ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇଟି ଜଳ ବିଦ୍ୟୁତ୍ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରି ଆଜି ହିମାଚଳ ପ୍ରଦେଶର ଚାମ୍ବା ଠାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର (ପିଏମ୍ଜିଏସ୍ୱାଇ) – ୩ୟ ପର୍ଯ୍ୟାୟକୁ ଆରମ୍ଭ କରିଛନ୍ତି ।
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଦୁଇ ଦିନ ପୂର୍ବେ ସେ ମହାକାଳ ସହର ପରିଦର୍ଶନ କରିଥିଲେ ଏବଂ ଆଜି ସେ ମଣି ମହେଶ୍ୱରଙ୍କ ଆଶ୍ରୟ ସ୍ଥଳକୁ ଆସିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ସେହି ଅଂଚଳର ଜଣେ ଶିକ୍ଷକଙ୍କଠାରୁ ସେ ପାଇଥିବା ଏକ ଚିଠି ସମ୍ପର୍କରେ ସ୍ମରଣ କରିଥିଲେ, ଯିଏକି ପ୍ରଧାନମନ୍ତ୍ରୀଙ୍କ ସହିତ ଚାମ୍ବା ବିଷୟରେ ଅନେକ ତଥ୍ୟ ବାଂଟିଥିଲେ । ଏହି ଚିଠିକୁ ପ୍ରଧାନମନ୍ତ୍ରୀ ମନ କି ବାତ୍ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପିତ କରିଥିଲେ ।
ଚାମ୍ବା ଏବଂ ଅନ୍ୟାନ୍ୟ ଅପହଂଚ ଇଲାକାରେ ରହିଥିବା ଗ୍ରାମ ଗୁଡିକ ପାଇଁ ସଡ଼କ ସଂଯୋଗୀକରଣ କରିବା ଏବଂ ରୋଜଗାର ସୃଷ୍ଟି କରିବା ନିମନ୍ତେ ଏକାଧିକ ପ୍ରକଳ୍ପ ଆରମ୍ଭ କରିବାର ସୁଯୋଗ ପାଇଥିବାରୁ ପ୍ରଧାନମନ୍ତ୍ରୀ ନିଜର ଖୁସି ବ୍ୟକ୍ତ କରିଥିଲେ । ହିମାଚଳ ପ୍ରଦେଶରେ ରହିଥିବା ତାଙ୍କ ପୁରୁଣା ଦିନ ଗୁଡିକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ପୁର୍ବରୁ ରହିଥିବା ଲୋକକଥା ‘ପାହାଡ କା ପାନି ଅର୍ ପାହାଡ କି ଜାୱାନୀ ପାହାଡ କେ କାମ ନହିଁ ଆତି’ ଅର୍ଥାତ୍ ପାହାଡର ପାଣି ଏବଂ ପାହାଡର ଯୌବନ ପାହାଡର କାମରେ ଆସି ନଥାଏ’ ଏବେ ପରିବର୍ତ୍ତତ ହୋଇ ଯାଇଛି । “ଏବେ ପାହାଡିଆ ଅଂଚଳର ଯୁବକ ମାନେ ଏହି ଅଂଚଳର ବିକାଶ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ” ବୋଲି ସେ କହିଥିଲେ ।
