ଭୁବନେଶ୍ୱର– ମହାନଦୀ ଜଳ ବିବାଦକୁ ଶନିବାର ହୋଇଥିବା ଶୁଣାଣିରେ ଓଡ଼ିଶାର କୌଣସି ଉଚ୍ଚପଦସ୍ଥ ଅଧିକାରୀ କିମ୍ବା ବଡ଼ ଓକିଲ ମଧ୍ୟ ଉପସ୍ଥିତ ନରହିବା ପ୍ରସଙ୍ଗରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି।
ଏକ୍ସରେ ପୋଷ୍ଟ କରି ନବୀନ ପ୍ରଶ୍ନ କରିଛନ୍ତି ଯେ ମହାନଦୀକୁ ବଂଚାଇବା ପାଇଁ ବିଜେପି ସରକାରଙ୍କ ଇଏ କ’ଣ ଆନ୍ତରିକତା? ଟ୍ରିବ୍ୟୁନାଲରେ ମହାନଦୀ ବିବାଦ ନେଇ ଆଜି ହୋଇଥିବା ଶୁଣାଣିକୁ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ଜେନେରାଲ୍ ଆସିଲେ ନାହିଁ। ମହାନଦୀର ସୁରକ୍ଷାଠାରୁ ଏମିତି କ’ଣ ଗୁରୁତ୍ୱପୂର୍ଣ୍ଣ କାମ ରହିଲା, ଯେଉଁଥିପାଇଁ ଟ୍ରିବ୍ୟୁନାଲର ଶୁଣାଣିରେ ଓଡ଼ିଶାର ପକ୍ଷ ରଖିବାକୁ ସେ ଉପସ୍ଥିତ ରହିଲେ ନାହିଁ? ଟ୍ରିବ୍ୟୁନାଲର ଶୁଣାଣିକୁ ନେଇ ଅନେକ ଆଶା ବାନ୍ଧି ବସିଥିବା ଓଡ଼ିଶାବାସୀଙ୍କୁ ମିଳିଲା କ’ଣ?
ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ମହାନଦୀକୁ ବଂଚାଇବା ପାଇଁ ଓଡ଼ିଶା ବିଜେପି ସରକାରଙ୍କ କୌଣସି ଆନ୍ତରିକତା ତଥା ପ୍ରତିବଦ୍ଧତା ନାହିଁ। ଏହାକୁ ସରକାର ଆଦୌ ଗମ୍ଭୀରତାର ସହ ନେଉ ନାହାନ୍ତି। ଖାଲି କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି। ମହାନଦୀ ଆମ ମା’, ଓଡ଼ିଶାର ଜୀବନରେଖା। ଲକ୍ଷ ଲକ୍ଷ ଚାଷୀ, ମତ୍ସ୍ୟଜୀବୀ ତଥା ଅଗଣିତ ଓଡ଼ିଆଙ୍କ ଜୀବନର ସ୍ରୋତ। ଏହାର ସୁରକ୍ଷାରେ ସାଲିସକୁ ଓଡ଼ିଶାବାସୀ କଦାପି ଗ୍ରହଣ କରିବେ ନାହିଁ। ମହାନଦୀକୁ ବଂଚାଇବା ପାଇଁ ପ୍ରତିଟି ଓଡ଼ିଆଙ୍କୁ ନେଇ ବିଜୁ ଜନତା ଦଳର ଲଢ଼େଇ ଆହୁରି ଜୋରଦାର ହେବ।
