ନୂଆଦିଲ୍ଲୀ, ଚନ୍ଦ୍ରଯାନ-୩ ର ସଫଳତା ପରେ ଜି-୨୦ର ଭବ୍ୟ ଆୟୋଜନ ପ୍ରତ୍ୟେକ ଭାରତୀୟଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି ବୋଲିୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସେ ତାଙ୍କର ରେଡିଓ ଅଭିଭାଷଣ ମନ କି ବାତ ରେ ଏହା କହିଛନ୍ତି ।
ସେ କହିଛନ୍ତି, ବିଗତ ଦିନରେ ସବୁଠାରୁ ଅଧିକ ଚିଠି, ବାର୍ତ୍ତା ଆଦି ଯାହା ମୋତେ ମିଳିଛି, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଦୁଇଟି ପ୍ରସଙ୍ଗ ଉପରେ କେନ୍ଦ୍ରିତ । ପ୍ରଥମ ପ୍ରସଙ୍ଗଟି ହେଲା ଚନ୍ଦ୍ରଯାନ-୩ ର ସଫଳ ଅବତରଣ ଏବଂ ଦ୍ୱିତୀୟ ପ୍ରସଙ୍ଗଟି ହେଲା ଦିଲ୍ଲୀରେ ଜି-୨୦ର ସଫଳ ଆୟୋଜନ । ଦେଶର ପ୍ରତ୍ୟେକ ଭାଗରୁ ସମାଜର ପ୍ରତ୍ୟେକ ବର୍ଗରୁ, ସବୁ ବୟସର ଲୋକଙ୍କର ଅସଂଖ୍ୟ ଚିଠି ମୋତେ ମିଳିଛି । ଯେତେବେଳେ ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର୍ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଥିଲା, ସେତେବେଳେ କୋଟି କୋଟି ଲୋକ ଭିନ୍ନ ଭିନ୍ନ ମାଧ୍ୟମରେ ଏହି ଘଟଣାର ପ୍ରତିଟି ମୁହୁର୍ତ୍ତର ସାକ୍ଷୀ ହେଉଥିଲେ । ଇସ୍ରୋର ୟୁ-ଟ୍ୟୁବ୍ ଲାଇଭ୍ ଚ୍ୟାନେଲ୍ରେ ୮୦ ଲକ୍ଷରୁ ଅଧିକ ଲୋକ ଏହି ଘଟଣାକୁ ଦେଖିଲେ, ଯାହା ଏକ ରେକର୍ଡ଼ । ଏଥିରୁ ଜଣାପଡ଼ୁଛି ଯେ, ଚନ୍ଦ୍ରଯାନ-୩ ସହ କୋଟି କୋଟି ଭାରତୀୟଙ୍କ କେତେ ଗଭୀର ଭାବାବେଗ ଜଡ଼ିତ ହୋଇରହିଛି । ଚନ୍ଦ୍ରଯାନର ଏହି ସଫଳତା ପରେ ଦେଶରେ ଏବେ ଗୋଟିଏ ସୁନ୍ଦର କୁଇଜ୍ ପ୍ରତିଯୋଗିତା ମଧ୍ୟ ଚାଲିଛି, ଯାହାକୁ ଚନ୍ଦ୍ରଯାନ-୩ ମହାକୁଇଜ୍ ନାମରେ ନାମିତ କରାଯାଇଛି । ମାଇ ଗଭ୍ ପୋର୍ଟାଲ୍ରେ ଚାଲିଥିବା ଏହି ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିସାରିଲେଣି । ମାଇ ଗଭ୍ ଆରମ୍ଭ ହେବାପରେ କୌଣସି କୁଇଜ୍ ପ୍ରତିଯୋଗିତାରେ ଏହା ସର୍ବାଧିକ ଅଂଶଗ୍ରହଣ । ଯଦି ଆପଣ ଏ ଯାଏଁ ଏଥିରେ ଅଂଶଗ୍ରହଣ କରିନାହାନ୍ତି, ତାହେଲେ ବିଳମ୍ବ ନ କରି ଏଥିରେ ଅଂଶଗ୍ରହଣ କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଏଥିପାଇଁ ଆଉ ମାତ୍ର ଛଅ ଦିନ ସମୟ ଅଛି । ଏହି କୁଇଜ୍ରେ ନିଶ୍ଚୟ ଭାଗ ନିଅନ୍ତୁ ।
ସେ କହିଛନ୍ତି ଯେ, ଚନ୍ଦ୍ରଯାନ-୩ ର ସଫଳତା ପରେ ଜି-୨୦ର ଭବ୍ୟ ଆୟୋଜନ ପ୍ରତ୍ୟେକ ଭାରତୀୟଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି । ଭାରତ ମଣ୍ଡପମ୍ ସ୍ୱୟଂ ପ୍ରସିଦ୍ଧି ଲାଭ କରିସାରିଛି । ଲୋକେ ଏହାସହିତ ସେଲ୍ଫି ଉଠାଉଛନ୍ତି ଏବଂ ଗର୍ବର ସହିତ ଏହାକୁ ପୋଷ୍ଟ ମଧ୍ୟ କରୁଛନ୍ତି । ଭାରତ ଏହି ସମ୍ମିଳନୀରେ ଆଫ୍ରିକାନ୍ ୟୁନିଅନ୍କୁ ଜି-୨୦ର ଏକ ପୂର୍ଣ୍ଣାଙ୍ଗ ସଦସ୍ୟ ରୂପେ ସାମିଲ କରାଇ ନିଜର ସଶକ୍ତ ନେତୃତ୍ୱର ପରିଚୟ ଦେଇଛି। ଆପଣମାନେ ଜାଣିଥିବେ, ଭାରତ ଯେତେବେଳେ ବହୁତ ସମୃଦ୍ଧ ଦେଶ ଥିଲା, ସେହି ଯୁଗରେ ଆମ ଦେଶ ଓ ବିଶ୍ୱରେ ସିଲ୍କ ରୁଟ୍ ବିଷୟରେ ବହୁତ ଆଲୋଚନା ହେଉଥିଲା । ଏହି ସିଲ୍କ ରୁଟ୍ ବ୍ୟବସାୟ ବାଣିଜ୍ୟର ବହୁତ ବଡ଼ ମାଧ୍ୟମ ଥିଲା । ଏବେ ଆଧୁନିକ ଯୁଗରେ ଭାରତ ଆଉ ଏକ ଇକନମିକ୍ କରିଡର୍ ସମ୍ପର୍କରେ ଜି-୨୦ରେ ପ୍ରସ୍ତାବ ଦେଇଛି । ଏହା ହେଉଛି ଇଣ୍ଡିଆ- ମିଡିଲ୍ ଇଷ୍ଟ – ୟୁରୋପ ଇକନମିକ୍ କରିଡର୍ । ଏହି କରିଡର୍ ଆଗାମୀ ଶହ ଶହ ବର୍ଷ ଧରି ବିଶ୍ୱ ବାଣିଜ୍ୟର ଆଧାର ହେବାକୁ ଯାଉଛି ଏବଂ ଇତିହାସ ଏହାକୁ ସର୍ବଦା ମନେ ରଖିବ ଯେ ଏହି କରିଡର୍ ର ସୂତ୍ରପାତ ଭାରତ ଭୂମିରେ ହୋଇଥିଲା ।
ଜି-୨୦ ସମୟରେ ଭାରତର ଯୁବଶକ୍ତି ଯେଉଁଭଳି ଭାବରେ ଏହି ଆୟୋଜନ ସହ ଜଡ଼ିତ ହେଲେ ସେ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରିବାର ଆବଶ୍ୟକତା ରହିଛି । ବର୍ଷତମାମ ଦେଶର ଅନେକ ବିଶ୍ୱ ବିଦ୍ୟାଳୟମାନଙ୍କରେ ଜି-୨୦ ସମ୍ପର୍କିତ କାର୍ଯ୍ୟକ୍ରମମାନ ଆୟୋଜିତ ହେଲା । ଏବେ ଏହି କ୍ରମରେ ଦିଲ୍ଲୀରେ ଆଉ ଏକ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଜି-୨୦ ୟୁନିଭର୍ସିଟି କନେକ୍ଟ ପ୍ରୋଗ୍ରାମ୍ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ଦେଶର ଲକ୍ଷ ଲକ୍ଷ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ପରସ୍ପରର ସଂସ୍ପର୍ଶରେ ଆସିବେ । ଏଥିରେ ଆଇଆଇଟି, ଆଇଆଇଏମ୍, ଏନ୍ଆଇଟି ଏବଂ ମେଡିକାଲ୍ କଲେଜ୍ ଭଳି ଅନେକ ପ୍ରତିଷ୍ଠିତ ସଂସ୍ଥାନ ମଧ୍ୟ ଅଂଶଗ୍ରହଣ କରିବେ । ଯଦି ଆପଣ କଲେଜ୍ ଛାତ୍ର, ତାହେଲେ ୨୬ ସେପ୍ଟେମ୍ବର ଦିନ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ନିଶ୍ଚୟ ଦେଖିବେ, ଯଦି ସମ୍ଭବ ତା ହେଲେ ଏଥିରେ ଅଂଶଗ୍ରହଣ କରନ୍ତୁ ବୋଲି ମୁଁ ଅନୁରୋଧ କରୁଛି । ଭାରତର ଭବିଷ୍ୟତ, ଯୁବବର୍ଗର ଭବିଷ୍ୟତ ଉପରେ ଏଥିରେ ଅନେକ ଋଚିପୂର୍ଣ୍ଣ କଥା ରହିବ । ମୁଁ ନିଜେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗନେବି ବୋଲି ସେ କହିଛନ୍ତି।