ନୂଆଦିଲ୍ଲୀ, ପୁଣି ଥରେ ଫିଟନେସ ମନ୍ତ୍ର ଦେଇଛନ୍ତି ପିଏମ ମୋଦି । ମାସିକ ରେଡିଓ କାର୍ଯ୍ୟକ୍ରମରେ ପିଏମ ମୋଦି କହିଛନ୍ତି ଯେ, ଭାରତ ବିକଶିତ ହେଲେ ଏହାର ସବୁଠାରୁ ଅଧିକ ଲାଭ ଯୁବବର୍ଗଙ୍କୁ ହିଁ ହେବ । କିନ୍ତୁ, ଯୁବବର୍ଗ ଏହାର ଲାଭ ତେବେ ହିଁ ଉଠାଇପାରିବେ ଯଦି ସେମାନେ ଫିଟ୍ (ଶାରୀରିକ ଭାବେ ସୁସ୍ଥ) ଥିବେ । ଆଜିକାଲି ଆମେ ଦେଖୁଛୁ ଯେ, ଲାଇଫ୍ ଷ୍ଟାଇଲ୍ ରିଲେଟେଡ୍ ଡିଜିଜ୍ (ଜୀବନଶୈଳୀ ଜନିତ ରୋଗ) ବିଷୟରେ ଅନେକ କଥା କୁହାଯାଉଛି । ଏହା ଆମ ସମସ୍ତଙ୍କ ପାଇଁ, ବିଶେଷକରି ଯୁବବର୍ଗଙ୍କ ପାଇଁ ଅଧିକ ଚିନ୍ତାର ବିଷୟ । ଏଥର ‘ମନ୍ କି ବାତ୍’ ପାଇଁ ମୁଁ ଆପଣ ସମସ୍ତଙ୍କୁ ଫିଟ୍ ଇଣ୍ଡିଆ ସହିତ ଜଡ଼ିତ ବିଚାର ପଠାଇବା ପାଇଁ ଅନୁରୋଧ କରିଥିଲି । ଆପଣମାନଙ୍କ ପ୍ରତ୍ୟୁତ୍ତର ମୋତେ ଉତ୍ସାହରେ ପରିପୂର୍ଣ୍ଣ କରିଛି । ନମୋ ଆପ୍ରେ ଷ୍ଟାର୍ଟ-ଅପ୍ମାନେ ମଧ୍ୟ ବହୁସଂଖ୍ୟାରେ ମୋତେ ସେମାନଙ୍କ ମତାମତ ପଠାଇଛନ୍ତି । ସେମାନେ ସେମାନଙ୍କର ଅନେକ ପ୍ରକାର ନିଆରା ପ୍ରଚେଷ୍ଟା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ।
ବନ୍ଧୁଗଣ, ଭାରତର ଉଦ୍ୟମ ଯୋଗୁଁ ୨୦୨୩କୁ ଆନ୍ତର୍ଜାତିକ କ୍ଷୁଦ୍ରଶସ୍ୟ ବର୍ଷ ଭାବେ ପାଳନ କରାଗଲା । ଏହାଦ୍ୱାରା ଏହି କ୍ଷେତ୍ରରେ କର୍ମରତ ଷ୍ଟାର୍ଟ-ଅପ୍ମାନେ ଅନେକ ସୁଯୋଗ ପାଇଛନ୍ତି । ଲକ୍ଷ୍ନୌରେ ଆରମ୍ଭ ହୋଇଥିବା କିରୋଜ୍ ଫୁଡ୍ସ, ପ୍ରୟାଗରାଜ୍ର ‘ଗ୍ରାଣ୍ଡମା ମିଲେଟ୍ସ’ ଏବଂ ନ୍ୟୁଟ୍ରାସ୍ୟୁଟିକାଲ ରିଚ୍ ଅର୍ଗାନିକ ଇଣ୍ଡିଆ ଭଳି ଅନେକ ଷ୍ଟାର୍ଟ-ଅପ୍ ଏଥିରେ ଅନ୍ତର୍ଭୁକ୍ତ । ଆଲ୍ପିନୋ ହେଲ୍ଥ ଫୁଡ୍ସ, ଆର୍ବୋରିଆଲ ଏବଂ କିରୋଜ୍ ଫୁଡ୍ସ ସହିତ ଜଡ଼ିତ ଯୁବବର୍ଗ ପୁଷ୍ଟିକର ଖାଦ୍ୟର ବିକଳ୍ପ ବିଷୟରେ ନୂଆ ନୂଆ ଇନ୍ନୋଭେଶନ୍ ମଧ୍ୟ କରିଚାଲିଛନ୍ତି । ଜନସାଧାରଣଙ୍କୁ ନିଜ ପସନ୍ଦର ଡାଏଟ୍ ବାଛିବାରେ କିଭଳି ସେମାନେ ସାହାଯ୍ୟ କରୁଛନ୍ତି ତାହା ବେଙ୍ଗାଲୁରୁର ଅନ୍ବକ୍ସ୍ ହେଲ୍ଥ ସହ ଜଡ଼ିତ ଯୁବବର୍ଗ ମୋତେ ଜଣାଇଛନ୍ତି । ଶାରୀରିକ ସ୍ୱାସ୍ଥ୍ୟକୁ ନେଇ ଯେଉଁଭଳି ଭାବେ ଆଗ୍ରହ ବୃଦ୍ଧି ପାଇଚାଲିଛି, ତାହାଦ୍ୱାରା ଏହି କ୍ଷେତ୍ର ସହ ଜଡ଼ିତ କୋଚ୍ ଏବଂ ତାଲିମ ପ୍ରଦାନକାରୀଙ୍କ ଚାହିଦା ମଧ୍ୟ ବୃଦ୍ଧି ପାଉଛି । ଜୋଗୋ ଟେକ୍ନୋଲଜିଜ୍ ଭଳି ଷ୍ଟାର୍ଟ-ଅପ୍ମାନେ ଏହି ଚାହିଦାକୁ ପୂରଣ କରିବାରେ ସାହାଯ୍ୟ କରୁଛନ୍ତି ।
