ଗୁଆହାଟୀ– ଆସାମର ୨୩ଟି ଜିଲ୍ଲାରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ କର୍ତ୍ତୃପକ୍ଷ ଅନୁସାରେ ପୁଣି ୨ ଜଣଙ୍କର ମୃତ୍ୟୁ ହୋଇଛି । ଆସାମାରେ ୯ ଲକ୍ଷ ୩୦ ହଜାର ଲୋକ ବର୍ଷା ଜଳରେ ପ୍ରଭାବିତ ହୋଇଛନ୍ତି । ଭିନ୍ନ ଭିନ୍ନ ବର୍ଷାଜନିତ ଦୁର୍ଘଟଣାରେ ଏଯାଏଁ ୧୮ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏଏସଡିଏମ ଅନୁସାରେ ଧେମାଜୀ, ଲକ୍ଷ୍ମୀପୁର, ବିଶ୍ୱନାଥ, ଉଦଲଗୁରୀ, ଦରାଗ, ନାଲବାରୀ, ବାରପେଟା, ବୋଙ୍ଗଇଗାଓ, କୋକରାଝର, ଧୁବରୀ, ଦକ୍ଷିଣ ସଲମାରା, ଗୋଲପାରା, କାମରୂପ, ମୋରୀଗାଁ, ହୋଜଇ, ନାଙ୍ଗାୱ, ନାଗାଲୋନ, ନୌଙ୍ଗାୱା, ମାଜୁଲୀ, ଶିବସାଗର, ଡେବ୍ରିଗଡ଼, ତିନିସୁକିଆ ଓ ପଶ୍ଚିମ କାର୍ବି ଆଙ୍ଗେଲୋଙ୍ଗ ଜିଲ୍ଲାରେ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି ।
ବର୍ଷା ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବାରପେଟା ଜିଲ୍ଲା । ଏଠାରେ ୧.୩୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ଧେମାଜୀରେ ପାଖାପାଖି ଏକ ଲକ୍ଷ ଲୋକ ଓ ନାଲବାରୀରେ ୯୬ ହଜାରରୁ ଅଧିକ ଲୋକ ଜଳବନ୍ଦୀ ହୋଇଛନ୍ତି । ଏନଡିଆରଏଫ, ଜିଲ୍ଲାପ୍ରଶାସନ ସମେତ ଅନ୍ୟ ସଂସ୍ଥା ଦ୍ୱାରା ୯ ହଜାର ୩୦୩ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି ।
ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନ କର୍ତ୍ତୃପକ୍ଷ ଅନୁସାରେ ବନ୍ୟାରେ ୨୦୭୧ ଗାଁ ଓ ୬୮ ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ୧୨ଟି ଜିଲ୍ଲାରେ ରିଲିଫ ଶିବିର ଖୋଲାଯାଇଛି । ୨୭ ହଜାରରୁ ଅଧିକ ଲୋକଙ୍କୁ ଆଶ୍ରୟ ସ୍ଥଳରେ ରଖାଯାଇଛି ।