ନୂଆଦିଲ୍ଲୀ– ଲୋକସଭାରେ ବିରୋଧୀ ଦଳର ୮ ଜଣ ସଦସ୍ୟଙ୍କୁ ନିଲମ୍ବନ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କହିବାକୁ ଅନୁମତି ଦେବା ଦାବିକୁ ନେଇ ଲୋକସଭାରେ ହଟ୍ଟଗୋଳ ମଧ୍ୟରେ, ଗୃହକୁ ପ୍ରଥମେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏବଂ ପରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ହଟ୍ଟଗୋଳ ମଧ୍ୟରେ, ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ଉତର ବିନା ସ୍ୱର ଭୋଟ(ଧ୍ୱନିମତ)ରେ ଗୃହୀତ କରାଗଲା ।
ଗୁରୁବାର ପୂର୍ବାହ୍ନ ୧୧ଟାରେ ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା କହିଥିଲେ ଯେ, ଅନେକ ମୁଲତବୀ ପ୍ରସ୍ତାବର ସୂଚନା ମୋତେ ମିଳିଛି, କିନ୍ତୁ କୌଣସିଟିକୁ ଅନୁମତି ଦିଆଯାଇ ନାହିଁ । ଅଧିବେଶନ ସମୟରେ, ନୂତନ ଏବଂ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟସୋ ନାୟକ, ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡଃ. ଏଲ୍. ମୁରୁଗନ ଏବଂ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ସେମାନଙ୍କ ମନ୍ତ୍ରଣାଳୟ ସହିତ ଜଡ଼ିତ ଦସ୍ତାବିଜ ଟେବୁଲ ଉପରେ ରଖିଥିଲେ ।
କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ବ୍ୟାନର, ପୋଷ୍ଟର ଏବଂ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗରେ ପହଂଚି ଯାଇଥିଲେ ଏବଂ ସେଠାରେ ସରକାର ବିରୋଧୀ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ଲୋକସଭା ବାଚସ୍ପତି ବିରୋଧୀ ସଦସ୍ୟମାନଙ୍କୁ ଚେତାବନୀ ଦେଇଥିଲେ ଯେ, ଯଦି ସେମାନେ ପ୍ଲାକାର୍ଡ ଧରି ଆସିବେ ତେବେ ସେମାନଙ୍କୁ କହିବାର ସୁଯୋଗ ଦିଆଯିବ ନାହିଁ । ଏହା ସତ୍ୱେ ହଟ୍ଟଗୋଳ ଜାରି ରହିଥିଲା । ପରବର୍ତୀ ସମୟରେ, ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ଅନେକ ସଂଶୋଧନ ଆଗତ କରାଯାଇଥିଲା, ଯାହାକୁ ଭୋଟ୍ ପରେ ଖାରଜ କରାଯାଇଥିଲା । ହଟ୍ଟଗୋଳ ମଧ୍ୟରେ, ଧନ୍ୟବାଦ ପ୍ରସ୍ତାବକୁ ଧ୍ୱନିମତରେ ପାରିତ କରାଯାଇଥିଲା ।
ବାଚସ୍ପତି ଓମ୍ ବିର୍ଲା ବିରୋଧୀ ସଦସ୍ୟମାନଙ୍କୁ ଗୃହକୁ କାର୍ଯ୍ୟ କରିବାକୁ ଦେବା ଏବଂ ସମସ୍ତଙ୍କୁ ବଜେଟ୍ ଉପରେ କହିବାର ସୁଯୋଗ ଦେବାକୁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ, ଲଗାତାର ହଙ୍ଗାମା କରିବା ଗୃହର ଅପମାନ ଅଟେ । କିନ୍ତୁ ବିରୋଧୀ ସଦସ୍ୟଙ୍କ ବିରୋଧ ଯୋଗୁଁ ଗୃହର କାର୍ଯ୍ୟବାହିକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।
