-
କରୋନା ରୋଗୀଙ୍କ ମୃତ୍ୟୁର ୪ଦିନ ପରେ ପରିବାରକୁ ଦିଆଗଲା ଖବର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏବେ କରୋନା ସ୍ଥିତି ଅସମ୍ଭାଳ ହୋଇପଡିଛି । ଜିଲ୍ଲାର ଶୀତଳାପଲ୍ଲୀ ଠାରେ ଥିବା ଟାଟା କୋଭିଡ୍ ହସ୍ପିଟାଲରେ ସାଙ୍ଘାତିକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ମୃତ୍ୟୁ ହୋଇଥିବା ଜଣେ ରୋଗୀଙ୍କ ପରିବାରକୁ ଘଟଣାର ୪ଦିନ ପରେ ଖବର ଦିଆଯାଇଛି । ଏହାକୁ ନେଇ ଏବେ ଉତ୍ତେଜନା ପ୍ରକାଶ ପାଇବା ସହ ଏହି ମାମଲାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ପରିବାର ଲୋକେ ଏତଲା ଦେଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ବଡବଜାର ଥାନା ଅନ୍ତର୍ଗତ ଗଣପତି ନଗର ଦ୍ୱିତୀୟ ସାହିର ବସନ୍ତ କୁମାର ସାହୁ(୪୯) ଗତ ୧୯ତାରିଖରେ ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବସନ୍ତ ଚିକିତ୍ସିତ ହେଉଥିବା ବେଳେ ୨୪ତାରିଖ ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ ଫୋନ୍ରେ କଥାବାର୍ତ୍ତା କରୁଥିଲେ । କିନ୍ତୁ ଏହା ପରଠାରୁ ଫୋନ୍ ଆଉ ଲାଗିଲା ନାହିଁ । ଫଳରେ ପରିବାର ଲୋକେ ହସ୍ପିଟାଲର ହେଲ୍ପ ଲାଇନ୍ ନମ୍ବରରେ ଯୋଗାଯୋଗ କରିଥିଲେ । ହେଲେ ତୁମ ରୋଗୀ ଆଇସିୟୁରେ ଅଛି, ଅକ୍ସଜେନ୍ ଲାଗିଛି ବୋଲି ହସ୍ପିଟାଲର କର୍ମଚାରୀ ପରିବାର ଲୋକଙ୍କୁ କହି ଆସୁଥିଲେ । ଯୋଗାଯୋଗ କରି ପୁଣି ୨୭ତାରିଖ ପର୍ଯ୍ୟନ୍ତ କଥାବାର୍ତ୍ତା ଜାରି ରଖିଥିଲୋ କିନ୍ତୁ ମଙ୍ଗଳବାର ରତିରୁ ହସ୍ପିଟାଲରୁ ଫୋନ୍ ଆସିଥିଲା ଯେ, ବସନ୍ତଙ୍କ ଗତ ୨୪ତାରିଖ ଠାରୁ ମୃତ୍ୟୁ ହୋଇସାରିଛିା ଏହା ଶୁଣିବା ପରେ ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ । ମଙ୍ଗଳବାର ରାତିରେ ବଡବଜାର ଥାନା ଓ ପରେ ଗୋପାଳପୁର ଥାନାକୁ ଯାଇ ପରିବାର ଲୋକେ ହସ୍ପିଟାଲ କର୍ତ୍ତୃପକ୍ଷ ବିରୋଧରେ ଏତଲା ଦେଇଥିଲେ । ଏତଲା ପରେ ଟାଟା କୋଭିଡ୍ ହସ୍ପିଟାଲର ସିଇଓ ତଥା ହାଇଟେକ୍ ମେଡିକାଲ୍ କଲେଜର ଡା. ସଂଗ୍ରାମ ପାତ୍ର ଏକ ପ୍ରେସ୍ ନୋଟ ଜାରି କରି ବସନ୍ତଙ୍କ ୨୪ତାରିଖରେ ମୃତ୍ୟୁ ହୋଇଥିଲା ହେଲେ ତାଙ୍କ ପରିବାର ଲୋକଙ୍କ ମୋବାଇଲ ନମ୍ବର କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଯୋଗାଯୋଗ ହୋଇପାରିନଥିଲା । ମୃତଦେହକୁ ୪ଦିନ ହେବ ସଂରକ୍ଷିତ କରି ରଖାଯିବା ସହ ପରିବାର ଲୋକଙ୍କୁ ଖୋଜିବାକୁ ବିଏମ୍ସି ଓ ଆସିକା ବିଡିଓଙ୍କୁ କୁହାଯାଇଥିଲା ବୋଲି ମେଡିକାଲ୍ ଅଫିସର ଡା. ଉମାଶଙ୍କର ମିଶ୍ର କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO