![](https://indokalingtimes.com/wp-content/uploads/2019/09/nam-road-copy.jpg)
ଭୁବନେଶ୍ୱର – ଆଜି ଗଞ୍ଜାମ ଜିଲ୍ଲା ପୁରୁଷୋତମପୁ ବ୍ଲକ୍ ଅନ୍ତର୍ଗତ ଝାଡ଼ବାଇସ୍ଥିତ ଗୌରାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ୱର୍ଣ୍ଣ ଜୟନ୍ତୀ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ଓଡ଼ିଶା ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ବିକାଶ ଦିଗରେ ଅଭିଭାବକମାନଙ୍କର ଗୁରୁଦାୟିତ୍ୱ ରହିଛି । ସେହିଭଳି ବିଦ୍ୟାଳୟର ଉନ୍ନତିରେ ପୁରାତନ ଛାତ୍ରଛାତ୍ରୀ, ବର୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ଜନସାଧାରଣଙ୍କ ସହଯୋଗ ରହିବା ଆବଶ୍ୟକ । ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ । ଶିକ୍ଷା ନିକେତନ ହେଉଛି ଏକ ମଣିଷଗଢ଼ା କାରଖାନା । ତେଣୁ ସେମାନଙ୍କୁ ସତଶିକ୍ଷା ଦେଲେ ଏବଂ ଶୃଙ୍ଖଳା ଜ୍ଞାନ ଦେଲେ ସେମାନେ ସୁନାଗରିକ ହୋଇ ଦେଶର ସୁନାମ ରଖିପାରିବେ । ସରକାରଙ୍କ ସାହାଯ୍ୟ ବିନା ମଧ୍ୟ ଶିକ୍ଷାନୁଷ୍ଠାନ ଚାଲିପାରିବ ଓ ଉତମ ଫଳ ପ୍ରଦର୍ଶନ କରିପାରିବ । ଏକ ବେସରକାରୀ ଶିକ୍ଷା ସଂଗଠନର ଉଦାହରଣ ଦେଇ ସେ ଏହା କହିଥିଲେ ।\nମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କହିଲେ ଯେ ଶିକ୍ଷା ହେଉଛି ସମାଜର ଦର୍ପଣ । ପରାଧୀନ ଭାରତରେ ଶାସନ କରୁଥିବା ଇଂରେଜମାନେ ମଧ୍ୟ ଅନୁଭବ କରିଥିଲେ ଯେ, ଶିକ୍ଷାର ଉନ୍ନତି ବିନା ଭାରତକୁ ଶାସନ କରିବା ଅସମ୍ଭବ । ଶିକ୍ଷାର ଉନ୍ନତି ନଘଟିଲେ ଦେଶର ପ୍ରଗତି ହୋଇପାରିବ ନାହିଁ । ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୃଷ୍ଟି ଦିଗରେ ସମସ୍ତଙ୍କର ଭୂମିକା ରହିଛି । ଏହାଛଡ଼ା ଶ୍ରୀ ଦାଶ ବିଦ୍ୟାଳୟ ଗଣଶିକ୍ଷା ବିଭାଗର କାର୍ଯ୍ୟାବଳୀ ଓ ପ୍ରଚଳିତ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ।
କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଆସ୍କା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ ସାହୁ, ଖଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା, ଜିଲ୍ଲା ଶିକ୍ଷା ଅଧିକାରୀ ଡ. ସନାତନ ପଣ୍ଡା ଆଦି ମାନ୍ୟଗଣ୍ୟ ବ୍ୟକ୍ତି ମଂଚାସୀନ ଥିଲେ ।
ଏହାଛଡ଼ା ବାଚସ୍ପତି ଡ. ପାତ୍ର ପୁରୁଷୋତମପୁର ବ୍ଲକ ପାଣ୍ଡିଆ ଠାରେ ଏକ କଲ୍ୟାଣ ମଣ୍ଡପ, ଅଙ୍ଗନବାଡ଼ି କେନ୍ଦ୍ର ଓ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଦାଶ, ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ବିଧାୟିକା ଶ୍ରୀମତୀ ପ୍ରଧାନ, ଶ୍ରୀମତୀ ବୈଦ୍ୟ, ବିଧାୟକ ଶ୍ରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।