ଭୁବନେଶ୍ୱର– ସଂପ୍ରତି ସମଗ୍ର ରାଜ୍ୟରେ ମହାମାରୀ କରୋନା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଷ କ୍ଷେତ୍ର ଘୋର ପ୍ରଭାବିତ ହୋଇଛି । ଗତ ରବି ଫସଲ ଅମଳ ଓ ବିପଣନରେ ଚାଷୀ ଗୁରୁତର କ୍ଷତି ସହିଥିବାରୁ ବର୍ତମାନ ସୁଦ୍ଧା ଖରିଫ ଚାଷ ପାଇଁ ଅଂଟା ସଳଖି ପାରି ନାହାନ୍ତି । ଏହି ପରିସ୍ଥିତିରେ ଚାଷୀଙ୍କୁ ସ୍ୱତନ୍ତ୍ର ସହାୟତା ଯୋଗାଇ ଦେବାକୁ କିଷାନ କଂଗ୍ରେସ ଦାବି କରିଛି । ଏହି ଦାବି ନେଇ କିଷାନ କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପଠାଯାଇଥିବା ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।
କରୋନା ପରିପ୍ରେକ୍ଷୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ଚାଷୀଙ୍କଠାରୁୁ କୃଷିଋଣ ଛାଡ଼, ଚଳିତ ଖରିଫ ଚାଷକୁ ସୁନିଶ୍ଚିତ କରିବା ପାଇଁ ପ୍ରତି ଚାଷୀ ଓ କୃଷି ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ନଗଦ ୧୦ ହଜାର ଟଙ୍କା ପ୍ରଦାନ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କ୍ୱିଂଟାଲ ପିଚ୍ଛା ୨୯୩୦ଟଙ୍କାକୁ ବୃଦ୍ଧି ଏବଂ ଭାରତୀୟ ଖାଦ୍ୟ ନିଗମ ଜରିଆରେ ଚାଷୀଙ୍କଠାରୁ ସମସ୍ତ ବଳକା ଧାନ କ୍ରୟ, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା କୃଷି ଇନପୁଟ୍ ସହାୟତାକୁ ଦୁଇଗୁଣା ବୃଦ୍ଧି ପାଇଁ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ଓ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିର ପ୍ରଚଳିତ ନିୟମର ପରିବର୍ତନ କରିବାକୁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କିଷାନ କଂଗ୍ରେସ ଦାବି କରିଛି ।