ବ୍ରହ୍ମପୁର(ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ବଡକୁଶସ୍ଥଳୀ ଗ୍ରାମ ସଙ୍ଗରୋଧ କେନ୍ଦ୍ରରେ ବେଗୁନିଆପଡା ଅଞ୍ଚଳର ସୁରଥ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କୁ ରଖିବା ନିଷ୍ପତ୍ତିକୁ ଗ୍ରାମବାସୀ ପ୍ରତିବାଦ କରିଛନ୍ତି । ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିବା ସହ ସୁରଥ ଫେରନ୍ତାଙ୍କୁ ନେଇ ଆସିଥିବା ଏକ ବସ୍କୁ ଗ୍ରାମବାସୀ ଅଟକାଇଛନ୍ତି । ଆଉ ରାସ୍ତା ଉପରେ ପଥର ରଖି ଅବରୋଧ କରିବା ସହ ଧାରଣାରେ ବସିଥିଲେ ।
ସୂଚନାଯୋଗ୍ୟ ଯେ, ରବିବାର ସନ୍ଧ୍ୟାରେ ଜଗନ୍ନାଥପୁର ଷ୍ଟେଶନ୍ ଠାରେ ସୁରଥରୁ ଆସିଥିବା ଏଖ ଟ୍ରେନ୍ ପହଞ୍ôଚଥିଲା । ସେଥିରୁ ଓହ୍ଲାଇଥିବା ବେଗୁନିଆପଡା ଅଞ୍ଚଳର ୫୧ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ବସ୍ ବଡକୁଶସ୍ଥଳୀ ଗ୍ରାମ ଅଭିମୁଖେ ବାହାରିଥିଲା । ସେଠାରେ ଥିବା ୧୬୪ ଶଯ୍ୟା ବିଶିଷ୍ଟ ଏକ ଘରୋଇ କମ୍ପ୍ୟୁଟର ସେଣ୍ଟରରେ ସେମାନଙ୍କୁ ରଖିବା ଲାଗି ନିଷ୍ପତ୍ତି ନିଆଯାଇଥିଲା ।
କିନ୍ତୁ ସେଠାରେ ଆବଶ୍ୟକ ସୁବିଧା ନଥିବା ବେଳେ ବେଗୁନିଆପଡା ଅଞ୍ଚଳର ପ୍ରବାସୀଙ୍କୁ ସେଠାରେ ରଖାଯାଉଥିବାରୁ ସ୍ଥାନୀୟ ଗ୍ରାମବାସୀ ପ୍ରତିବାଦ କରିଥିଲେ । ରାସ୍ତା ଉପରେ ପଥର ପକାଇ ବସ୍ ସମ୍ମୁଖରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗୋପାଳପୁର ଥାନା ପୋଲିସ ପହଞ୍ôଚ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ହେଁ ଗ୍ରାମବାସୀ ସେମାନଙ୍କ ଜିଦ୍ରେ ଅଟଳ ରହିଥିଲେ । ଅନ୍ୟପକ୍ଷରେ ଭାବିନୀପୁର ନିକଟରେ ଥିବା ଘରୋଇ ଇଞ୍ଜିନିୟରିଂ କଲେଜକୁ ସଙ୍ଗରୋଧ କେନ୍ଦ୍ର କରାଯାଇଛି । ଉକ୍ତ କେନ୍ଦ୍ରକୁ ପ୍ରବାସୀ ଓଡ଼ିଆ ନେଇ ଏକ ବସ୍ ଯାଇଥିବା ବେଳେ ସେଠାରେ ସ୍ଥାନୀୟ କିଛି ଲୋକ ବିରୋଧ କରିଥିବା ଜଣାପଡିଛି । ଲୋକଙ୍କ ବିରୋଧସତ୍ତ୍ୱେ ବଡକୁଶସ୍ଥଳୀ ଗ୍ରାମକୁ ଯାଇଥିବା ବସ୍ଟି ସେଠାରୁ ଫେରିଆସି କୁକୁଡାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଆଙ୍କୁଶପୁର ଠାରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବେଗୁନିଆପଡାର ପ୍ରବାସୀଙ୍କୁ ନେଇ ରଖାଯାଇଥିଲା । ସେପଟେ ବଡକୁଶସ୍ଥଳୀରେ ଥିବା ଏକ ଘରୋଇ କମ୍ପ୍ୟୁଟର ସେଣ୍ଟରରେ ପାନୀୟ ଜଳ ବ୍ୟବସ୍ଥା ନଥିବାରୁ ଗ୍ରାମବାସୀମାନେ ସେଠାରେ ପ୍ରବାସୀଙ୍କୁ ରଖିବା ପାଇଁ ବାରଣ କରିଥିବା ଜଣାପଡିଛି ।