
ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖରସଙ୍କୁଲେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ଗଣେଷ ପୂଜା ଦିନ ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଧନଞ୍ଜୟ ପାତ୍ର କରିଥିବା ଅସଦାଚରଣ ମାମଲାରେ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର ଏବଂ ଗିରଫ ଦାବୀ କରି ଗ୍ରାମର ଶତାଧିକ ମହିଳା ଆଜି ସ୍କୁଲରେ ତାଲା ପକାଇଛନ୍ତି । ଫଳରେ ଆଜି ସ୍କୁଲରେ ଗୁରୁଦିବସ ପାଳନ ହୋଇପାରିନାହିଁ । ସେପ୍ଟେମ୍ବର ୫ ତାରିଖ ଗୁରୁବାର ଦିନ ସାରା ଦେଶ ଅତି ଆନନ୍ଦ ଉଲ୍ଲାସ ସହକାରରେ ପାଳନ କରୁଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖରସଙ୍କୁଲେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନା ମତେ ଖରସଙ୍କୁଲେଇ ପ୍ରାଥମିକ ବିଦ୍ୟାଳୟରେ ସବୁ ବର୍ଷ ଭଳି ଚଳିତ ବର୍ଷ ଚିରାଚରିତ ଢଙ୍ଗରେ ପାଲିତ ହେଉଥାଏ ଗୁରୁଦିବସ, ଠିକ ଏହି ସମୟରେ ୧୦୦ ରୁ ଉର୍ଦ୍ଧ ଗ୍ରାମର ମହିଳା ଆସି ଏହାକୁ ବିରୋଧ କରିଥିଲେ । ବିଦ୍ୟାଳୟ ରୁ ଶିକ୍ଷକ ମାନଙ୍କୁ ବାହାରି ଯିବାକୁ କହିବା ସହ ବିଦ୍ୟାଳୟରେ ତାଲା ପକାଇଥିଲେ । ଏଥି ସହ ସ୍କୁଲର ମୁଖ୍ୟ ଫାଟକରେ ଗ୍ରାମର ମହିଳା , ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଧାରଣା ଦେଇଥିଲେ । ଯେ ପର୍ଯ୍ୟନ୍ତ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଚାକିରୁ ବହିସ୍କାର ଓ ଗିରଫ କରାନଯାଇଛି ସେ ପର୍ଯ୍ୟନ୍ତ ସ୍କୁଲରେ ତାଲା ପଡିବ ବୋଲି ଅଭିଭାବକ ପକ୍ଷରୁ କୁହାଯାଇଛି । ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ସନାତନ ଗାଆଣଙ୍କ ମତାମତ ନେବାରୁ ପିଡିତାଙ୍କ ପରିବାର ପକ୍ଷରୁ ଏକ ଅଭିଯୋଗ ପତ୍ର ପାଇଛି ଏବଂ ସଂପୃକ୍ତ ପ୍ରଧାନ ଶିକ୍ଷକ ଧନଞ୍ଜୟ ପାତ୍ରକୁ ଚାକିରିରୁ ନିଲମ୍ବିତ କରିଥିବା ନେଇ ସୂଚନା ଦେଇଥିଲେ । ପ୍ରଧାନଶିକ୍ଷକ ଧନଞ୍ଜୟ ପାତ୍ର ଶିଘ୍ର ଗିରଫ କରାନଗଲେ ଆଗାମୀ ଦିନରେ ଗ୍ରାମବାସୀ ମାନେ ଥାନା ଘେରାଉ କରିବେ ବୋଲି ସୂଚନା ଦେଇଛନ୍ତି । ସୁଚନା ଯୋଗ୍ୟ ଯେ ଗତ ଗଣେଷ ପୂଜା ଦିନ ପୂଜା ସରିବା ପରେ ଖରସଙ୍କୁଲେଇ ସରକାରୀ ଇଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିରୋଳାର ସୁଯୋଗ ନେଇ ପ୍ରଧାନ ଶିକ୍ଷକ ଧନଞ୍ଜୟ ପାତ୍ର ଜନୈକା ଛାତ୍ରୀଙ୍କୁ ଧରି ପକାଇ ତାଙ୍କ ଶରୀରର ବିଭିନ୍ନ ସମ୍ବେଦନଶିଳ ସ୍ଥାନରେ ହାତମାରି ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀ ପାତ୍ର ଅସଦାଚରଣ କରିଥିବା ନେଇ ନିଜର ସାଙ୍ଗ ମାନଙ୍କୁ ଛାତ୍ରୀ ଜଣକ କହିବା ସହ ନିଜ ଘରେ ମଧ୍ୟ କହିଥିଲା । ଛାତ୍ରୀର ପରିବାର ପକ୍ଷରୁ ହରଭଙ୍ଗା ଥାନାରେ ସୋମବାର ବିଳମ୍ବିତ ରାତିରେ ଏତଲା ଦିଆଯିବାପରେ ହରଭଙ୍ଗା ଥାନା କେସ ନଂ ୬୨/୧୯ ରେ ଏକ ମାମଲା ରୁଜୁ କରାଯାଇଛି । ଇତିମଧ୍ୟରେ ଛାତ୍ରୀଙ୍କ ଡାକ୍ତରୀମାଇନା ପୁରୁଣାକଟକ ଡାକ୍ତରଖାନାରେ କରାଯାଇଅଛି । ଅଭିଯୋଗ ପାଇବା ପରେ ପୋଲିସ ସଙ୍ଗେ ସଙ୍ଗେ ସେହି ଦିନ ରାତିରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଧନଞ୍ଜୟ ପାତ୍ରଙ୍କୁ ଧରିବା ପାଇଁ ତାଙ୍କ ବାସ ଭବନ ରେ ଚଢାଉ କରିଥିଲେ ବି ସେତେବେଳକୁ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଫେରାର ହୋଇଯାଇଥିଲେ । ଏହି କେସ ଅନୁସୂଚିତ ବର୍ଗର ଓ ପିଡିତା ନାବାଳିକା ହୋଇଥିବାରୁ ଏହି କେସକୁ ଏସଡିପିଓ ଏସ ଟିଗା ତଦନ୍ତ ଭାର ଦିଆଯାଇଅଛି । ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ କୁ ଧରିବାକୁ ପ୍ରୟାସ କରୁଛି ଏବଂ ଖୁବ ଶୀଘ୍ର ଅଭିଯୁକ୍ତ କୁ ଧରିବାରେ ଆମେ ସଫଳ ହେବୁ ବୋଲି ଏସଡିପିଓ ଏସ ଟିଗା କହିଛନ୍ତି ।