ବଣେଇ– ରାଉରକେଲା ପୋଲିସ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ପୁଣ୍ଡୁପୋଖରି ଗ୍ରାମ ନିକଟରେ ଜଙ୍ଗଲ ଜମିରେ ଦୀର୍ଘ ଦିନ ଧରି ଚାଲିଥିବା ଅଫିମ ଚାଷକୁ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ନଷ୍ଟ କରାଯାଇଛି । ଶନିବାର ସକାଳେ ଏହି ଚଢ଼ଉ ହୋଇଥିଲା । ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ସେଠାରେ ଚାଷ କରାଯାଇଥିବା ବିପୁଳ ପରିମାଣର ଅଫିମ ଗଛକୁ କାଟି ନଷ୍ଟ କରିବା ସହ ଏହାକୁ ପୋଡି ଦେଇଛନ୍ତି । ନଷ୍ଟ କରାଯାଇଥିବା ଅଫିମ ଫସଲର ମୂଲ୍ୟ ଦେଢ଼ କୋଟିରୁ ଉର୍ଦ୍ଧ୍ୱ ହେବ ବୋଲି ପ୍ରାଥମିକ ସ୍ତରରେ ଆକଳନ କରାଯାଉଛି ।
ବର୍ତମାନ କର୍ମସ୍ଥଳି ହେଉ କିମ୍ବା ସମ୍ପୂର୍ଣ୍ଣ ଦିନ ମାନର କାର୍ଯ୍ୟ ସମୟ ହେଉ ନିଶା ନେଇ କାମ କରିବା ଅନେକଙ୍କ ଅଭ୍ୟାସରେ ପରିଣତ ହୋଇଛି । ଏବେ ଆଲକହଲ ଯୁକ୍ତ ନିଶା ଧରାପଡି ଯାଉଥିବାରୁ ଲୋକେ ଗଞ୍ଜେଇକୁ ନେଇ କାମ ଚଳାଇବା ପରେ ଏବେ ଅଫିମ ଦିଗକୁ ଅଧିକ ଆକୃଷ୍ଟ ହୋଇଛନ୍ତି । ଅଫିମ ନିଶା ଏକ ଭିନ୍ନ ସ୍ୱାଦର ନିଶା ବୋଲି ବିଚାର କରି ଗ୍ରାହକ ଅଧିକ ଗ୍ରହଣ କରୁଥିବାରୁ ଏହି ଲାଭଜନକ ବ୍ୟବସାୟକୁ କୋଇଡ଼ାର ପାହାଡ଼ିଆ ଥଣ୍ଡା ଅଂଚଳରେ କୁଟୀର ଶିଳ୍ପ ଭାବେ ଗ୍ରହଣ କରି ବିସ୍ତୀର୍ଣ୍ଣ ଚାଷଜମିରେ ଅଫିମ ଚାଷ କରାଯାଉଛି ।
