ହରିଚନ୍ଦନପୁର– ଇନ୍ଦିରା ଆବାସ ଯୋଜନାରେ ମହା ଘୋଟାଲା, ଯୋଜନାରେ ଟଙ୍କାକୁ ଜିଆରଏସ୍ ହଡ଼ପ କରିଥିବା ବେଳେ ଭଙ୍ଗା ଦଦରା ଓ ପରଘର ବାରଣ୍ଡାରେ ବିତୁଛି ଅନେକ ହିତାଧିକାରୀଙ୍କ ଜୀବନ । ଏମିତି ଏକ ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଳା ଗ୍ରାମ ପଞ୍ଚାୟତରେ ଘଟିଥିବା ଗ୍ରାମବାସୀ ତଥା ଯୋଜନାରେ ଅନ୍ତର୍ଭୂକ୍ତ ଯୋଗ୍ୟ ହିତାଧିକାରୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ପିଠାଗୋଳା ଗ୍ରାମର ପ୍ରଫୁଲ ପଲେଇ ନାମକ ବ୍ୟକ୍ତିଙ୍କୁ ୨୦୧୯/୨୦ ମସିହାରେ ସରକାରଙ୍କ ଇନ୍ଦିରା ଆବାସ ଯୋଜନାରେ ଅନ୍ତର୍ଭୂକ୍ତ କରାଗଲା । ପ୍ରଫୁଲ ଅତି ଗରିବ ହୋଇଥିବା ଯୋଗୁଁ ନିଜେ ଘର ନିର୍ମାଣ ପାଇଁ ସକ୍ଷମ ହୋଇନଥିଲେ । ଯାହାକୁ ନେଇ ଜିଆରଏସ୍ ବୈଦିନାଥ ମହାନ୍ତ(ପିଣ୍ଟୁ) ପ୍ରଫୁଲଙ୍କୁ ନିଜ ପାଲରେ ପକାଇ ତାଙ୍କର ପାସବହି ଓ ଏଟିଏମ୍ ନିଜ ହାତକୁ ନେଇ ୧୩ ଅଗଷ୍ଟରେ ୨୦ହଜାର ଟଙ୍କା ଉଠାଇ ପୁରୁଣା ଘରକୁ ଭାଙ୍ଗି ନୂତନ ଘରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ସେହି ଟଙ୍କାରେ ପ୍ଲିନ୍ଥ୍ ନିର୍ମାଣ କରିଥିଲେ ଓ ନିର୍ମାଣ କାର୍ଯ୍ୟକୁ ପ୍ଲିନ୍ଥ୍ ମଧ୍ୟରେ ସିମିତ ରଖି ପରେ ୨ ଫେବୃଆରୀରେ ଲିନଟେଲ ଲେବୁଲ ନିମନ୍ତେ ୩୫ ହଜାର ଓ ୨୫ ମାର୍ଚ୍ଚରେ ସମ୍ପୂର୍ଣ୍ଣ ହୋଇଥିବା ମିଥ୍ୟା ଫଟୋ ଦର୍ଶାଇ ୪୫ ହଜାର ଟଙ୍କା ଉଠାଇ ନେଇଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି । ସେହିଭଳି ଖେଦାପଡା ଗ୍ରାମର ବିଦ୍ୟାଧର ମହାନ୍ତ, ସାବିତ୍ରୀ ବେହେରା, ମଙ୍ଗୁଳୁ ଚରଣ ବେହେରା, କୁନି ମୁଣ୍ଡା, ଦୁମି ମୁଣ୍ଡା, ରବିନ୍ଦ୍ର ମୁଣ୍ଡା, ଜମୁନା ମୁଣ୍ଡା, ବଳରାମ ମୁଣ୍ଡା, ପୃର୍ଣ୍ଣଚନ୍ଦ୍ର ମୁଣ୍ଡାଙ୍କ ଘର ଗୁଡିକ ପ୍ଲିନ୍ଥରେ ସିମିତ ରଖି ଉକ୍ତ ଜିଆରଏସ୍ ସମସ୍ତଙ୍କ ପାସବହି ଓ ଏଟିଏମକୁ ନିଜ ହାତକୁ ନେବା ସହ ଲିନଟେଲ ଓ ସମ୍ପୂର୍ଣ୍ଣ ହୋଇଥିବା ମିଥ୍ୟା ତଥ୍ୟ ଦର୍ଶାଇ ୧ ଲକ୍ଷ ଟଙ୍କା ଲେଖାଏଁ ଆକାଉଣ୍ଟରୁ ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ।
ଏହିଭଳି ପିଠାଗୋଳା ଗ୍ରାମ ପଞ୍ଚାୟତର କୁଲାଢାଙ୍କୁଣୀ, କାଦୁଆ, ଖରବା, ଶରଦାପଶି, ଟାଙ୍ଗରବାହାଳୀ, ନନ୍ଦରା, ବାଲିପଶି, ଅଲଙ୍ଗ, ରମ୍ପାକୁଟ, ମରାଗୋଳା ଗ୍ରାମର ଅନେକ ଲୋକଙ୍କ ଘର ଅଧପାନ୍ତରିଆରେ ପଡିଥିବା ସହ ସମ୍ପୂର୍ଣ୍ଣ ଟଙ୍କା ହଡପ କରାଯାଇଥିବା ସୂଚନା ରହିଛି । ଏଥିସହ ପିଠାଗୋଳା ଗ୍ରାମର ରାମ ପାତ୍ର ନାମକ ବ୍ୟକ୍ତିଙ୍କ ନାମରେ ୧୯ ଜୁଲାଇ ୨୦୧୯ରେ ପ୍ଲିନ୍ଥ୍ ପାଇଁ ୨୦ହଜାର ଓ ପରେ ଲିନଟେଲ ପାଇଁ ୩୫ହଜାର ଟଙ୍କା ଉଠାଯାଇଛି ହେଲେ ସବୁଠୁ ବଡ କଥା ବର୍ତମାନ ପର୍ଯ୍ୟନ୍ତ ତାଙ୍କର ଘର ନିର୍ମାଣ ନିମନ୍ତେ ଗାତ ଖୋଳା ଯାଇନାହିଁ । ଏଠି ପ୍ରଶ୍ନ ଉଠୁଛି ସରକସରୀ ନିୟମ ଅନୁଯାୟୀ ଘର ନିର୍ମାଣ ପୂର୍ବରୁ ପ୍ରଥମେ ଅନ୍ତର୍ଭୂକ୍ତ ହିତାଧିକାରୀଙ୍କୁ ୨୦ହଜାର ଟଙ୍କା