍ ଲଗାଇବାରେ ସଫଳ ହୋଇଛି । ଗତ ଶୁକ୍ରବାର ଦିନ ଆର୍.ଉଦୟଗିରି ଏସ୍ଡିପିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୋହନା ଥାନାଧିକାରୀ ସୁଜିତ କୁମାର ରଏ ପୋଲିସ କର୍ମଚାରୀଙ୍କ ସହିତ ଚାନ୍ଦିପୁଟ ଓ ଲୁହାଗୁଡି ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଏକ ୧୪ଚକିଆ ଟ୍ରକ୍ ନମ୍ବର ଓଆର୍.୧୪.ଡବ୍ଲ୍ୟୁ-୭୨୭୭କୁ ଅଟକାଇ ତନଖି ବେଳେ ଉକ୍ତ ଟ୍ରକ୍ରେ ପିଆଜି ବୋଝେଇ ହୋଇଥିଲା ଓ ପିଆଜ ବସ୍ତାତଳେ ଗଞ୍ଜେଇ ଭର୍ତ୍ତି ବସ୍ତା ସବୁ ରହିଥିବା ଦେଖି କଡାକଡି ଯାଞ୍ଚ କରିଥିଲେ । ତଲାସି ସମୟରେ ୩୮ବସ୍ତା ପ୍ଲାଷ୍ଟିକ୍ ଜରି ବ୍ୟାଗ୍ରେ ଗଞ୍ଜେଇ ଥିବା ଦେଖିଥିଲେ । ରାଉରକେଲା ଅଞ୍ଚଳର ନିକିଲ କୁମାର ଓ ଅନୁରାମ କୁମାର ଉକ୍ତ ଗଞ୍ଜେଇ ବୋଝେଇ ଟ୍ରକ୍କୁ ଆର୍.ଉଦୟଗିରି ଅଞ୍ଚଳରୁ ବନାରସ ଟ୍ରାନ୍ସପୋର୍ଟ କରୁଥିବା ସମୟରେ ମୋହନା ପୋଲିସ ହାତରେ ଧରାପଡିଥିଲା । ଜବତ ଗଞ୍ଜେଇର ଆନୁମାନିକ ଓଜନ ୧୦କ୍ୱିଣ୍ଟାଲ ୫୭କେଜି ୫୦୦ଗ୍ରାମ ହୋଇଥିବା ବେଳେ ବଜାରର ମୂଲ୍ୟ ଆନୁମାନିକ ୨୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ୨ଜଣଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି । ନିଖିଲ ଓ ଅନୁରାଗଙ୍କ ଘର ବିହାର ରାଜ୍ୟରେ ବୋଲି ପୋଲିସ ସୂଚନା ଦେଇଛି ।