ଭୁବନେଶ୍ୱର, ଓଡ଼ିଶାରେ ଦର୍ଶନଶାସ୍ତ୍ର ଅଧ୍ୟୟନ ଓ ଅଧ୍ୟାପନାର ଏକ ଉଚ୍ଚ ପରମ୍ପରା ରହିଛି ଏବଂ ଏହି ପରମ୍ପରାକୁ ଅତୁଟ ରଖିବା ପାଇଁ ବିଶିଷ୍ଟ ଶିକ୍ଷାବିତ୍ମାନେ ଆହ୍ୱାନ ଦେଇଛନ୍ତି।
ବିଶ୍ୱ ଦର୍ଶନ ଦିବସ ଉପଲକ୍ଷେ ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଦର୍ଶନ ବିଭାଗ ଆନୁକୂଲ୍ୟରେ ‘ଓଡ଼ିଶାରେ ଦର୍ଶନଶିକ୍ଷାର ଇତିହାସ’ ପୁସ୍ତକ ଉପରେ ଆଧାରିତ ଦିନିକିଆ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ପ୍ରାରମ୍ଭରେ କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ପୁସ୍ତକର ରଚୟିତା ବରିଷ୍ଠ ଶିକ୍ଷାବିତ୍ ଡକ୍ଟର ନାରାୟଣ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରି ଦର୍ଶନଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ପି.ଜି. କାଉନସିଲର ଅଧ୍ୟକ୍ଷ ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ, କୁଳସଚିବ ଡକ୍ଟର ସ୍ୱାତୀ ଦାସ, ବିତ୍ତ ନିୟନ୍ତ୍ରକ ମିନତି ପତି ପ୍ରମୁଖ ଉପସ୍ଥିତ ଥିଲେ।
ଉଦ୍ଘାଟନୀ ଉତ୍ସବରେ ବିଭାଗୀୟ ମୁଖ୍ୟ ପ୍ରଫେସର ସରୋଜକାନ୍ତ କର ସଭାପତିତ୍ୱ କରିଥିଲେ। ଲବ୍ଧପ୍ରତିଷ୍ଠ ପ୍ରାବନ୍ଧିକ ପ୍ରଫେସର ଧନେଶ୍ୱର ସାହୁ ମୁଖ୍ୟବକ୍ତା ରୁପେ ଯୋଗଦେଇ କହିଲେ ଯେ, ଓଡ଼ିଶାରେ ଦର୍ଶନଶିକ୍ଷାର ଇତିହାସ ପରି ଇଂରାଜୀ, ଇତିହାସ, ରସାୟନଶାସ୍ତ୍ର, ଗଣିତ ଆଦି ଶିକ୍ଷାର ଇତିହାସ ମଧ୍ୟ ଲେଖାଯିବାର ଆବଶ୍ୟକତା ରହିଛି। ତା’ନହେଲେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ପକାଇଥିବା ମନିଷୀମାନେ ଲୋକଲୋଚନର ଅନ୍ତରାଳରେ ରହିଯିବେ। ଆଲୋଚନାରେ ଡକ୍ଟର ଅଶୋକ କୁମାର ରାୟ, ପ୍ରଫେସର ମୋହିନ ମହମ୍ମଦ, ଡକ୍ଟର ଶଚୀନ୍ଦ୍ର ରାଉଳ, ତୁଷାରକାନ୍ତ ପଟ୍ଟନାୟକ, ପ୍ରଫେସର ନନ୍ଦିନୀ ମିଶ୍ର, ଡକ୍ଟର ମନୋରଞ୍ଜନ ମଲ୍ଲିକ, ଡକ୍ଟର କବିତା ଦାସ, ଡକ୍ଟର ଦୀପ୍ତାଂଶୁ ଭୂଷଣ ପତି, ଡକ୍ଟର ପ୍ରମୋଦ କୁମାର ଦାଶ, ବିଜୟ କୁମାର ନାୟକ, ଡକ୍ଟର ବିଭୁଦତ୍ତ ଖଣ୍ଡାୟତରାୟ, ଦୀପକ କୁମାର ମହାନ୍ତ, ଅମ୍ବିକା ପ୍ରସାଦ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ବୈଷୟିକ ଅଧିବେଶନରେ ପ୍ରଫେସର ପତିତପାବନ ଦାସ, ଡକ୍ଟର ସୁଧାକର ଜାଲି, ଡକ୍ଟର କଲ୍ୟାଣୀ ଷଡ଼ଙ୍ଗୀ, ଡକ୍ଟର ଶୁଭଙ୍କରୀ ପତି ସ୍ବରଚିତ ସନ୍ଦର୍ଭମାନ ଉପସ୍ଥାପନ କରି ଓଡ଼ିଶାର ଦାର୍ଶନିକ ପରମ୍ପରା, ଦର୍ଶନଶିକ୍ଷାର କ୍ରମବିକାଶ ଓ ପ୍ରାଚୀନକାଳରୁ ଆଧୁନିକଯୁଗ ପର୍ଯ୍ୟନ୍ତ ଦାର୍ଶନିକ ଚିନ୍ତନର ବିଭିନ୍ନ ଦିଗ ଉପରେ ବିସ୍ତ୍ରୁତ ଆଲୋଚନା କରିଥିଲେ। ଶେଷରେ ଡକ୍ଟର ପ୍ରଜ୍ଞା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
