
ଗାଙ୍ଗପୁର/ବେଲଗୁଣ୍ଠI, ଗତକାଲି ଗଞ୍ଜାମ ଜିଲ୍ଲାର ଦୁଇଜଣ ଶିକ୍ଷକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି I ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ର କନିଷ୍ଠ ଶିକ୍ଷକ ସିମାଞ୍ଚଳ ଶତପଥୀ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ଵର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ I ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ ରୂପ ନେଇଥିଲା ଯେତେବେଳେ ପୁଅର ମୃତ୍ୟୁ ଖବରକୁ ସହି ନ ସ୍ଵର୍ଗତ ଶତପଥୀଙ୍କ ପିତାମାତା ଆତ୍ମହତ୍ୟା କରିଥିଲେ I ସେହିପରି ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ୍ ଅନ୍ତର୍ଗତ କେ.ରାଇସିଂପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଦର୍ଥ ଶେଖର ପାଢୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ଗତ କାଲି ମୃତ୍ୟୁ ବରଣ କରିବା ପରେ ତାଙ୍କର ବିଧବା ସ୍ତ୍ରୀ ଏବଂ ଦୁଇ ନିଷ୍ପାପ ଶିଶୁଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି I ଖବର ଅନୁସାରେ ଉଭୟ ଶିକ୍ଷକ ପ୍ରବାସୀ ଓଡ଼ିଆ ଭାଇ ଭଉଣୀଙ୍କ ନିମିତ୍ତ ହୋଇଥିବା ଅସ୍ଥାୟୀ ମେଡିକାଲ୍ ଶିବିର ଦାୟିତ୍ଵ ତୁଲାଇଥିଲେ I ତେଣୁ ଉଭୟ ସେହି ଅସ୍ଥାୟୀ ମେଡିକାଲ୍ ଶିବିରରୁ ହିଁ ସଂକ୍ରମିତ ହୋଇଥିବା ସ୍ପଷ୍ଟ ସୂଚନା ମିଳୁଛି I ଏହି ଘଟଣା ପରେ ସଙ୍ଗରୋଧ କେନ୍ଦ୍ର ଦାୟିତ୍ଵ ତୁଲାଇଥିବା ସମଗ୍ର ଶିକ୍ଷକ ସମାଜ, ଶିକ୍ଷା ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ଅତ୍ୟନ୍ତ ଆତଙ୍କିତ ହୋଇପଡିଛନ୍ତି I ପ୍ରବାସୀ ଓଡ଼ିଆଙ୍କୁ ରେଳ ଷ୍ଟେସନ୍ ରୁ ପଞ୍ଜିକୃତ କରି ଆଣି ବିଦ୍ୟାଳୟର ଅସ୍ଥାୟୀ ମେଡିକାଲ୍ ଶିବିର ବା ସଙ୍ଗରୋଧ କେନ୍ଦ୍ରରେ ରଖିବାର ଦାୟିତ୍ଵକୁ ଅଦ୍ୟାବଧି ଶିକ୍ଷା ବିଭାଗର କର୍ମଚାରୀ ମାନେ ନିଷ୍ଠାର ସହ ତୁଲାଇ ଆସୁଛନ୍ତି I ଏହି କାର୍ଯ୍ୟରେ ଜିଲ୍ଲା ସଦର କାର୍ଯ୍ୟାଳୟର ବଡ଼ ବଡ଼ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟ ସ୍ତରରେ ଶିକ୍ଷକ ଶିକ୍ଷୟିତ୍ରୀ, କିରାଣି ଏବଂ ଚପରାସୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ଓତଃପ୍ରୋତ ଭାବେ ଜଡିତ ଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା ନ କରିବା ଦ୍ଵାରା ସମସ୍ତ କର୍ମଚାରୀ ମର୍ମାହତ ହୋଇ ପଡ଼ିଛନ୍ତି I ଗତ କାଲିର ଘଟଣା ପରେ ମଧ୍ୟ ଯଦି ସରକାର ଶିକ୍ଷା ବିଭାଗ କର୍ମଚାରୀମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆଗାମୀ ଦିନରେ କରୋନା ମୁକାବିଲାରେ ସଂଶ୍ଳିଷ୍ଟ ଥିବା ବହୁ ଶିକ୍ଷକ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ଘଟଣାକୁ ଏଡାଇ ଦିଆ ଯାଇ ନ ପାରେ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି I ଏଣୁ ଏଭଳି ଦୁର୍ଦ୍ଦିନକୁ ଏଡାଇବା ପାଇଁ କରୋନା ଲଢେଇରେ ସଂଗ୍ରାମରତ ଶିକ୍ଷା ବିଭାଗ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା, ସେମାନଙ୍କୁ ସାମାଜିକ ସୁରକ୍ଷା ବଳୟ ପ୍ରଦାନ କରିବା, କରୋନାରେ ମୃତ୍ୟୁବରଣ କରିଥିବା ଶିକ୍ଷକ କର୍ମଚାରୀଙ୍କ ପରିବାରକୁ କ୍ଷତି ପୂରଣ ପ୍ରଦାନ ସହ ପରିବାରର ଥଇଥାନ କରିବା ଏବଂ ସଙ୍ଗରୋଧ କେନ୍ଦ୍ର ଦାୟିତ୍ଵ ତୁଲାଇଥିବା ସମସ୍ତ ଶିକ୍ଷକ କର୍ମଚାରୀଙ୍କ ପ୍ରଶାସନ ତରଫରୁ ବାଧ୍ୟତାମୂଳକ ସ୍ଵାସ୍ଥ୍ୟ ପରୀକ୍ଷା କରିବାପାଇଁ ବିଭିନ୍ନ ଶିକ୍ଷକ ସଂଘ ଯଥା ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ, ଶେରଗଡ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ, ଗଞ୍ଜାମ ଜିଲ୍ଲା ସରକାରୀ ହାଇସ୍କୁଲ୍ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ,ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ, ଓଷ୍ଟା, ଗଞ୍ଜାମ ଜିଲ୍ଲା ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ, ବରିଷ୍ଠ ନାଗରିକ ସଂଘ, ପୁରାତନ ଛାତ୍ର ସଂଗଠନ ଏବଂ ବିଭିନ୍ନ ବୁଦ୍ଧିଜୀବୀ ସଂଗଠନ ପକ୍ଷରୁ ଉଭୟ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି I
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO