ନୂଆଦିଲ୍ଲୀ– କରୋନା ଭାଇରସ ସମଗ୍ର ବିଶ୍ୱକୁ ଅସ୍ତବ୍ୟସ୍ତ କରିସାରିଛି । ସଂଯୁକ୍ତ ରାଷ୍ଟ୍ର ଆମେରିକା ଅଧିକ ଧନଜୀବନ କ୍ଷତି ସହିଛି । ଚୀନର ଉହାନ ସହରରୁ ବ୍ୟାପିଥିବା ଏହି ମାରାତ୍ମକ ଭାଇରସ ଏବେ ଋଷିଆରେ କାୟା ବିସ୍ତାର କରୁଛି । ମାସ ପୂର୍ବରୁ ଋଷିଆ କରୋନା ତାଲିକାର ଶ୍ରେଷ୍ଠ ୧୦ଟି ସ୍ଥାନରେ ନ ଥିବା ବେଳେ ଏବେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି । ଦେଶରେ ୨ ଲକ୍ଷ ୯୦ ହଜାର ୬୭୮ ଜଣ କରୋନା ରୋଗୀ ଚିହ୍ନଟ ହୋଇସାରିଛନ୍ତି । କିନ୍ତୁ ଖୁସିର କଥା ଯେ, ମୃତ୍ୟୁ ସଂଖ୍ୟା ହେଉଛି ୨ ହଜାର ୭୨୨ । ମୋଟ ୭୦ ହଜାର ୨୦୯ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ ଲକ୍ଷ ୧୭ ହଜାର ୨୦୯ ଜଣ ଭଲ ହୋଇଛନ୍ତି ।
କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ୪୮ ଲକ୍ଷ ୮୭ ହଜାର ୯୩୪ ଜଣ ସଂକ୍ରମିତ ହୋଇଛନ୍ତି । ମୋଟ ୩ ଲକ୍ଷ ୧୯ ହଜାର ୯୬୧ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାରେ ୧୫ ଲକ୍ଷ ୫୦ ହଜାର ୧୧୦ ଜଣ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୯୧ ହଜାର ଅତିକ୍ରମ କରିଛି । ଦେଶରେ ଏବେବି ୧୬ ହଜାର ୮୬୪ ଜଣ ଗୁରୁତର ଅଛନ୍ତି । ତେଣୁ ମାସ ଶେଷ ହେବା ପୂର୍ବରୁ ଆମେରିକାରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିପାରେ ବୋଲି ଆଶଙ୍କା ଉପୁଜିଛି ।