ମାଲକାନଗିରି– ମାଲକାନଗିରି ଥାନା ଅନ୍ତର୍ଗତ ତଣ୍ଡାପାଲି ପଞ୍ଚାୟତ ଏମଭି-୬ ଗ୍ରାମରେ ଭୂତ ଘଉଡାଇବା ପାଇଁ ମହିଳାଙ୍କୁ ନିର୍ଯ୍ୟାତନା ଓ ଘୁଷୁରୀ ବିଷ୍ଟା ଖୁଆଇବା ଘଟଣାରେ ମାଲକାନଗିରି ପୋଲିସ ସଂପୃକ୍ତ ଗୁଣିଆକୁ ଗିରଫ କରିଛି । ଗିରଫ ଗୁଣିଆ ହେଉଛି ମହୀର ମୁଣ୍ଡା ତା ଘର ଏମଭି-୫ ଗ୍ରାମରେ । ସୋମବାର. ଦିନ ଗୁରୁତର ମହିଳାଙ୍କୁ ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡି, ଆଶା ଦିଦି ବୁଝୁସୁଝା କରି ଚିକିତ୍ସାଳୟକୁ ଆଣିବା ପରେ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଥିଲା । ଯାହାପରେ ପୋଲିସ ମଙ୍ଗଳବାର ନିଜ ଆଡୁ ମାମଲା ରୁଜୁ କରି ପ୍ରଥମେ ଚିକିତ୍ସାଳୟ ଯାଇ ସମ୍ପୃକ୍ତ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ପରେ ସେ ଏମଭି-୬ ଗ୍ରାମକୁ ଯାଇ ତାକୁ ସ୍ବାମୀ ସନ୍ତୋଷ ଏବଂ ଅନ୍ୟ ଗ୍ରାମବାସୀଙ୍କ ସହ ଆଲୋଚନା କରି ଘଟଣା ବିଷୟରେ ପଚାରି ବୁଝିଥିଲେ ।
ପୋଲିସ ସୂଚନା ଅନୁଯାୟୀ, ଏମଭି-୬ ଗ୍ରାମର ସନ୍ତୋଷ ରାଓଙ୍କ ପତ୍ନୀ ଗତ ସାତ ଦିନ ତଳେ ଅସୁସ୍ଥ ହୋଇଥିଲେ । ତେବେ ପରିବାର ଲୋକେ ତାଙ୍କୁ ଭୂତ ଲାଗିଥିବା ନେଇ ସନ୍ଦେହ କରିଥିଲେ । କାରଣ ଥିଲା ଗତ ତିନି ମାସ ତଳେ ସନ୍ତୋଷଙ୍କର ଜଣେ ସଂପର୍କୀୟ ମହିଳାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ହୋଇଥିବା ମହିଳା ଜଣକ ଗର୍ଭବତୀ ଥିଲେ । ଦୁଇ ପତି ଓ ପତ୍ନୀ ତାଙ୍କ ସଂପର୍କୀୟଙ୍କ ଘରକୁ ଯାଇଥିଲେ । ସନ୍ତୋଷ ଓ ତାଙ୍କ ପତ୍ନୀ ଘରକୁ ଫେରିବା ପରେ ସବୁ ଠିକଠାକ ଥିଲା । କିନ୍ତୁ ଅଚାନକ ତାଙ୍କର ସ୍ବାସ୍ଥ୍ୟ ଖରାପ ହେବାରୁ ସେହି ମହିଳାଙ୍କ ଆତ୍ମା ସ୍ତ୍ରୀ ଦେହରେ ଆସିଥିବା ନେଇ ପରିବାର ଲୋକେ ବିଶ୍ବାସ କରିଥିଲେ । ଏହାପରେ ତୁରନ୍ତ ଏକ ଗୁଣିଆକୁ ଡାକି ଭୂତ ଘଉଡାଇବାର ବ୍ୟବସ୍ଥା କରିଥିଲେ । ଗୁଣିଆ ଜଣକମହିଳାଙ୍କୁ ନିସ୍ତୁକ ମାଡ ମାରିବା ସହ ମୁହଁରେ ନିଆଁ ଝୁଲ ଦେଇଥିଲେ । ଯାହାଫଳରେ ତାଙ୍କ ମୁହଁ ପୋଡ଼ି ଯାଇଥିବା ବେଳେ ତାର ସଂପୂର୍ଣ୍ଣ ଶରୀର କ୍ଷତବିକ୍ଷତ ହୋଇଛି । ଏତେ ସବୁ କରିବା ପରେ ମଧ୍ୟ ଭୂତ ନଯିବାରୁ ଗୁଣିଆ ଘୁଷୁରୀ ବିଷ୍ଟା ଆଣି ଖୁଆଇ ଦେଇଥିଲ । ତେବେ କିଛି ସୁଫଳ ନମିଳିବାରୁ ଶେଷରେ ଗୁଣିଆ ଚାଲିଯାଇଥିଲା ।