ବ୍ରହ୍ମପୁର : ବ୍ରହ୍ମପୁର ଶଙ୍କରପୁର ସାହିରେ କରୋନା ବ୍ୟାପିବା ଆଶଙ୍କାକରି ସମ୍ପୂଣ୍ଣ ଭାବେ ସିଲ୍ କରାଯାଇଛି । ସାହି ଭିତରେ ପ୍ରବେଶ ଓ ସାହି ଭିତରୁ ବାହାରକୁ ଆସିବାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି । ସହରରେ ଗୋଷ୍ଠୀ ସଂକ୍ରମଣ ଯେପରି ନହେବ ସେଥିପ୍ରତି ବିଏମ୍ସି ନଜର ଦେଇଥିବା ବେଳେ ହୋମ୍ କ୍ୱାରେଣ୍ଟାଇନ୍ ନିୟମ ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି । ହୋମ୍ କ୍ୱାରେଣ୍ଟାଇନ୍ରେ ରହୁଥିବା ଜଣେ ବ୍ୟକ୍ତି ନିୟମ ଉଲ୍ଲଂଘନ କରିବାରୁ ତାଙ୍କୁ ସରକାରୀ କ୍ୱାରେଣ୍ଟାଇନ୍କୁ ପଠାଇ ଦିଆଯାଇଛି । ବିଏମ୍ସି ୨୬ନମ୍ବର ୱାର୍ଡର ଜଣେ ବ୍ୟକ୍ତି ରେଡ୍ ଜୋନ୍କୁ ଯାଇ ଫେରିଥିଲେ ଏବଂ ବିଏମ୍ସି ତାଙ୍କୁ ଘରେ କ୍ୱାରେଣ୍ଟାଇନ୍ରେ ରହିବାକୁ ନିର୍ଦ୍ଦେଶ ଦେଇଥିଲା । ତାଙ୍କ ଘର ଆଗରେ କୋଭିଡ-୧୯ ଷ୍ଟିକର ଲାଗିବା ସହ ସୁସ୍ଥ ଆପ୍ରେ ତାଙ୍କୁ ପଞ୍ଜିକୃତ କରାଯାଇଥିଲା । କିନ୍ତୁ ସେ କ୍ୱାରେଣ୍ଟାଇନ୍ର ସମସ୍ତ ନିୟମ ଭାଙ୍ଗିଥିବା ଜଣାପଡିଥିଲା । ବ୍ୟକ୍ତିଜଣକ ଘରୁ ବାହାରି ବାହାରେ ବୁଲିଥିବା ଆପ୍ ଜରିଆରେ ଜଣାପଡିଥିଲା । ବିଏମ୍ସି ଏନ୍ଫୋର୍ସମେଣ୍ଟ ଅଫିସ୍ର ତରୁଣ କୁମାର ଓ ଟିମ୍ ଉକ୍ତ ଘରକୁ ଯାଇ ସମ୍ପୃକ୍ତ ନିୟମ ଉଲ୍ଲଂଘନକାରୀଙ୍କୁ ଘରୁ ନେଇ ସରକାରୀ କ୍ୱାରେଣ୍ଟାଇନ୍ରେ ରଖିଥିଲେ । ସୁସ୍ଥ ଆପ୍ରେ ସମସ୍ତ ହୋମ୍ କ୍ୱାରେଣ୍ଟାଇନ୍କୁ ପଞ୍ଜିକୃତ କରାଯାଇଛି । ନିୟମ ଭାଙ୍ଗିଲେ ନିଶ୍ଚିତ ଭାବେ ଜଣାପଡିବ ଏବଂ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍ଫୋର୍ସମେଣ୍ଟ ଅଫିସ୍ର ତରୁଣ କୁମାର କହିଛନ୍ତି । ସହରରେ ହୋମ୍ କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିବା ପରେ ୨୮ଦିନ ସରକାରୀ କ୍ୱାରେଣ୍ଟାଇନ୍କୁ ଯିବା ଘଟଣା ପ୍ରଥମ ବୋଲି ବିଏମ୍ସି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ସୋମବାର ସକାଳେ ଟ୍ୱିଟ୍କରି ସୂଚନା ଦେଇଛନ୍ତି ।
Related Stories
November 3, 2024