ବନ୍ଧୁଗଣ, ଆଜିକାଲି ଶାରୀରିକ ସ୍ୱାସ୍ଥ୍ୟ ଏବଂ ଉତ୍ତମ ଜୀବନ ବିଷୟରେ ତ ଅନେକ ଆଲୋଚନା ହେଉଛି, କିନ୍ତୁ ଏହା ସହିତ ଜଡ଼ିତ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ମାନସିକ ସ୍ୱାସ୍ଥ୍ୟ । ମୁମ୍ବାଇର ଇନ୍ଫି-ହିଲ୍ ଏବଂ ୟୋର୍-ଦୋସ୍ତ ଭଳି ଷ୍ଟାର୍ଟ-ଅପ୍ମାନେ ମାନସିକ ସ୍ୱାସ୍ଥ୍ୟ ଏବଂ ଜୀବନକୁ ଉତ୍ତମ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । କେବଳ ସେତିକି ନୁହେଁ, ଏଥିପାଇଁ ଆଜିକାଲି କୃତ୍ରିମ ବୁଦ୍ଧିମତା ଭଳି ଜ୍ଞାନକୌଶଳ ମଧ୍ୟ ପ୍ରୟୋଗ କରାଯାଉଛି । ବନ୍ଧୁଗଣ, ଏଠାରେ ମୁଁ ମାତ୍ର କିଛି ଷ୍ଟାର୍ଟ-ଅପ୍ର ନାମ ଉଲ୍ଲେଖ କରିପାରିବି, କାରଣ ଏହି ସୂଚି ବହୁତ ଲମ୍ବା । ଫିଟ୍ ଇଣ୍ଡିଆର ସ୍ୱପ୍ନକୁ ସାକାର କରିବା ପାଇଁ ଇନ୍ନୋଭେଟିଭ୍ ହେଲ୍ଥ କେୟାର ଷ୍ଟାର୍ଟ-ଅପ୍ମାନଙ୍କ ବିଷୟରେ ମୋତେ ନିଶ୍ଚୟ ଲେଖି ଜଣାଇବାକୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି । ମୁଁ ଆପଣମାନଙ୍କ ସହିତ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ କହୁଥିବା ଜଣାଶୁଣା ବ୍ୟକ୍ତିବିଶେଷମାନଙ୍କ ଅନୁଭୁତି ମଧ୍ୟ ଶେୟାର କରିବାକୁ ଚାହୁଁଛି । ଏହି ପ୍ରଥମ ବାର୍ତ୍ତାଟି ହେଉଛି ସଦ୍ଗୁରୁ ଜଗ୍ଗୀ ବାସୁଦେବଙ୍କର । ସେ ଫିଟନେସ, ବିଶେଷକରି ଫିଟନେସ ଅଫ୍ ମାଇଣ୍ଡ ବା ମାନସିକ ସ୍ୱାସ୍ଥ୍ୟକୁ ନେଇ ନିଜ ମତ ପ୍ରକାଶ କରିଛନ୍ତି ।ସମସ୍ତେ ନିଜ ନିଜ ବିଚାର ଉପସ୍ଥାପନ କରିଛନ୍ତି, କିନ୍ତୁ ସମସ୍ତଙ୍କର ମନ୍ତ୍ର ଗୋଟିଏ- “ସୁସ୍ଥ ରହନ୍ତୁ ଫିଟ୍ ରହନ୍ତୁ’ । ୨୦୨୪ ଆରମ୍ଭ କରିବା ପାଇଁ ଆପଣଙ୍କ ପାଖରେ ନିଜର ଫିଟ୍ନେିସ୍ଠୁକ ବଳି ବଡ଼ ସଙ୍କଳ୍ପ ଆଉ କ’ଣ ହେଇପାରେ ବୋଲି କହିଛନ୍ତି ପିଏମ ।