
ଭୁବନେଶ୍ୱର – ବିଜ୍ଞାନ ଓ କାରିଗରୀ କୌଶଳ ହିଁ ଅର୍ଥନୈତିକ ଅଭିବୃଦ୍ଧି ଏବଂ ପୌଷ୍ଟିକ ନିରାପତା ପାଇଁ ସମର୍ଥ ଶକ୍ତି ବୋଲି ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତପ୍ରକାଶ କରିଛନ୍ତି । ଆଜି ପୂର୍ବାହ୍ନରେ ଜୀବ ବିଜ୍ଞାନ ପ୍ରତିଷ୍ଠାନ ଓ ଆଂଚଳିକ ଚିକିତ୍ସା ଗବେଷଣା କେନ୍ଦ୍ରର ମିଳିତ ଆୟୋଜନରେ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବ-୨୦୧୯ ଅବସରରେ ଅନୁଷ୍ଠିତ ପ୍ରଥମ ଦିନ ଓ ବିଜ୍ଞାନ ଅଭିଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟରେ ଖାଦ୍ୟ, ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଅଭିବୃଦ୍ଧି ସାଧନ ନିମନ୍ତେ ବିଜ୍ଞାନ ଓ ବୈଷୟିକ ବିଦ୍ୟାର ଯଥେଷ୍ଟ ସାମର୍ଥ୍ୟ ରହିଛି । ରାଜ୍ୟ ତଥା ରାଜ୍ୟବାସୀଙ୍କ ଗୁରୁତର ଆବଶ୍ୟକତାଗୁଡ଼ିକୁ ଦୃଷ୍ଟିରେ ରଖି ରାଜ୍ୟର ବିଜ୍ଞାନ ତଥା ଗବେଷଣା ଅନୁଷ୍ଠାନଗୁଡ଼ିକ ଗବେଷଣା କାର୍ଯ୍ୟକ୍ରମରେ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି ।
କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ କହିଲେ ଯେ ଯଥାର୍ଥ ଓ ଉପାୟପୂର୍ଣ୍ଣ ଉତର ପାଇବା ନିମନ୍ତେ ଅନୁକୂଳ ମାନସିକତା ଅର୍ଜନ ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ହେଉଛି ବିଜ୍ଞାନର ସାରବତା । ଏହା ଜ୍ଞାନର କ୍ରମବର୍ଦ୍ଧମାନ କଲେବର ଏବଂ ଏହାର ଶେଷ ସୋପାନ ନାହିଁ । ବାସ୍ତବରେ ଅଧିକ ସୀମା ଆବିଷ୍କାର କରିବାରେ ବିଜ୍ଞାନ ସମ୍ପୃକ୍ତ ଥିବାରୁ ଆମ୍ଭମାନଙ୍କ ଅପେକ୍ଷା ଭବିଷ୍ୟତ ବଂଶଧରମାନେ ଅଧିକ ଜ୍ଞାନଗର୍ଭ ହୋଇପାରିବେ । ଆଜି ଗୋଟିଏ ପ୍ରଶ୍ନର ଉତର ନମିଳିଲେ ଆସନ୍ତାକାଲି ମନମାନିଲା ପରି ତା’ର ଯୁକ୍ତିସମ୍ମତ ଉତର ଉଭାହେବ । ଶ୍ରୀ ତ୍ରିପାଠୀ ବିଦ୍ୟାର୍ଥୀମାନଙ୍କୁ ଆପଣାର ପରିବେଶ, ସମ୍ପୃକ୍ତ ଲୋକ ଏବଂ ଜୀବନଧାରା ମଧ୍ୟରେ ବିଜ୍ଞାନ ଓ ଯୁକ୍ତିର ପ୍ରସାର ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ ।
ଭିତି ବକ୍ତବ୍ୟ ପ୍ରଦାନ କରି ଜୀବବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଅଜୟ ପରିଡ଼ା କହିଥିଲେ ଯେ ସାଧାରଣ ଜନତାକୁ ବିଜ୍ଞାନ ସହିତ ସାମିଲ କରିବା ହେଉଛି ଏପରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଆମର ଜୀବନକୁ ଉନ୍ନତ କରିବାକୁ ବିଭିନ୍ନ ସମାଧାନ ଯୋଗାଇବାରେ ବିଜ୍ଞାନ, କାରିଗରୀ, ଯାନ୍ତ୍ରିକ ବିଦ୍ୟା ଓ ଗଣିତ ଯେଉଁ ସାହାଯ୍ୟ କରୁଛି, ତାହା ସାଧାରଣ ଲୋକଙ୍କୁ ଜଣାଇବା ସହିତ ତା’ର ପ୍ରସାର କରିବା ପାଇଁ ଏପରି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ । ଜୀବବିଜ୍ଞାନ ପ୍ରତିଷ୍ଠାନ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ସ୍ୱୟଂଶାସିତ ସଂସ୍ଥା । ଏହି ପ୍ରତିଷ୍ଠାନ ୨୧ଟି ଗବେଷଣା ସାମଗ୍ରୀର ପାଟେଂଟ କରିଥିବାବେଳେ ସେଥିରୁ ୨ଟି ବାଣିଜ୍ୟିକ ସାମର୍ଥ୍ୟ ହାସଲ କରିସାରିଛି । ଆହୁରି କେତେକ ଗବେଷଣା ପ୍ରସ୍ତୁତ ସାମଗ୍ରୀ ଭବିଷ୍ୟତରେ ବାଣିଜ୍ୟିକ ହେବ ବୋଲି ଡ. ପରିଡ଼ା ଆଶା ପ୍ରକଟ କରିଥିଲେ ।
ଆଂଚଳିକ ଚିକିତ୍ସା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡ. ସଂଘମିତ୍ରା ପତି ସ୍ୱାସ୍ଥ୍ୟବିଜ୍ଞାନ କ୍ଷେତ୍ରରେ ଉପଲବ୍ଧ କେତେକ ସଫଳତା ସମ୍ପର୍କରେ ଉଲ୍ଲେଖପୂର୍ବକ ବକ୍ତବ୍ୟ ରଖିଥିଲେ । ପ୍ରଶାସନିକ ଅଧିକାରୀ ଦୟାନିଧି ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବୈଜ୍ଞାନିକ ରାଜୀବ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୧୬୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ବିଭିନ୍ନ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ଅନେକ ଗବେଷଣା ପ୍ରତିଷ୍ଠାନର ସଫଳତା ପ୍ରଦର୍ଶନୀରେ ସ୍ଥାନିତ ହୋଇଛି ।