
ନୂଆପଡ଼ା,ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଦୋହେଲପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ସରପଞ୍ଚ ସମେତ ୫୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ସେଥିରୁ ୪ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଆଜି ଦୋହେଲପଡା ଗାଁରେ ସାପ୍ତାହିକ ବଜାର ଚାଲିଥିଲା । ଏହି ବଜାରରେ ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ଲୋକେ କିଣାବିକା କରୁଥିଲେ । ଏହି ସମୟରେ ହଠାତ ମହୁମାଛି ଆକ୍ରମଣ କରିଥିଲା । ଏଥିରେ ୫୦ ରୁ ଉର୍ଦ୍ଧ ଲୋକେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ଆହତ ବ୍ୟକ୍ତି ଖଡ଼ିଆଳ, ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା, ସିନ୍ଦେକେଲା ଭଳି ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ମହୁମାଛି ଆକ୍ରମଣର ନିର୍ଦ୍ଦିଷ୍ଟ କାରଣ ଜଣା ପଡ଼ିନାହିଁ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ସରପଞ୍ଚ ଉଦ୍ଧବ ବେହେରା ସିନ୍ଦେକେଲା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଏବେ ସେ ସୁସ୍ଥ ଅଛନ୍ତି । ବର୍ତ୍ତମାନ ହାଟରେ ମଧ୍ୟ ଅବସ୍ଥା ସ୍ଵାଭାବିକ ରହିଥିବା ସୂଚନା ମିଳିଛି ।