ମୁମ୍ବାଇ– ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ “ଆମୀର ଖାନ ତାଙ୍କ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରାଟଙ୍କୁ ବିବାହ କରିଛନ୍ତି । ଜୁଲାଇ ୫ ତାରିଖରେ, ଏହି ଦମ୍ପତି ମୁମ୍ବାଇର ପାଲି ହିଲ୍ ସ୍ଥିତ ସେମାନଙ୍କ ବାସଭବନରେ ଅତ୍ୟନ୍ତ ବ୍ୟକ୍ତିଗତ ବାତାବରଣରେ ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ କୋର୍ଟ ବିବାହ କରିଥିଲେ । ପ୍ରବଳ ବର୍ଷା ମଧ୍ୟରେ ଆୟୋଜିତ ଏହି ସମାରୋହରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁ ଯୋଗ ଦେଇଥିଲେ । ବିବାହ ପରେ ଉଭୟ ପରିବାର ଏହି ସ୍ୱତନ୍ତ୍ର ଅବସରକୁ ନିରାଡମ୍ବର ଭାବେ ପାଳନ କରିଥିଲେ ।
ବିବାହ ସମୟରେ ସକାଳଠାରୁ ଆମୀରଙ୍କ ଘର ବାହାରେ ହଲଚଲ୍ ଦେଖିବାକୁ ମିଳିଥିଲା । ବର୍ଷା ସତ୍ୱେ ପାପାରାଜ୍ଜୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ଏହି ସମାରୋହରେ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କ ସମେତ କିଛି ଘନିଷ୍ଠ ଅତିଥି ଯୋଗ ଦେଇଥିଲେ । ରିପୋର୍ଟ ଅନୁଯାୟୀ, ଅମ୍ବାନୀ ପରିବାରର ସଦସ୍ୟମାନେ ମଧ୍ୟ ନବବିବାହିତ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଂଚି ଥିଲେ । ଆମୀର ଏବଂ ଗୌରୀ ଆରମ୍ଭରୁ ବିବାହକୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ରଖିବାକୁ ନିଷ୍ପତି ନେଇଥିଲେ ।
ସୂତ୍ର ଅନୁଯାୟୀ, ବିବାହକୁ କେବଳ ୧୦୦ ରୁ ୧୫୦ ଜଣ ମନୋନୀତ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏକ ବିଳାସପୂର୍ଣ୍ଣ ହୋଟେଲ କିମ୍ବା ଏକ ବିଳାସପୂର୍ଣ୍ଣ କାର୍ଯ୍ୟକ୍ରମ ପରିବର୍ତେ, ଆମୀର ଏହି ସ୍ୱତନ୍ତ୍ର ଅବସର ପାଇଁ ନିଜର ଘରକୁ ବାଛିଥିଲେ । ବିବାହର ପ୍ରତ୍ୟେକ ବ୍ୟବସ୍ଥା, ଅତିଥି ତାଲିକା ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ତାଲିକା ପର୍ଯ୍ୟନ୍ତ, ଆମୀର ଏବଂ ଗୌରୀ ନିଜେ ସ୍ଥିର କରିଥିଲେ । ଅଭିନେତା ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ସେ ଏହି ଅବସରକୁ ବିନା କୌଣସି ଆଡ଼ମ୍ବରରେ ଏକ ପାରିବାରିକ ସମାରୋହ ଭାବରେ ପାଳନ କରିବାକୁ ଚାହୁଁଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଆମୀର ଖାନଙ୍କ ଏହା ତୃତୀୟ ବିବାହ । ସେ ପୂର୍ବରୁ ୧୯୮୬ ରେ ରୀନା ଦତାଙ୍କୁ ବିବାହ କରିଥିଲେ, ଯାହାଙ୍କ ସହିତ ତାଙ୍କର ଦୁଇଟି ସନ୍ତାନ ଜୁନୈଦ ଏବଂ ଆଇରା ଅଛନ୍ତି । ୨୦୦୨ ରେ ଦୁହିଁଙ୍କ ତଲାକ୍ ହୋଇଥିଲା । ଏହାପରେ ୨୦୦୫ରେ ସେ ଚଳଚ୍ଚିତ୍ର ନିର୍ମାତା କିରଣ ରାଓଙ୍କୁ ବିବାହ କରିଥିଲେ, ଯାହାଙ୍କ ସହିତ ତାଙ୍କର ଏକ ପୁଅ ଆଜାଦ ଅଛନ୍ତି । ଏବେ ଗୌରୀ ସ୍ପ୍ରାଟ୍ଙ୍କ ସହ ଏକ ନୂଆ ଜୀବନ ଆରମ୍ଭ କରି ଆମୀର ନିଜ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି ।
