ନୂଆଦିଲ୍ଲୀ, ସଂସଦର ସୁରକ୍ଷା ପ୍ରସଙ୍ଗ ଉଠାଇ ଗୁରୁବାର ଲୋକସଭାର କାର୍ଯ୍ୟକାଳ ସମୟରେ ବିରୋଧୀମାନେ ପ୍ରବଳ ହଙ୍ଗାମା କରି ଗୃହ କାର୍ଯ୍ୟରେ ବାଧା ଉପୁଜାଇଥିଲେ । ତେବେ ଏହି ସମୟରେ ଅଶୋଭନୀୟ ଆଚରଣ ପାଇଁ 14ଜଣ ସଦସ୍ୟଙ୍କୁ ଶୀତକାଳୀନ ଅଧିବେଶନର ବାକି କାର୍ଯ୍ୟ ଦିବସ ପାଇଁ ସସପେଣ୍ଡ କରାଯାଇଛି ।
ବାରମ୍ବାର ହଟ୍ଟଗୋଳ ଯୋଗୁ ଗୃହକୁ ପ୍ରଥମ 2ଟା ଯାଏ ପରେ 3ଟା ଯାଏ ଏହାପରେ ଦିନକ ପାଇଁ ସ୍ଥଗିତ ରଖାଯାଇଛି ।
2ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସର 5ଜଣ ସଦସ୍ୟଙ୍କୁ ସସପେଣ୍ଡ କରାଯାଇଥିଲା । ଏହାପରେ ହଙ୍ଗାମା ଜାରି ରହିଥିଲା । ଗୃହକୁ 3ଟା ଯାଏ ସ୍ଥଗିତ ରଖାଯାଇ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କିଛି ସାଂସଦ ପୁଣି ହଙ୍ଗାମା କରିଥିଲେ ।
ଗୃହକାର୍ଯ୍ୟ ଆରମ୍ଭ ହେବା ଅବସରରେ ଗୃହରେ ଉପନେତା ରାଜନାଥ ସିଂ ବୟାନ ରଖିଥିଲେ । ଦର୍ଶକଙ୍କୁ ପାସ୍ ଜାରି କରିବା ପୂର୍ବରୁ ଅଧିକ ସାବଧାନତା ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଥିଲେ । ସୁରକ୍ଷାରେ ତ୍ରୁଟି ଘଟଣାକୁ ସମସ୍ତ ସଦସ୍ୟ ଗୋଟିଏ ସ୍ୱରରେ ନିନ୍ଦା କରିବେ ଉଚିତ ବୋଲି ସେ କହିଥିଲେ ।