ବଲାଙ୍ଗିର ,ବଲାଙ୍ଗିର ଜିଲ୍ଲା ଜଳସେଚିତ ଅଞ୍ଚଳ ନୂହେଁ ଏଠାରେ କେନାଲ ଦ୍ଵାରା ଜଳ ସେଚନ ର ବ୍ୟବସ୍ତା ନାହିଁ | ମୁଖ୍ୟତଃ ଏହି ଜିଲ୍ଲା ବର୍ଷା ଜଳ ଉପରେ ନିର୍ଭର କରିଥାଏ , ଚଳିତ ବର୍ଷ ର ବର୍ଷା ଦିନ ଆରମ୍ଭରୁ କେତେକ ଲଘୁଚାପଜନିତ ବର୍ଷା କୁ ଛାଡିଦେଲେ ବର୍ଷା ର ଦେଖା ନାହିଁ , ଧାନ ଏହି ଜିଲ୍ଲାର ମୂଖ୍ୟ ଫସଲ ହୋଇଥିବା ବେଳେ ସମ୍ପୂର୍ଣ୍ଣ ରୂପେ ଏହା ମୌସୁମି ବର୍ଷା କୁ ନିର୍ଭର କରିଥାଏ | କିନ୍ତୁ ବଲାଙ୍ଗିର ଜିଲ୍ଲାରେ ଆସନ୍ନ ମରୁଡ଼ିର ପଦଧ୍ୱନୀ ବେଶ୍ ସ୍ପଷ୍ଟ ହେବାକୁ ଲାଗିଛି ଚଳିତ ବର୍ଷ । ପଡ଼ିରହିଛି ପଲ୍ହା ରୁଆ, ବିହିଡ଼ା ଆଉ ବାକି ଚାଷ କାମ । ଧାରା ଶ୍ରାବଣରେ ଟାଏଁ ଟାଏଁ ଖରା ଲାଗି ରହିଥିବା ବେଳେ କାଁ ଭାଁ କେତେବେଳେ କେମିତି ପାଣି ଛିଂଚିବା ଭଳି ବର୍ଷା ହେଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି । ଏପରିକି ଏପର୍ଯ୍ୟନ୍ତ ମାଟି ସଂପୂର୍ଣ୍ଣ ଭାବେ ପାଣି ଖାଇ ସାରିନାହିଁ ଚଳିତ ବର୍ଷ । ମୁଣ୍ଡରେ ହାତ ଦେଲେଣି ଚାଷୀ । ବାରମ୍ବାର ମରୁଡ଼ିର ନୃଶଂସ ପ୍ରହାରରେ ବଲାଙ୍ଗିର ଜିଲ୍ଲାର ଚାଷୀମାନଙ୍କ ଅବସ୍ଥା ବେହାଲ୍ ହୋଇ ସାରିଥିବା ବେଳେ ଚଳିତ ବର୍ଷର ଏଭଳି ବର୍ଷା ସ୍ଥିତିରେ ଚାଷୀ ଭାଲେଣିରେ ପଡ଼ିଲେଣି । ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକ ମଧ୍ୟରୁ ଚାରି ଗୋଟି ବ୍ଲକ ଦାଦନ ପ୍ରବଣ ସେଥିରୁ ମୁରିବାହାଲ, ଲୋଇସିଂହା ଓ ତୁରେକେଲା ବ୍ଲକ୍ରେ ସ୍ଥିତି ବିଶେଷ ଖରାପ ରହିଥିବା କୁହାଯାଉଛି । ଜିଲ୍ଲାର ବ୍ଲକ ଅନୁସାରେ ଜୁନ ଓ ଜୁଲାଇ ମାସ ଶେଷସୁଦ୍ଧା ପରିମାଣ କମ ଅନୁସାରେ ମୁରିବାହାଲ 70 , ଲୋଇସିଙ୍ଗା 58 , ତୁରେକେଲା 47 , ବେଲପଡା 40 ,ବଙ୍ଗୋମୁଣ୍ଡା 29, ବଲାଙ୍ଗିର 26, ପୁଇଁତଳା 25, ଗୁଡ଼ଭେଲା 18 , ଆଗଲପୁର 22 , ପାଟଣାଗଡ଼ 18, ଖପ୍ରାଖୋଲ 15, ଟିଟିଲାଗଡ଼ 8, ସଇଁତଳା ରେ 15 ଭାଗ କମ୍ ବର୍ଷା ହୋଇଥିବା ରେକର୍ଡ ହୋଇଛି | ଏହି ଅକଳନ କୁ ଦେଖିଲେ ମଧ୍ଯ ପ୍ରକୃତ ବର୍ଷା ପରିମାଣ ଆହୁରି କମ ହେବ କାରଣ ଛୋଟ ଛୋଟ ଅଞ୍ଚଳରେ ବର୍ଷା ହେଉଥିବା ବେଳେ ବାକି ଆଞ୍ଚଲ ବର୍ଷା ହୋଇନଥାଏ |
ଅନ୍ୟପଟେ ସାରା ଜିଲ୍ଲାରେ ଆବଶ୍ୟକତା ଠାରୁ କମ୍ ବର୍ଷା ଯୋଗୁଁ ଅନେକ ସ୍ଥାନରେ ପଲ୍ହା ଶୁଖି ସାରିଥିବା ବେଳେ ମାଟି ଫାଟି ଆଁ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ପୁଣି ଖର୍ଡ଼ି ଚାଷ ହୋଇଥିବା କ୍ଷେତଗୁଡ଼ିକରେ ଗାଈଗୋରୁ ଚରୁଥିବା ଭଳି ଅଭାବନୀୟ ଦୃଶ୍ୟ ବି ଜିଲ୍ଲାର ମରୁଡ଼ି ସ୍ଥିତିର ଛାତିଫଟା ବେଦନାର କଥା କହୁଛି । ସବୁଠାରୁ ଦୁଃଖର ବିଷୟ ଯେ, ଜିଲ୍ଲାର କେତୋଟି ବ୍ଲକ୍ର ଚାଷୀମାନେ ଗତ ବର୍ଷର କୃଷି ବୀମା ରାଶି ଆଜି ପର୍ଯ୍ୟନ୍ତ ପାଇ ନଥିବା ବେଳେ ଚଳିତ ବର୍ଷର ମରୁଡ଼ି ସ୍ଥିତି ଚାଷୀମାନଙ୍କୁ ହତୋତ୍ସାହିତ କରିବାରେ ଲାଗିଛି । ଜୁଲାଇ ଶେଷ ସୁଦ୍ଧା ଜିଲ୍ଲାରେ ହାରାହାରି ବୃଷ୍ଟିପାତ ଠାରୁ କମ୍ ବର୍ଷା ହୋଇଥିବା ପାଣିପାଗ ବିଭାଗ ଓ କୃଷି ବିଭାଗର ଅକଳନ ରୁ ଜଣାଯାଇଛି | ଆଗାମୀ ଆଠ ଦଶ ଦିନ ଭିତରେ ଯଦି ଆବଶ୍ୟକ ପରିମାଣର ବର୍ଷା ନହୁଏ, ତେବେ ମରୁଡ଼ି ସୁନିଶ୍ଚିତ ବୋଲି ଚାଷ ବିଶେଷଜ୍ଞମାନେ ମତ ଦେଉଛନ୍ତି ।