୧୩୦ କୋଟି ଭାରତୀୟଙ୍କ ପାଇଁ ଆସନ୍ତା ୨୫ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, “ଭାରତର ଆଜାଦିର ଅମୃତ କାଳ ଏବେ ଆରମ୍ଭ ହୋଇଛି ଯେଉଁଥିରେ ଆମକୁ ଭାରତକୁ ଏକ ବିକଶିତ ଦେଶ କରିବା ନିମନ୍ତେ ଲକ୍ଷ୍ୟକୁ ପୂରଣ କରିବାକୁ ପଡିବ । ଆସନ୍ତା କିଛି ମାସ ମଧ୍ୟରେ, ହିମାଚଳ ପ୍ରଦେଶ ପ୍ରତିଷ୍ଠାର ୭୫ ବର୍ଷ ମଧ୍ୟ ପୂର୍ଣ୍ଣ ହେବାକୁ ଯାଉଛି । ଅର୍ଥାତ୍ ଯେତେବେଳେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ, ହିମାଚଳ ମଧ୍ୟ ଏହାର ପ୍ରତିଷ୍ଠା ହେବାର ୧୦୦ ବର୍ଷ ପୂର୍ତ୍ତିକୁ ପାଳନ କରିବ । ସେହି କାରଣରୁ ଆସନ୍ତା ୨୫ ବର୍ଷର ପ୍ରତ୍ୟେକ ଦିନ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ” ବୋଲି ପ୍ରଧାନମନ୍ତ୍ରୀ ବିଷଦ ଭାବେ କହିଥିଲେ ।
ପ୍ରଧାନମନ୍ତ୍ରୀ ସେହି ଦିନ ଗୁଡ଼ିକୁ ମନେ ପକାଇ ଥିଲେ, ଯେତେବେଳେ ହିମାଚଳ ପ୍ରଦେଶର ଦିଲ୍ଲୀ ଉପରେ ବହୁତ କମ୍ ପ୍ରଭାବ ଥିଲା ଏବଂ ଏହି ରାଜ୍ୟର ଦାବି ଗୁଡିକୁ ଏବଂ ଅନୁରୋଧକୁ ଅଣଦେଖା କରା ଯାଉଥିଲା, ଯାହା ଫଳରେ ଚାମ୍ବା ଭଳି ଗୁରୁତ୍ୱପୂର୍ଣ୍ଣ ବିଶ୍ୱାସ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥାନ ବିକାଶର ଦୌଡରେ ପଛରେ ରହି ଯାଇଥିଲା । ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ, ସେ ଚାମ୍ବାର ଶକ୍ତି ବିଷୟରେ ଅବଗତ ଥିବାରୁ ଏହାକୁ ଆକାଂକ୍ଷୀ ଜିଲ୍ଲା ଭାବରେ ବିଶେଷ ଧ୍ୟାନ ଦିଆ ଯାଇଛି । ଏକ ଭାରତ ଶ୍ରେଷ୍ଠ ଭାରତର ଉତ୍ସାହ ଉଦ୍ଦୀପନା ଯୋଗୁଁ ପିଲାମାନେ ଏବେ କେରଳରୁ ହିମାଚଳକୁ ଆସି ପାରୁଛନ୍ତି, ତାହାକୁ ନେଇ ସେ ମଧ୍ୟ ଖୁସି ବ୍ୟକ୍ତ କରିଥିଲେ ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ଯେ ହିମାଚଳ ଆଜି ଡବଲ ଇଞ୍ଜିନ ବିଶିଷ୍ଟ ସରକାରଙ୍କ ଶକ୍ତିକୁ ହୃଦୟଙ୍ଗମ କରି ପାରିଛି, ଯାହା ଏହି ରାଜ୍ୟରେ ବିକାଶର ଗତିକୁ ଦ୍ୱିଗୁଣିତ କରିଛି । ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ ପୂର୍ବରୁ କ୍ଷମତାରେ ରହିଥିବା ସରକାର କେବଳ ସେହି ଅଂଚଳରେ ସେବା ଯୋଗାଇ ଦେଉଥିଲେ, ଯେଉଁ ସ୍ଥାନରେ କାର୍ଯ୍ୟ ଏବଂ ଚାପର ଭାର କମ୍ ରହିଥିଲା ଏବଂ ରାଜନୈତିକ ଲାଭ ଅଧିକ ରହୁଥିଲା । ଏହାର ଫଳସ୍ୱରୂପ, ଦୂରଦୂରାନ୍ତ ଇଲାକାର ତଥା ଆଦିବାସୀ ଅଂଚଳର ବିକାଶ ହାର ଯଥେଷ୍ଟ କମ୍ ରହିଥିଲା । ଏବେ ସଡକ ପଥ ହେଉ, ବିଦ୍ୟୁତ୍ ସଂଯୋଗ ହେଉ କିମ୍ବା ଜଳ ହେଉ, ଏହି ଅଂଚଳର ପ୍ରତ୍ୟେକ ଲୋକ ଲାଭ ପାଇଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ । “ଡବଲ୍ ଇଞ୍ଜିନ ବିଶିଷ୍ଟ ସରକାରଙ୍କର କାର୍ଯ୍ୟ ଶୈଳୀ ଅନ୍ୟ ମାନଙ୍କ ଅପେକ୍ଷା ଭିନ୍ନ ହୋଇଥାଏ । ଆମର ପ୍ରାଥମିକତା ହେଉଛି କିପରି ଭାବେ ଲୋକଙ୍କ ଜୀବନକୁ ସହଜ କରା ଯାଇ ପାରିବ । ସେଥିପାଇଁ ଆମେ ଆଦିବାସୀ ଅଂଚଳ ଏବଂ ପାହାଡିଆ ଅଂଚଳ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛୁ ।”
ଗ୍ୟାସ ସଂଯୋଗ, ପାଇପ୍ ଜଳ, ସ୍ୱାସ୍ଥ୍ୟ ସେବା, ଆୟୁଷ୍ମାନ ଭାରତ ଏବଂ ସଡ଼କ ସଂଯୋଗୀକରଣ ଭଳି ଦୂରଦୂରାନ୍ତ ଏବଂ ପାହାଡ ଅଂଚଳରେ ଜୀବନ ବଦଳାଇବା ଭଳି ପଦକ୍ଷେପ ସମ୍ପର୍କରେ ସେ ତାଲିକା ଦେଇଥିଲେ । ସେ କହିଥିଲେ, “ଯଦି ଆମେ ଗ୍ରାମ ଗୁଡ଼ିକରେ କଲ୍ୟାଣ କେନ୍ଦ୍ର ତିଆରି କରୁଛୁ, ସେହି ସମାନ ସମୟରେ ଆମେ ଜିଲ୍ଲା ମାନଙ୍କରେ ମଧ୍ୟ ମେଡିକାଲ କଲେଜ ମଧ୍ୟ ଖୋଲୁଛୁ । ପର୍ଯ୍ୟଟନର ସୁରକ୍ଷା ପାଇଁ ହିମାଚଳକୁ ଟୀକାକରଣ କ୍ଷେତ୍ରରେ କିପରି ପ୍ରାଥମିକତା ଦିଆ ଯାଇଥିଲା ସେ ମଧ୍ୟ ତାଙ୍କ ସମ୍ବୋଧନରେ ଉଲ୍ଲେଖ କରିଥିଲେ । ସାରା ଦେଶରେ ଦ୍ରୁତତମ ଶତ ପ୍ରତିଶତ ଟୀକାକରଣ ଲକ୍ଷ୍ୟରେ ପହଂଚିଥିବାରୁ ଶ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦଳକୁ ପ୍ରଶଂସା କରିଥିଲେ ।
ଗ୍ରାମୀଣ ସଡକ ନିର୍ମାଣ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତା ପର ଠାରୁ ୨୦୧୪ ପର୍ଯ୍ୟନ୍ତ ୧୮୦୦ କୋଟି ଟଙ୍କା ବ୍ୟୟ ସହିତ ୭୦୦୦ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଗ୍ରାମାଂଚଳ ରାସ୍ତା ନିର୍ମାଣ କରା ଯାଇଥିଲା । କିନ୍ତୁ ଗତ ୮ ବର୍ଷ ମଧ୍ୟରେ ୫୦୦୦ କୋଟି ଟଙ୍କାର ବ୍ୟୟ ବରାଦରେ ୧୨,୦୦୦ କିଲୋମିଟର ରାସ୍ତା ନିର୍ମାଣ କରା ଯାଇଛି । ଆଜି ଆରମ୍ଭ ହୋଇଥିବା ଯୋଜନା ଗୁଡିକ ଯୋଗୁଁ ୩୦୦୦ କିଲୋମିଟର ଗ୍ରାମୀଣ ସଡକ ସୃଷ୍ଟି ହେବ ବୋଲି ସେ ସୂଚନା ଦେଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ହିମାଚଳ ପ୍ରଦେଶ ଅନୁରୋଧ ଏବଂ ଦାବି ନେଇ ଦିଲ୍ଲୀ ଆସୁଥିବାର ସମୟ ଏବେ ଅତିବାହିତ ହୋଇ ଯାଇଛି । ବର୍ତ୍ତମାନ ହିମାଚଳ ନୂତନ ପ୍ରକଳ୍ପ ଗୁଡିକ ସମେତ ଏବଂ ଏହାର ପ୍ରଗତି ଏବଂ ଏହାର ଅଧିକାର ପାଇଁ ସବିଶେଷ ତଥ୍ୟ ସହିତ ଦାବି କରୁଛି । “ଆପଣ ମାନଙ୍କର (ଲୋକ ମାନଙ୍କର) ଆଦେଶ ମୋ ପାଇଁ ସର୍ବୋପରି ଅଟେ । ଆପଣ ମାନେ ମୋର ହାଇ କମାଣ୍ଡ । ମୁଁ ଏହାକୁ ମୋର ଭାଗ୍ୟ ବୋଲି ବିବେଚନା କରେ, ସେଥିପାଇଁ ଆପଣ ମାନଙ୍କର ସେବା କରିବା ମୋତେ ଭିନ୍ନ ଆନନ୍ଦ ଦେଇଥାଏ ଏବଂ ମୋତେ ଶକ୍ତି ପ୍ରଦାନ କରିଥାଏ ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଗତ ୮ ବର୍ଷ ମଧ୍ୟରେ ହୋଇଥିବା ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ପାହାଡ଼ିଆ ଅଂଚଳରେ, ଅପହଂଚ ଇଲାକାରେ, ସମଗ୍ର ଦେଶରେ ଆଦିବାସୀ ଅଂଚଳରେ ଦ୍ରୁତ ବିକାଶର ଏକ ମହା ଯଜ୍ଞ ଚାଲିଛି ।” ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ , ଏହାର ଲାଭ କେବଳ ହିମାଚଳର ଚାମ୍ବା ମଧ୍ୟରେ ସୀମିତ ନୁହେଁ ବରଂ ପାଙ୍ଗି – ଭରାମର, ଛୋଟ – ବଡ ଭଙ୍ଗାଲ, ଗିରିମ୍ପର, କିନ୍ନୁର ଏବଂ ଲାହଲ – ସ୍ପିଟି ଭଳି ଅଂଚଳ ମଧ୍ୟ ଏହାର ଲାଭ ପାଉଛନ୍ତି । ଆକାଂକ୍ଷୀ ଜିଲ୍ଲା ଗୁଡିକର ବିକାଶ ମାନ୍ୟତାରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା କାରଣରୁ ସେ ଚାମ୍ବା ଜିଲ୍ଲାକୁ ଶୁଭେଚ୍ଛା ଜଣେଇ ଥିଲେ ।
ଆଦିବାସୀ ସମ୍ପ୍ରଦାୟର ବିକାଶ ଉପରେ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ସିର୍ମାଉରର ଗିରିପର ଅଂଚଳର ହାତୀ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ କରି ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ ଆଦିବାସୀ ଲୋକ ମାନଙ୍କର ବିକାଶ ପାଇଁ ଆମ ସରକାର କେତେ ଗୁରୁତ୍ୱ ଦେଉଛନ୍ତି ଏହି ନିଷ୍ପତ୍ତି ତାହାକୁ ଦର୍ଶାଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ହିମାଚଳରେ ପୂର୍ବରୁ କ୍ଷମତାରେ ଥିବା ସରକାର ଏବଂ ପୂର୍ବର କେନ୍ଦ୍ର ସରକାର କେବଳ ନିର୍ବାଚନ ସମୟରେ ଦୂରଦୂରାନ୍ତରେ ଥିବା ଗ୍ରାମ ତଥା ଆଦିବାସୀ ଗ୍ରାମ ବିଷୟରେ ଚିନ୍ତା କରୁଥିଲେ, କିନ୍ତୁ ଆଜିର ଡବଲ ଇଞ୍ଜିନ୍ ବିଶିଷ୍ଟ ସରକାର ଚବିଶ ଘଂଟା ଲୋକ ମାନଙ୍କର ସେବା କରିବାକୁ ଚେଷ୍ଟା କରୁଛନ୍ତି । କରୋନା ମହାମାରୀ ସମୟରେ ଗରିବ ପରିବାରକୁ ରିଲିଫ ଯୋଗାଇବା ପାଇଁ ସରକାରଙ୍କ ଉଦ୍ୟମକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମାଗଣା ରାସନ ପ୍ରଦାନ କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଗତ ଦେଢ଼ ବର୍ଷ ହେଲା ଦେଶର ୮୦ କୋଟିରୁ ଅଧିକ ଲୋକଙ୍କୁ ଭାରତ ସରକାର କିଭଳି ଖାଦ୍ୟ ଶସ୍ୟ ଯୋଗାଉଛନ୍ତି, ତାହାକୁ ସାରା ବିଶ୍ୱ ଆଶ୍ଚର୍ଯ୍ୟ ହୋଇ ଦେଖୁଛି । ଶ୍ରୀ ମୋଦୀ ଭାରତରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମର ସଫଳତା ଉପରେ ଆଲୋକପାତ କରିଥିଲେ ଏବଂ ଏହାର ସଫଳତାର ଶ୍ରେୟ ସେ ସ୍ୱାସ୍ଥ୍ୟ ବିଭାଗ ଏବଂ ଆଶା କର୍ମଚାରୀଙ୍କ ସକ୍ରିୟ ଅଂଶଗ୍ରହଣକୁ ମଧ୍ୟ ଦେଇଥିଲେ । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ, “ବିକାଶର ଏପରି କାର୍ଯ୍ୟ କେବଳ ସେତେବେଳେ ସମ୍ଭବ ହୋଇଥାଏ, ଯେତେବେଳେ ସେବା ନିମନ୍ତେ ଇଚ୍ଛା ଶକ୍ତି ମଜଭୁତ ଥାଏ ।”
ରୋଜଗାର କ୍ଷେତ୍ରରେ ପାହାଡ଼ିଆ ଏବଂ ଆଦିବାସୀ ଅଂଚଳ ସମ୍ମୁଖୀନ ହେଉଥିବା ଆହ୍ୱାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଏହି ଅଂଚଳର ଶକ୍ତିକୁ ଏଠାକାର ଲୋକଙ୍କ ଶକ୍ତିରେ ପରିଣତ କରିବାକୁ ଚେଷ୍ଟା କରୁଛୁ । ସେ କହିଥିଲେ ଯେ ଆଦିବାସୀ ଅଂଚଳରେ ଜଳ ଓ ଜଙ୍ଗଲର ସମ୍ପଦ ଅମୂଲ୍ୟ ଅଟେ । ପ୍ରଧାନମନ୍ତ୍ରୀ ଦର୍ଶାଇ ଥିଲେ ଯେ ଚାମ୍ବା ହେଉଛି ସେହି ଅଂଚଳ, ଯେଉଁଠାରେ ଜଳ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଥିଲେ ଯେ ଯେଉଁ ପ୍ରକଳ୍ପ ପାଇଁ ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରା ଯାଇଛି, ତାହା ଶକ୍ତି ଉତ୍ପାଦନ କ୍ଷେତ୍ରରେ ଚାମ୍ବା ଏବଂ ହିମାଚଳର ଅଂଶକୁ ବୃଦ୍ଧି କରିବ । ସେ ଆହୁରି ମଧ୍ୟ କହିଥିଲେ ଯେ, ” ହିମାଚଳର ଚାମ୍ବା ଏଠାରେ ଉତ୍ପାଦିତ ବିଦ୍ୟୁତ୍ରୁ ଶହ ଶହ କୋଟି ଟଙ୍କା ରୋଜଗାର କରିବ ଏବଂ ଏହି ସ୍ଥାନର ଯୁବକମାନେ ନିଯୁକ୍ତି ସୁଯୋଗ ପାଇ ପାରିବେ” । “ଗତ ବର୍ଷ ମଧ୍ୟ ମୁଁ ଏହିପରି ୪ ଟି ବଡ ଜଳ ବିଦ୍ୟୁତ୍ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ନିମନ୍ତେ ସୁଯୋଗ ଲାଭ କରିଥିଲି । କିଛି ଦିନ ପୂର୍ବରୁ ବିଳାସପୁର ଠାରେ ଆରମ୍ଭ ହୋଇଥିବା ହାଇଡ୍ରୋ ଇଞ୍ଜିନିୟରିଂ କଲେଜ ମଧ୍ୟ ହିମାଚଳର ଯୁବକ ମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ” ବୋଲି ସେ କହିଥିଲେ