ଧର୍ମଶାଳା- ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ଯାଜପୁର ଜିଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟନ୍ତୀ ପାଠାଗାର ସହାୟତାରେ ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ପଂଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠନ କରାଯାଇଛି । ଏହି ବିପର୍ଯ୍ୟୟ ପରିଚାଳନା ବୈଠକ ବ୍ରହ୍ମବରଦା ସରପଂଚ ବିଜୟ ଦାସଙ୍କ ସଭାପତିତ୍ୱରେ ଯାଜପୁର ଜିଲା ପ୍ରକଳ୍ପ ଅଧିକାରୀ ଦେବାଶିଷ ପ୍ରଧାନ, ଯାଜପୁର କମ୍ୟୁନିଟି ମୋବିଲାଇଜର ନାରାୟଣ ପ୍ରସାଦ ଦାସ ଓ ବିଜେଡି ଜିଲା ସାଧାରଣ ସମ୍ପାଦକ ପ୍ରଦିପ ଦାସ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଏହି ବୈଠକରେ ବିପର୍ଯ୍ୟୟ ଆସିବା ସମୟରେ କିପରି ଜନସାଧାରଣଙ୍କ ଧନ ଜୀବନ ସୁରକ୍ଷିତ ହୋଇପାରିବ, କମିଟିର ସଭ୍ୟସଭ୍ୟାମାନଙ୍କ ଭୂମିକା ସମ୍ପର୍କରେ ଜିଲା ପ୍ରକଳ୍ପ ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ । ଘଡଘଡି ଓ ନଦୀରେ ଗାଧୋଇବା ସମୟରେ ସାବଧାନତା ଅବଲମ୍ବନ କରିବା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନ୍ତାନ୍ତରିତ କରିବା ଏହି କମିଟିର ମୂଳ ଲକ୍ଷ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ଏହି ବୈଠକରେ ବ୍ରହ୍ମବରଦା ପଂଚାୟତରୁ ଅଙ୍ଗନବାଡି କର୍ମୀ, ଆଶକର୍ମୀ, ୱାର୍ଡ ସଭ୍ୟସଭ୍ୟା, ସ୍ୱେଚ୍ଛାସେବୀ ସଂଗଠନ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭ୍ୟ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜୟନ୍ତୀ ପାଠାଗାର ସଭାପତି ସତ୍ୟସୁନ୍ଦର ସାହୁ, ଯୁଗ୍ମ ସମ୍ପାଦକ ଶରତ ଚନ୍ଦ୍ର ସାହୁଙ୍କ ସମେତ ସମସ୍ତ ସଭ୍ୟ ସହଯୋଗ କରିଥିଲେ । ଶେଷରେ ପାଠାଗାରର ବରିଷ୍ଠ ସଭ୍ୟ ରମେଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।