
ଜମ୍ମୁ – ଜମ୍ମୁ କଶ୍ମୀରର କିଛି ସହରରେ ପାକିସ୍ତାନର ମିସାଇଲ୍ ଜରିଆରେ କରାଯାଇଥିବା ଆକ୍ରମଣର ଭାରତୀୟ ସୁରକ୍ଷାବଳ ମୁହଁତୋଡ ଜବାବ ଦେଇଛନ୍ତି । ଏହାରି ଭିତରେ କ୍ଷୟକ୍ଷତି ନେଇ କୌଣସି ତଥ୍ୟ ନାହିଁ । ପାକିସ୍ତାନ ସାରା ରାତି ପରେଡ, କଚ୍ଚୀ ଛାଭନୀ, ଜମ୍ମୁ ୟୁନିଭର୍ସିଟି, ସତୱାରୀ, ସୁଭାଷ ନଗର, କାଲୁଚକ, ଛତ୍ରୀ ହିମ୍ମତ, ରିହାଡି, ଉଧମପୁର, କଠୁଆ, ସାମ୍ବାକୁ ଟାର୍ଗେଟ କରିବାକୁ ଉଦ୍ୟମ କରିଥିଲା ।
ଏହି ସବୁ ସ୍ଥାନକୁ ବ୍ଲାକ ଆଉଟ କରାଯାଇଥିଲା । ଜମ୍ମୁ କଶ୍ମୀର ବ୍ୟତୀତ ଭାରତର କିଛି ସାମରିକ ଠିକଣାକୁ ଟାର୍ଗେଟ କରାଯାଇଥିବା ଅନୁମାନ କରାଯାଉଛି । ପହେଲଗାମ ଆକ୍ରମଣ ପରେ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଗୁଳିକାଣ୍ଡ କରୁଥିଲା। ଏହି ଗୁଳିକାଣ୍ଡରେ ୧୫ ଜଣ ନାଗରିକ ନିହତ ହୋଇଛନ୍ତି ଓ ପ୍ରାୟ ୫୦-୬୦ ଜଣ ନାଗରିକ ଆହତ ହୋଇଛନ୍ତି। ବୁଧବାର ଓ ଗୁରୁବାର ରାତିରେ ପାକିସ୍ତାନ ଭାରତର ପ୍ରାୟ ୧୯ଟି ସ୍ଥାନରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରୁ ଅଧିକାଂଶକୁ ବିଫଳ କରାଯାଇଛି।
ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି ଯେ ପାକିସ୍ତାନ ସତ୍ୱାରୀ, ସାମ୍ବା, ଆରଏସ ପୁରା ଓ ଅରନିଆ ଉପରେ ମୋଟ ୮ଟି ମିସାଇଲ୍ ମାଡ କରିଥିଲା, ଯାହାକୁ ଭାରତୀୟ ବାୟୁ ସୁରକ୍ଷା ୟୁନିଟ୍ ରୋକିଥିଲେ ଓ ନଷ୍ଟ କରିଦେଇଥିଲେ। ଏଠାରେ ଉଲ୍ଲେଖନୀୟ ଯେ, ଜମ୍ମୁ ଆକାଶର ଦୃଶ୍ୟ ହମାସ୍ ଶୈଳୀର ଇସ୍ରାଏଲ୍ ଉପରେ ହୋଇଥିବା ଆକ୍ରମଣକୁ ମନେ ପକାଇଥିଲା। ଏଥିରୁ ସ୍ପଷ୍ଟ ହୋଇଛି ଯେ, ପାକିସ୍ତାନୀ ସେନା ଆତଙ୍କବାଦୀ ସଂଗଠନ ହମାସ୍ ପରି କାମ କରୁଛି।
ଜମ୍ମୁ-କାଶ୍ମୀରର ଉଧମପୁରରେ ଭାରତୀୟ ବାୟୁ ସୁରକ୍ଷା ବ୍ୟବସ୍ଥା ପାକିସ୍ତାନର ଡ୍ରୋନ୍କୁ ରୋକିଦେଇଥିବା ବେଳେ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା। ଜୈସଲମେରରେ ମଧ୍ୟ ଭାରତୀୟ ବାୟୁ ସୁରକ୍ଷା ବ୍ୟବସ୍ଥା ପାକିସ୍ତାନର ଡ୍ରୋନ୍ ଆକ୍ରମଣକୁ ବିଫଳ କରିଦେଇଥିଲା, ଏହି ସମୟରେ ମଧ୍ୟ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା।
ରାଜସ୍ଥାନର ବିକାନେର ଓ ପଞ୍ଜାବର ଜଳନ୍ଧରରେ ସମ୍ପୂର୍ଣ୍ଣ ଅନ୍ଧାର (ବ୍ଲାକଆଉଟ୍) ଘୋଷଣା କରାଯାଇଛି। ଏହା ଛଡ଼ା କିଶ୍ତୱାଡ଼, ଅଖନୂର, ସାମ୍ବା, ଜମ୍ମୁ, ପୁଞ୍ଛ, ରାଜୌରି, ଅବନ୍ତିପୋରା, ଉରି ଓ ଅମୃତସର, ଜାଲନ୍ଧରରେ ମଧ୍ୟ ବ୍ଲାକଆଉଟ୍ ଲାଗୁ କରାଯାଇଛି।