![](https://indokalingtimes.com/wp-content/uploads/2020/04/WhatsApp-Image-2020-04-11-at-8.51.59-PM.jpeg)
ବାଲେଶ୍ବର,୧୧ା୪: (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ମହାମାରୀ ‘କରୋନା’ ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଚାଲିଥିବା ‘ଲକ୍ ଡାଉନ୍’ ଫଳରେ ବାଲେଶ୍ଵର ର ରିକ୍ସାଚାଳକମାନଙ୍କ ଦୈନନ୍ଦିନ ରୋଜଗାର ବାଧାପ୍ରାପ୍ତ ହୋଇଛି। ରୋଜଗାର ନଥିବାରୁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡିଛି। ଅନେକେ ଭୋକଉପାସରେ କିମ୍ବା ଧାର୍ ଉଧାର୍ କରି କାଳାତିପାତ କରୁଛନ୍ତି।
ଏହାକୁ ଅନୁଭବ କରି ବାଲେଶ୍ବରର ପୂର୍ବତନ ସାଂସଦ ଇଂଜିନିୟର୍ ରବୀନ୍ଦ୍ର କୁମାର ଜେନା ସହାୟତାର ହାତ ବଢାଇଛନ୍ତି। ବାଲେଶ୍ବର ରିକ୍ସା ଚାଳକ ସଂଘର କର୍ମକର୍ତ୍ତାଙ୍କ ସହିତ ଆଜି ସେ କଥାବାର୍ତ୍ତା କରିବା ପରେ ସେମାନଙ୍କ ମାଧ୍ୟମରେ ଶନିବାର ସକାଳେ ରିକ୍ସାଚାଳକଙ୍କ ପରିବାର ନିମନ୍ତେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବଣ୍ଟନର ବ୍ୟବସ୍ଥା କରିଛନ୍ତି।
ଆଜି ସକାଳେ ସହର ତଥା ଆଖପାଖ ଅଂଚଳରେ ରହୁଥିବା ୪୫୦ ଜଣ ରିକ୍ସା ଚାଳକଙ୍କୁ ଏହି ସାମଗ୍ରୀ ବଂଟନ କରା ଯାଇଥିଲା। ଶ୍ରୀ ଜେନା ଗଣମାଧ୍ୟମ ଦ୍ବାରା ସମସ୍ତଙ୍କୁ ନିଜ ନିଜ ଅଂଚଳରେ ସାଧ୍ୟମତେ ଅସୁବିଧାରେ ଥିବା ଲୋକମାନଙ୍କୁ ସହାୟତା କରିବା ପାଇଁ ନିବେଦନ କରିଛନ୍ତି। ଏହି ସହାୟତା ବଂଟନ କାର୍ଯ୍ୟକ୍ରମରେ ‘ବାଲେଶ୍ବର ରିକ୍ସା ଚାଳକ ସଂଘର ସମ୍ପାଦକ ସେକ୍ ସଲାଉଦ୍ଦିନ ଓ କୋଷାଧ୍ୟକ୍ଷ ଉମାକାନ୍ତ ଜେନା ପ୍ରମୁଖ ସହାୟତା କରିବା ସହ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପୂର୍ବତନ ସାଂସଦ ଶ୍ରୀଜେନାଙ୍କ ସହାୟତା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ତକୁ ଏଯାବତ ପ୍ରାପ୍ତ ନିଜର ପେନସନ୍ ଅର୍ଥରାଶି ଦାନ କରିଥିବା ବେଳେ ବାଲେଶ୍ବର ଷ୍ଟେସନର ରେଳଯାତ୍ରୀ ସହାୟକଙ୍କୁ ମଧ୍ୟ ଖାଦ୍ୟସାମଗ୍ରୀ ବଂଟନ କରିିଥିଲେ।