
ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ପ୍ରଥମେ କବିସୂର୍ଯ୍ୟନଗର ଏବଂ ହିଂଜିଳି ପରେ ଶେଷରେ ଛତ୍ରପୁର ଠାରେ ସାଧାରଣ ସଭାରେ ଯୋଗଦେଇଥିଲେ । ଗସ୍ତ ଅବସରରେ ପ୍ରାୟ ୨ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ଆସନ୍ତା, ଗଞ୍ଜାମକୁ ଏକ ନମ୍ବର ଜିଲା କରିବାରେ କାମ କରିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହ୍ୱାନ କରିଥିଲେ । ପୂର୍ବାହ୍ନରେ ପ୍ରଥମେ କବିସୂର୍ଯ୍ୟନଗରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ସାଧାରଣ ସଭାରେ ଉଦବୋଧନ ଦେଇ ସେ କହିଥିଲେ ଯେ, ଗଞ୍ଜାମ କଳା ଓ ସଂସ୍କୃତିର ଭୂମି । ଏହା ହେଉଛି ସ୍ୱାଧୀନତା ସଂଗ୍ରାମର ଭୂମି । ଏମାଟିକୁ ମୋର ପ୍ରଣାମ । କବିସମ୍ରାଟ ଉପେନ୍ଦ୍ର ଭଞ୍ଜା ଏବଂ କବିସୂର୍ଯ୍ୟ ବଳଦେବ ରଥଙ୍କ ଭୂମିକୁ ପ୍ରଣାମ । ଆଜି ଗଞ୍ଜାମରେ ୨ ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହେଲା । କେବଳ କବିସୂର୍ଯ୍ୟନଗର ପାଇଁ ୩ଶହ ୧୬ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି । ଗଞ୍ଜାମ ଜିଲାର ୨୦ ହଜାର ଭାଉ ଭଉଣୀଙ୍କୁ ଗ୍ରାମ କଣ୍ଟକ ପଟ୍ଟା ମିଳିଥିବା ବେଳେ ଏ ଅଞ୍ଚଳର ୧୧ ହଜାର ଲୋକ ଉପକୃତ ହୋଇଛନ୍ତି । ମାମାନେ ଭଲ କାମ କରୁଛନ୍ତି । ମୁଁ ଚାହେଁ ମା ମାନେ ଉଦ୍ୟୋଗୀ ହୁଅନ୍ତୁ । ଏସଏଚଜିରୁ ଏସଏମଇ ହୁଅନ୍ତୁ । ଏଥିପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇଦେବେ । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶୂନ ସୁଧରେ ରୁଣ ଦିଆଯାଉଛି ।
ଆସନ୍ତା ୫ ବର୍ଷରେ ୫୦ ହଜାର କୋଟି ଟଙ୍କା ଋଣ ଦେବାକୁ ବ୍ୟବସ୍ଥା କରାଯାଇଛି । ଆଜି କେବଳ୨୮୦ କୋଟି ଟଙ୍କାର ଋଣ ଦିଆଗଲା । ମା ମାନଙ୍କର ଉନ୍ନତି ହେଲେ ଦେଶ ଓ ସମାଜର ଉନ୍ନତି ହେବ । ଚାଷୀ ଭାଇ ମାନଙ୍କୁ ଶୁନ ସୁଧରେ ୧ ଲକ୍ଷ ଟଙ୍କା ଋଣ ଦିଆଯାଉଛି । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗଞ୍ଜାମର ୫୦ ହଜାରରୁ ଅଧିକ ଲୋକ ଉପକୃତ ହୋଇଥିବା ବେଳେ ରାଜ୍ୟ ସରକାର ୧୯୦ କୋଟି ଟଙ୍କା ଖର୍ଚ କରିଛନ୍ତି । ସେହିଭଳି ୬୩୦ଟି ହାଇସ୍କୁଲ ଭିତରୁ ୪୭୧ଟି ହାଇସ୍କୁଲର ୫-ଟି ରୂପାନ୍ତରିକରଣ ହୋଇଯାଇଛି । ଡିସେମ୍ବର ସୁଧା ବଳକା ହାଇସ୍କୁଲଗୁଡ଼ିକର ରୂପାନ୍ତରିକରଣ କାର୍ଯ୍ୟ ଶେଷ ହେବ । ମୁଁ ସବୁବେଳେ ଆପଣ ମାନଙ୍କ ପାଇଁ କାମ କରୁଛି ଏବଂ କରି ଚାଲିବି । ଆସନ୍ତୁ, ଗଞ୍ଜାମକୁ ଏକ ନମ୍ବର ଜିଲା କରିବା ପାଇଁ କାମ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ପ୍ରାରମ୍ଭରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଏବଂ ଖଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ଭାଷଣ ଦେଇଥିଲେ । ୫-ଟି ସଚିବ ଭି.କେ.ପାଣ୍ଡିଆନ ମଞ୍ଚ ଉପରେ ଉପସ୍ଥିତ ଥିଲେ । ଅଭିନେତା କୁନା ତ୍ରିପାଠୀ ସଂଯୋଜନା କରିଥିଲେ ।
ଏହା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ହିଂଜିଳି ଠାରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ କହିଥିଲେ ଯେ ଏହି ଅଞ୍ଚଳ ପାଇଁ 590 କୋଟି ଟଙ୍କାର 101ପ୍ରକଳ୍ପ ର ଶିଳାନ୍ୟାସ ଓ 209 ପ୍ରକଳ୍ପ ର ଶୁଭ ଉଦ୍ଘାଟନ କରା ଯାଇଛି,ହିଞ୍ଜିଳି ର 4688 ଜଣକୁ ଗ୍ରାମ କଣ୍ଟକ ପଟା ପ୍ରଦାନ କରିଥିଲେ, ବିନା ସୁଧରେ ମହିଳା ଗୋଷ୍ଠୀ ଙ୍କୁ ଋଣ ପ୍ରଦାନ କରିଥିଲେ,। ମନ୍ତ୍ରୀ ଉଷା ଦେବୀ ଏବଂ ଆସିକା ସାଂସଦ ପ୍ରମିଳା ବିଷୋୟୀ ଭାଷଣ ଦେଇଥିଲେ । ଶେଷରେ ଜିଲା ପରିଷଦ ସଭାପତି ଅଞ୍ଜଳି ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ରୀମୟୀ କର ସଂଯୋଜନା କରିଥିଲେ ।
ଛତ୍ରପୁର ଠାରେ ୫ଟି ବ୍ଲକ ଓ ବ୍ରହ୍ମପୁର ସହରବାସୀଙ୍କ ପାଇଁ ୧୯୬.୩୮ କୋଟି ଟଙ୍କାର ୧୫୮ଟି ପ୍ରକଳ୍ପ ଉଦ୍ଘାଟନ ଓ ୮୬୩.୧୩ କୋଟି ଟଙ୍କାର ୬୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ପରି ମୋଟ ୨୧୮ଟି ପ୍ରକଳ୍ପ ପାଇଁ ୧୦୫୬.୭୭ କୋଟି ଟଙ୍କାର ଭେଟି ଦେଇଥିଲେ। ୩୬୮୯ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ଘରଡିହ ପଟ୍ଟା ବଣ୍ଟନ । ୬୦୩୫ ସ୍ୱୟଂ ସହାୟକ ଗୋଷ୍ଠୀର ୬୦୩୫୦ ମିଶନ ଶକ୍ତି ମହିଳାଙ୍କୁ ୮୧.୨୬ କୋଟି ଟଙ୍କାର ବିନା ସୁଧରେ ଋଣ ଏବଂ ସହାୟତା ପ୍ରଦାନ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।