
କେନ୍ଦୁଝର , କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲାରେ ୭୫ ଟି ଅମୃତ ସରୋବର ପ୍ରତିଷ୍ଠା ହେବ ବୋଲି କେନ୍ଦ୍ର ଜନଜାତୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ସଫଳତାକୁ ନେଇ ଲୋକସଭା ପ୍ରବାସ ଯୋଜନାରେ ତିନିଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଥିବା ଶ୍ରୀ ମୁଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ସରକାରଙ୍କ ଭାରତମାଳା କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଆୟୁଷ୍ମାନ ଯୋଜନା, ଆଦିବାସୀ କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋଚନା କରିଥିବାବେଳେ ପ୍ରତି ଜିଳ୍ଲାରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ଏକ ବିକଶିତ ଓ କଲ୍ୟାଣକାରୀ ସ୍ଥିର ସରକାର ପ୍ରତିଷ୍ଠା ହୋଇଛି ବୋଲି ସେ ପ୍ରକାଶ କରିବା ସହିତ କେନ୍ଦୁଝର ଜିଲ୍ଲାରେ ୯ ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ସେ ସୂଚନା ଦେଇଥିଲେ । ଏହା ସହିତ କାନପୁର ପ୍ରକଳ୍ପ ବିଳମ୍ବ ପାଇଁ ସେ ଅସନ୍ତୋଷ ପ୍ରକାଶ କରିବା ସହିତ ୧୯୨୦ ମସିହାରୁ କେନ୍ଦୁଝର ଜିଲ୍ଲାରେ ଖଣିଖନନ ହେଉଥିଲେ ମଧ୍ୟ ଜନଜାତି ଓ ଖଣି ପ୍ରଭାବିତ ବ୍ୟକ୍ତିଙ୍କର ଉନ୍ନତି ସାଧିତ ହୋଇପାରିନାହିଁ ବୋଲି ପ୍ରକାଶ କରିଥିଲେ । ଏନଡିଏ ଆଦିବାସୀମାନଙ୍କର ଉପଯୁକ୍ତ ସମ୍ମାନ ପ୍ରଦାନ କରିଛି ଯାହାର ପ୍ରକୃଷ୍ଠ ଉଦାହରଣ ରାଇରଙ୍ଗପୁରର ମହିଳା ମାନନୀୟା ଦୌପଦୀ ମୁର୍ମୁ ବୋଲି ସେ କହିଥିଲେ । କାଉନସିଲରରୁ ରାଜନିତି ଆରମ୍ଭ କରି ସେ ଏବେ ଦେଶର ସର୍ବୋଚ୍ଚ ସାମ୍ବଧାନିକ ପଦରେ ଆସୀନ ହୋଇଛନ୍ତି ବୋଲି ପ୍ରକାଶ କରିଥିଲେ । ଦେଶରେ ଏବେ ୩୬ ହଜାର ପଛୁଆ ଗ୍ରାମ ଥିବାବେଳେ ଏହାର ବିକଶିତ କରାଯିବ ବୋଲି କହିଥିଲେ । ଏବେ ଦେଶରେ ୭୦୫ ଟି ଜନଜାତି ଚିହ୍ନଟ ହୋଇଥିବା ସହ ବିଭିନ୍ନ ଭାବରେ ଏହି ଆଦିବାସୀମାନଙ୍କର ଉନ୍ନତି କରାଯାଉଛି ବୋଲି ପ୍ରକାଶ କରିଥିଲେ । ଜଳ ସଙ୍କଟ ଦୂର ପାଇଁ ପ୍ରତି ଜିଲ୍ଲାରେ ୭୫ ଟି ଅମୃତ ସରୋବର କରାଯିବାକୁ ଳକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଭାରୀ ସଞ୍ଜିବ ମହାନ୍ତି, ରାଜ୍ୟ ସହ ସଙ୍ଗଠନ ସମ୍ପାଦକ ବିରଂଚି ତ୍ରିପାଠୀ, କେନ୍ଦୁଝର ଜିଳ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ମୟୁରଭଞ୍ଜ ବିଜେପି ନେତା କୃଷ୍ଣଚନ୍ଦ୍ର ମହାପାତ୍ର, ଲୋକସଭା ପ୍ରଭାରୀ ସଞ୍ଜିବ କୁମାର ମହାନ୍ତି, ଲୋକସଭା ସଂଯୋଜକ ଶୁକଦେବ ମହାନ୍ତ, ମୁରଲୀ ମନୋହର ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବିବେକାନନ୍ଦ ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ ।