କେନ୍ଦୁଝର, ରାଜ୍ୟରେ ପ୍ରଥମ ଥର ପାଇଁ ହାତୀଙ୍କ ଉପରେ ନଜର ରଖୁଛି ଥର୍ମାଲ ଡ୍ରୋନ । ରାତି ସମୟରେ ହାତୀଙ୍କ ଗତିବିଧି ଜାଣିବା ପାଇଁ ଏହି ଥର୍ମାଲ ଡ୍ରୋନ ବ୍ୟବହାର କରାଯାଉଛି । ଏହି ଡ୍ରୋନ ବ୍ୟବହାର ଦ୍ଵାରା ରାତିର ଅନ୍ଧକାରରେ ଘଂଚ ଜଙ୍ଗଲରେ ହାତୀଙ୍କ ପ୍ରକୃତ ଗତିବିଧି ଜାଣି ହେଉଛି ।
ହାତୀ – ମଣିଷ ଲଢ଼େଇରେ କେତେବେଳେ ମଣିଷ ଜୀବନ ଯାଉଛି ତ କେତେବେଳେ ଆଖି ବୁଜୁଛି ହାତୀ । କେତେବେଳେ ଶିକାରୀ ହାତରେ ହାତୀର ମୃତ୍ୟୁ ଘଟୁଛି ତ ଆଉ କେତେବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କିମ୍ବା ଟ୍ରେନ୍ ଧକ୍କାରେ ହାତୀର ମୃତ୍ୟୁ ଘଟୁଛି । ପାଦେ ପାଦେ ହାତୀର ଜୀବନ ପ୍ରତି ବିପଦ ଥିବାରୁ ତାକୁ ଏହି ବିପଦରୁ ଉଦ୍ଧାର କରିବାରୁ ଅଂଟା ଭିଡ଼ିଛି ବନ ବିଭାଗ । ଏପରି ଦୁର୍ଘଟଣା ପ୍ରାୟତଃ ରାତିରେ ଘଟୁଥିବାରୁ, ହାତୀର ପ୍ରକୃତ ଲୋକେସନ ଚିହ୍ନଟ କରିବାକୁ ତଥା ରିୟଲ ଟାଇମ୍ ଜାଣିବାକୁ କେନ୍ଦୁଝର ବନଖଣ୍ଡରେ ଆରମ୍ଭ ହୋଇଛି ନୂଆ ପ୍ରୟାସ । ରାତିର ଅନ୍ଧକାରରେ ହାତୀ ଉପରେ କଡ଼ା ନଜର ରଖିବାକୁ ବ୍ୟବହାର ହେଉଛି ଏହି ଥର୍ମାଲ ଡ୍ରୋନ ।
କେନ୍ଦୁଝର ବନଖଣ୍ଡରେ ଥିବା ୭ଟି ରେଞ୍ଜ ଏବେ ହାତୀ ପ୍ରବଣ । ଏହି ସବୁ ରେଞ୍ଜରେ ହାତୀ- ମଣିଷ ସଂଘର୍ଷ ରୋକିବାକୁ ତଥା ହାତୀଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିବାକୁ ଆରମ୍ଭ ହୋଇଛି ଥର୍ମାଲ ଡ୍ରୋନ ବ୍ୟବସ୍ଥା । ଏହାକୁ ପ୍ରଥମେ ଚମ୍ପୁଆ ରେଞ୍ଜରେ ବ୍ୟବହାର କରାଯାଇଛି । ଏଥି ସହ ପାଟଣା ଓ ଘଟଗାଁ ରେଞ୍ଜ ରେ ମଧ୍ୟ ରାତିରେ ହାତୀର ଗତିବିଧିକୁ ନେଇ ସଫଳ ପରୀକ୍ଷା କରାଯାଇଛି । ଏହି ଡ୍ରୋନ ବ୍ୟବହାର ଦ୍ଵାରା ହାତୀଙ୍କ ପ୍ରକୃତ ଗତିବିଧି ଜାଣି ହେଉଛି । ରାତିର ଅନ୍ଧକାରରେ ଘଂଚ ଜଙ୍ଗଲରେ ହାତୀଙ୍କ ଗତିବିଧି, ସେମାନେ କେଉଁଆଡ଼ ମୁହାଁଉଛନ୍ତି ଆଦି ସବୁ ତଥ୍ୟ ଟିକିନିଖି ମିଳିପାରୁଛି । କେବଳ ସେତିକି ନୁହେଁ, ରୋଗିଣା ହାତୀଙ୍କୁ ଉଦ୍ଧାର କରିବା, ଦୁର୍ଗମ ଜଙ୍ଗଲରେ ହାତୀଙ୍କୁ ଖୋଜିବା ପାଇଁ ମଧ୍ୟ ଏହାର ବ୍ୟବହାର କରିହେବ । ଗୋଟିଏ ଦଳରେ କେତୋଟି ହାତୀ ଅଛନ୍ତି, ସେଥିରେ କେତୋଟି ଛୁଆ ହାତୀ ଅଛନ୍ତି, ସବୁ ଟିକିନିଖି ଖବର ଦେବ ଥର୍ମାଲ ଡ୍ରୋନ । ଏହା ବ୍ୟତୀତ ନିର୍ଦ୍ଦିଷ୍ଟ ସ୍ଥାନରେ ହାତୀ ସ୍କ୍ବାର୍ଡ ମୁତୟନ ସହ ହାତୀ ଦାନ୍ତ ତସ୍କର ଓ ଜଙ୍ଗଲ ମାଫିଆଙ୍କ ଉପରେ ନଜର ରଖିବା, ଉଚିତ ଦିଗରେ ହାତୀଙ୍କୁ ଘଉଡ଼ାଇବା ପାଇଁ ମଧ୍ୟ ଏହାର ବ୍ୟବହାର କରିହେବ । ଯାହାକି, ମନୁଷ୍ୟ- ହାତୀ ସଂଘର୍ଷ କମାଇବା ପାଇଁ ଫଳପ୍ରଦ ହେବ ବୋଲି ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି । କିଛି ଦିନ ହେଲା ବନ ବିଭାଗ ପକ୍ଷରୁ ହାତୀଙ୍କ ସ୍ଥିତାବସ୍ଥା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇବା ପାଇଁ ସେମାନଙ୍କ ମୋବାଇଲ ଫୋନ୍ କୁ ମେସେଜ୍ ଯିବା ସହ ଏହାର ସୁବିଧା ନଥିବା ଅଂଚଳରେ ମାଇକ୍ ଯୋଗେ ପ୍ରଚାର କରି ହାତୀଙ୍କ ଗତିବିଧି ସମ୍ପର୍କରେ ଅଂଚଳବାସୀଙ୍କୁ ସୂଚନା ଦିଆଯାଉଛି ।