ନିଅଁ ଓ ପ୍ଲିନ୍ଥ୍ ନିର୍ମାଣ ପାଇଁ, ହେଲେ ବିନା ନିଅଁ ଓ ପ୍ଲିନ୍ଥ୍ରେ କେମିତି ଉଠୁଛି ଲକ୍ଷାଧିକ ଟଙ୍କା । ତଦନ୍ତ ଅନୁଯାୟୀ ଉକ୍ତ ଜିଆରଏସ୍ ନିଜ ଶଳା ବୁନୁ ବାଗ୍ସିଂ ନାମରେ ଜିରାଙ୍ଗ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତରଫରୁ ଏକ ଜନସେବା କେନ୍ଦ୍ର ଖୋଲଛନ୍ତି । ସେଠାରେ ସମସ୍ତ ହିତାଧିକାରୀଙ୍କ ପାସବହି ଓ ଏଟିଏମ୍ ରଖି ଏହି ଭଳି ଭୁଲ ତଥ୍ୟ ଦର୍ଶାଇ ଲୋକମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟୁଥିବା ହିତାଧିକାରୀ ତଥା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ଉକ୍ତ ଜନସେବା କେନ୍ଦ୍ରରେ ଅନେକ ଗରିବ ଶ୍ରେଣୀର ଲୋକଙ୍କ ଠାରୁ ଏହିଭଳି ପାସବହି ଓ ଏଟିଏମ ହାତେଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ନଜିର ରହିଛି । ଏହିଭଳ ବିଭିନ୍ନି ଘଟଣାକୁ ନେଇ ସଂପୃକ୍ତଙ୍କ ନାମରେ ଗ୍ରାମର ଅଧିକାଂଶ ଲୋକ ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓ ଓ ଥାନା ଅଧିକାରୀଙ୍କ ପାଖରେ ଲିଖିତ ସହ ମୋୖଖିକ ଅଭିଯୋଗ କରିଥିଲେ ମଧ୍ୟ ଆଜି ପ୍ରର୍ଯ୍ୟନ୍ତ କୈାଣସି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଲୋକଙ୍କ ଆବାସ ଟଙ୍କାରେ ପୂର୍ବରୁ ଥିବା ଦାଣ୍ଡପତି ଜିଆରଏସ ବର୍ତମାନର କୋଟିପତି ହୋଇଥିବା ସହ ନିଜର ଏକ ନାମିଦାମି ଘର, କାର, ଜେସିବି, ଦୁଇଟି ପିକପ୍ ଭ୍ୟାନ, ଏକ ଇଟା ଫ୍ୟାକଟାରୀ କରିଥିବା ଜଣାପଡିଛି । ଏହି ଘଟଣା ଲୋକଲୋଚନକୁ ଆଣିବା ସହ ପୁଙ୍ଖାନୁପୁଙ୍ଖ ତଦନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୂର୍ବତନ ବିଧାୟକ ତଥା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଧନୂର୍ଜୟ ସିଦ୍ଧୁ ଓ ଦଳିୟ ଅନେକ ନେତା ଗତ ସୋମବାର ଥାନା, ବ୍ଲକରେ ଲିଖିତ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି । ଏଥିସହ ତୁରନ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଉହ୍ଲାଇବା ସହ ବ୍ଲକ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି । ଏହି ଘଟଣାରେ ସଂପୃକ୍ତ ଜିଆରଏସଙ୍କୁ ବର୍ତମାନ ଏକ ପ୍ରତିଷ୍ଠିତ ଦୈନିକ ଖବର କାଗଜର ହରିଚନ୍ଦନପୁର ପ୍ରତିନିଧି ମୋଟା ଅଙ୍କର ଆତଗୁଞ୍ଜା ନେଇ ଏହିଭଳି କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏନେଇ ବିଡିଓ ଦାୟିତ୍ୱରେ ଥିବା ଏବିଡିଓ ବିପ୍ରଚରଣ ପ୍ରଧାନଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଠା କରିଥିଲୁ ହେଲେ ତାଙ୍କ ପାଖରେ ଘଟଣା ସମ୍ପର୍କରେ କୈାଣସି ସୂଚନା ନଥିବା ସହ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସୂଚନା ଦେଇଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଜନସାଧାରଣ ଓ ଶିକ୍ଷାବିତ ମହଲରେ ଦାବି ହୋଇଛି ।